VIDEO: ଆଇପିଏଲ୍‌ରେ ଛକା ମାରି ବେୟରଷ୍ଟୋ ଭାଙ୍ଗିଲେ ଫ୍ରିଜ୍‌ କାଚ, ପୁଣି ହେଲେ ହିଟ୍‌ ଓ୍ଵିକେଟ ଆଉଟ

ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୧୪ ସଂସ୍କରଣର ୯ମ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦର ଓପ୍‌ନର ବ୍ୟାଟ୍ସମ୍ୟାନ ଜନି ବେୟରଷ୍ଟୋ ମୁମ୍ବାଇ ବିପକ୍ଷ ନିଜ ଟିମ୍‌କୁ ବଢ଼ିଆ ଭାବେ ଆଗେଇ ନେଇଥିଲେ। ସେ ୨୦ଟି ବଲ୍‌ରେ ୩ ଚଉକା ଏବଂ ୪ ଛକା ସାହାଯ୍ୟରେ ୪୩ ରନ୍‌ କରିଥିଲେ। ଏହି ସମୟରେ ବେୟରଷ୍ଟୋଙ୍କ ଛକାରେ ପଡ଼ିଆ ବାହାରେ ରଖାଯାଇଥିବା ଫ୍ରିଜ୍‌ର କାଚ ଭାଙ୍ଗି ଚୂରମାର ହୋଇଯାଇଥିଲା।

ଯଦିଓ ବେୟରଷ୍ଟା ନିଜ ଅର୍ଦ୍ଧଶତକ ପୂରଣ କରିପାରି ନ ଥିଲେ ଏବଂ ୮ମ ଓଭରରେ କ୍ରୁଣାଲ ପାଣ୍ଡ୍ୟାଙ୍କ ଦ୍ୱିତୀୟ ବଲ୍‌ରେ ହିଟ୍‌ ଓ୍ଵିକେଟ ଆଉଟ ହୋଇଯାଇଥିଲେ। ତେବେ ୧୫୧ ରନ୍‌ର ବିଜୟ ଲକ୍ଷ୍ୟ ନେଇ ସନରାଇଜର୍ସ ଟିମ୍‌ ମାତ୍ର ୧୯.୪ ଓଭରରେ ୧୩୭ ରନ୍‌ କରିବାକୁ ସକ୍ଷମ ହୋଇପାରିଥିଲା। ଟିମ୍‌କୁ ଲଗାତାର ତୃତୀୟ ଥର ପାଇଁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ମୁମ୍ବାଇ ଏହି ମ୍ୟାଚ୍‌ ୧୩ ରନ୍‌ରେ ଜିତି ନେଇଥିଲା।

ସେପଟେ ଆଇପିଏଲ୍‌ରେ ହିଟ୍‌ ଓ୍ଵିକେଟ ଆଉଟ ହୋଇଥିବା ୪ର୍ଥ ବିଦେଶୀ ଖେଳାଳି ସାଙ୍ଗକୁ ୧୩ତମ ଖେଳାଳି ବନିଯାଇଛନ୍ତି ଜନି ବେୟରଷ୍ଟୋ। ଏଥି ପୂର୍ବରୁ ଡେଭିଡ୍‌ ଓ୍ଵାର୍ନର, ମିସ୍‌ବାହ ଉଲ୍‌ ହକ ଓ ରାଶିଦ୍‌ ଖାନ ହିଟ୍‌ ଓ୍ଵିକେଟ ଆଉଟ ହୋଇସାରିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ଟିସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଡିକକ୍‌ଙ୍କ ୪୦, ରୋହିତ ଶର୍ମାଙ୍କ ୩୨ ଓ କିରୋନ ପୋଲାର୍ଡଙ୍କ ୩୫ ରନ୍‌ ସହିତ ଟିମ୍‌ ୨୦ ଓଭରରେ ୫ ଓ୍ଵିକେଟ୍‌ ହରାଇ ୧୫୦ ରନ୍‌ କରିଥିଲା।

ଜବାବରେ ସନରାଇଜର୍ସ ବଢ଼ିଆ ଆରମ୍ଭ କରିଥିଲା। ଓପନର୍‌ ଡେଭିଡ୍‌ ଓ୍ଵାର୍ନର ଓ ଜନି ବେୟରଷ୍ଟୋ ମୁମ୍ବାଇ ବୋଲରଙ୍କୁ ଧୂଳି ଚଟାଇ ଦେଇଥିଲେ। ଦୁଇଜଣ ପାର୍ଟନରଶିପ୍‌ରେ ୭.୨ ଓଭରରେ ୬୭ ରନ୍‌ କରିଥିଲେ। କ୍ୟାପଟେନ ଓ୍ଵାର୍ନର ୩୬ ରନ୍‌ କରି ଆଉଟ୍‌ ହୋଇଥିଲେ।

video courtesy: 30 Sec Shorts Only

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.