ବୁମରାଙ୍କ ବୋଲିଂରେ ଛିଟ୍‌କି ପଡିଲା ଓ୍ଵିକେଟ ଷ୍ଟମ୍ପ, ଅଳ୍ପକେ ବର୍ତ୍ତିଲେ କେଏସ ଭରତ : ଦେଖନ୍ତୁ ଭିଡିଓ

ବୁମରାଙ୍କ ଇନସ୍ୱିଂ ବଲରେ ଆଉଟ ହେଲେ ଡ୍ୟୁକେଟ୍‌ । ଆଉ ଅଫ୍ଷ୍ଟମ୍ପ ଉଡିକି ଯାଇ ଓ୍ଵିକେଟକିପର କେଏସ ଭରତଙ୍କ ପାଖରେ ପଡିଲା । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହାଇଦ୍ରାବାଦରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚରେ ଇଂଲଣ୍ଡ ପ୍ରଥମ ଇନିଂସରେ ୨୪୬ ରନ୍‌ କରି ଆଉଟ ହେବା ପରେ ଭାରତୀୟ ଟିମ୍‌ ଭଲ ପ୍ରଦର୍ଶନ କରିଥିଲା । ଭାରତ ପ୍ରଥମ ପାଳିରେ ୪୩୬ ରନ ସ୍କୋର କରି ୧୯୦ ରନରେ ଆଗୁଆ ରହିଥିଲା । ଏହାପରେ ଇଂଲଣ୍ଡ ଟିମ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା ।

ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ୪୫ ରନରେ ପ୍ରଥମ ଓ୍ଵିକେଟ ପଡିଥିଲା । ଏହାପରେ ଦ୍ୱିତୀୟ ଓ୍ଵିକେଟରେ ବେନ ଏବଂ ଓଲିଙ୍କ ମଧ୍ୟରେ ସହଭାଗିତା ଦେଖିବାକୁ ମିଳିଥିଲା । କିନ୍ତୁ ଜସପ୍ରୀତ ବୁମରାଙ୍କ ବୋଲିଂରେ ଯୋଡି ଭାଙ୍ଗିଯାଇଥିଲା । ଇଂଲଣ୍ଡ ଟିମର ଓପନିଂ ବ୍ୟାଟର ବେନ ଡ୍ୟୁକେଟଙ୍କୁ ବୁମରାଙ୍କ ବଲରେ ଏଲବିଡବ୍ଲ୍ୟୁ ଅପିଲ କରିଥିଲେ କିନ୍ତୁ ଅମ୍ପାୟର ମନା କରିଦେଇଥିଲେ । ଏହାପରେ ଭାରତୀୟ ଅଧିନାୟକ ଡିଆରଏସ ନେଇନଥିଲେ । ଏହାପରେ ରିପ୍ଲେ ଦେଖିବା ପରେ ଆଉଟ୍‌ ଥିବା ଦେଖିବାକୁ ମିଳିଥିଲା । ଏହାପରେ ବୁମରା ଆଉ ଏକ ଓଭରରେ ଡ୍ୟୁକେଟଙ୍କୁ ଇନସ୍ୱିଂ ବଲରେ ବୋଲ୍ଡ କରିଦେଇଥିଲେ । ଆଉ ଅଫ୍‌ଷ୍ଟମ୍ପ ଉଡିକି ଯାଇ ଓ୍ଵିକେଟକିପର କେଏସ ଭରତଙ୍କ ପାଖରେ ପଡିଲା । ଯାହା ଦେଖି ଅନ୍ୟ ଖେଳାଳି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଦ୍ୱିତୀୟ ଇନିଂସରେ ବୁମରା ୨ଟି, ଅଶ୍ୱିନ ୨ଟି ଏବଂ ଜାଡେଜା ୧ଟି ଓ୍ଵିକେଟ ନେଇଛନ୍ତି । ଇଂଲଣ୍ଡ ଟିମ୍‌ ୫ ଓ୍ଵିକେଟ ହରାଇ ବର୍ତ୍ତମାନ ସୁଦ୍ଧା ୨୬୩ ରନ୍‌ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.