ବୁମରାଙ୍କ ଆଘାତ ଜନିତ ସମସ୍ୟା ଯୋଗୁଁ ମୁମ୍ବାଇ ଇଣ୍ଡିଆନ୍ସ ଚିନ୍ତାରେ, ଆଇପିଏଲରୁ ବାଦ୍ ପଡିପାରନ୍ତି ବୁମରା !
ଆଇପିଏଲ୍ ନ ଖେଳିପାରନ୍ତି ଜସପ୍ରୀତ ବୁମରା । ଆଘାତଜନିତ ସମସ୍ୟା ଯୋଗୁଁ ବାଦ୍ ପଡିପାରନ୍ତି। ବୁମରାଙ୍କୁ ନେଇ ବିସିସିଆଇ କରୁଛି ଅଲଗା ଯୋଜନା ।

ଟିମ୍ ଇଣ୍ଡିଆର ଷ୍ଟାର ବୋଲର ଜସପ୍ରୀତ ବୁମରାଙ୍କ ପିଛା ଛାଡୁନି ସମସ୍ୟା । ତାଙ୍କର ପିଠି ଯନ୍ତ୍ରଣା ଏପର୍ଯ୍ୟନ୍ତ କମ୍ ହୋଇନାହିଁ । ଯାହା ଦିନକୁ ଦିନ ବଢିବାରେ ଲାଗିଛି । ଆଉ ଏହାକୁ ନେଇ ଆଗାମୀ ଆଇପିଏଲ ସିଜିନରୁ ବୁମରା ବାଦ୍ ପଡିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି । କେବଳ ସେତିକି ନୁହେଁ, ଆଗାମୀ ଜୁନରେ ହେବାକୁ ଥିବା ଓ୍ଵାଲର୍ଡ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ଖେଳିବା ନେଇ ମଧ୍ୟ ଆଶଙ୍କା ଦେଖାଦେଇଛି ।
କ୍ରିକ୍ବଜ୍ ରିପୋର୍ଟ ଅନୁସାରେ, ପାଖାପାଖି ୫ ମାସ ହେଲାଣି ସମସ୍ତ କ୍ରିକେଟରୁ ବାଦ୍ ପଡିଛନ୍ତି ବୁମରା। ଆହତ ଜନିତ ସମସ୍ୟା କମିନାହିଁ । ତେଣୁ ଆଗାମୀ ଆଇପିଏଲ୍ ନ ଖେଳିପାରନ୍ତି ବୋଲି ବିସିସିଆଇ ସଂକେତ ଦେଇଛି । ଟିମର ନଜର ଜସପ୍ରୀତ ବୁମରାଙ୍କ ଉପରେ ରହିଛି। ଅକ୍ଟୋବର ଏବଂ ନଭେମ୍ବରରେ ହେବାକୁ ଥିବା ବିଶ୍ୱକପ୍ ପାଇଁ ସଂପୂର୍ଣ୍ଣ ଭାବେ ଫିଟ୍ ହେବା ନେଇ ବୁମରା ଏସିଆ କପ୍ରେ ଖେଳିନଥିଲେ । ଆଗାମୀ ବିଶ୍ୱକପ ପାଇଁ ବୁମରାକୁ ନିଶ୍ଚିତ ଭାବେ ଫିଟ୍ ହେବାକୁ ପଡିବ ।
ଆଉ ଯଦି ବୁମରା ଆଇପିଏଲ ଖେଳନ୍ତି, ତେବେ ତାଙ୍କ ଆଘାତ ବଢିପାରେ। ଯାହା ବିଶ୍ୱକପ୍ ପାଇଁ ବିଲକୁଲ୍ ଠିକ୍ ନୁହେଁ । ବିସିସିଆଇ ଏନସିଏ ଏବଂ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ବୁମରାଙ୍କ କମବ୍ୟାକକୁ ନେଇ ସାବଧାନତାପୂର୍ବକ ଟିମରେ ଯୋଗ ଦେବାକୁ ଯୋଜନା କରିଛି ।
ଗତବର୍ଷ ଇଂଲଣ୍ଡ ଟୁରରେ ଆହତ ହେବା ପରେ ମଧ୍ୟ ବୁମରା ଅଷ୍ଟେଲିଆ ବିପକ୍ଷ ଟି୨୦ ସିରିଜ ପାଇଁ ମ୍ୟାଚକୁ ଫେରିଥିଲେ । କିନ୍ତୁ ଆଘାତ ଜନିତ ସମସ୍ୟା ବଢିବାରୁ ତାଙ୍କୁ ବାଦ୍ ଦିଆଯାଇଥିଲା। ପରେ ଶ୍ରୀଲଙ୍କା ସିରିଜ ପାଇଁ ଲିମିଡେଟ୍ ଓଭର ଖେଳିବାକୁ ଦିଆଯାଇଥିଲା । କିନ୍ତୁ ସିରିଜ ପୂର୍ବରୁ ଟିମ୍ରୁ ବାଦ୍ ଦିଆଯାଇଥିଲା ।