ପାକିସ୍ତାନ କ୍ରିକେଟ୍ ଟିମ୍ର ନୂଆ କୋଚ୍ ମିସ୍ବା ଉଲ୍ ହକ୍, ମାସିକ ଦରମା କେତେ ଜାଣନ୍ତୁ
ପାକିସ୍ତାନର ସବୁଠୁ ସଫଳ ଅଧିନାୟକ ଏବେ ତାଙ୍କ କ୍ରିକେଟ୍ ଦଳର କୋଚ୍ ନିଯୁକ୍ତ ହୋଇଛନ୍ତି । ମିସବା ଉଲ୍ ହକ୍ ହେଉଛନ୍ତି ପାକ୍ କ୍ରିକେଟ୍ ଟିମ୍ର ନୂଆ କୋଚ୍ । ଦାୟିତ୍ୱ ନେବା ପରେ ବେଶ୍ ଉତ୍ସାହିତ ଅଛନ୍ତି ମିସବା । ହେଲେ ତାଙ୍କ ଆଗରେ ରହିଛି ଅନେକ ଚ୍ୟାଲେଞ୍ଜ । ସେ କହିଛନ୍ତି ଏକାଥରେ ପାକିସ୍ତାନ କ୍ରିକେଟ୍ର ଆମୂଳଚୂଳ ପରିବର୍ତ୍ତନ କରିବା ସମ୍ଭବ ନୁହେଁ ତେବେ ପ୍ରଥମେ ଡ୍ରେସିଂରୁମ୍ରେ ଖେଳାଳିଙ୍କ ବ୍ୟବହାର ଓ ମନୋଭାବରେ ପରିବର୍ତ୍ତନ ଆଣିବା ଜରୁରୀ ।
ମିସବା କ୍ରିକେଟ୍ରୁ ଅବସର ନେବା ପରେ ପାକିସ୍ତାନ କ୍ରିକେଟ୍ ଲିଗ୍ (ପିଏସ୍ଏଲ୍)ର ଏକ ଟିମ୍ର କୋଚ୍ ଦାୟିତ୍ୱରେ ଥିଲେ । ମିସବାଙ୍କ ପୂର୍ବରୁ ମିକି ଆର୍ଥର ଥିଲେ ପାକ୍ ଦଳର କୋଚ୍ । ସେ ବିଦା ହେବା ପରେ ମିସବାଙ୍କୁ ଯେତେବେଳେ ପାକିସ୍ତାନ କ୍ରିକେଟ୍ ବୋର୍ଡ଼ ପ୍ରସ୍ତାବ ଦେଲା ପ୍ରଥମେ ଉଠିଲା ଦରମା କଥା । ମିସବା ଦାବି କଲେ ମିକିଙ୍କୁ ଯେତିକି ଅର୍ଥ ଦିଆଯାଉଥିଲା ମୋତେ ମଧ୍ୟ ସେତିକି ଦିଆଯାଉ । ହେଲେ ପିସିବି ଏଥରେ ରାଜି ହେଲା ନାହିଁ । ପୁଣି ମିସବା ଦାବି କଲେ ମୁଁ ଉଭୟ ପାକିସ୍ତାନ ଟିମ୍ ଓ ପିଏସ୍ଏଲ୍ ଟିମ୍ର କୋଚ୍ ରହିବି । ଏଥିରେ ମଧ୍ୟ ପିସିବି ସହମତ ହେଲା ନାହିଁ । କାରଣ ଏକ ଜାତୀୟ ଟିମ୍ର ଦାୟିତ୍ୱରେ ରହି ଅନ୍ୟ ଏକ ଘରୋଇ ଟିମ୍ର କୋଚ୍ ରହିବା ଉଚିତ ହେବ ନାହିଁ । ଅବଶ୍ୟ ଶେଷରେ ବୁଝାମଣା ହୋଇଯାଇଛି ଏବଂ ମିସବା ମାସକୁ ୧୮ ହଜାର ଡଲାର ନେବାକୁ ରାଜି ହୋଇଛନ୍ତି । ଯାହା ପାକିସ୍ତାନୀ ଟଙ୍କା ହିସାବରେ ହେଉଛି ୨୮ ଲକ୍ଷ ।
ଏବେ ଦେଖିବାର ଅଛି, ଜଣେ ଭଲ ଖେଳାଳି ଭାବେ ନାଁ କମେଇଥିବା ମିସବା ଉଲ୍ ହକି ପାକିସ୍ତାନ କ୍ରିକେଟ୍ ଟିମ୍କୁ କେତେ ଆଗକୁ ନେଇ ପାରୁଛନ୍ତି ।