ଦୁଇ ରାତି ଆଇସିୟୁରେ ଥିଲେ ମହମ୍ମଦ ରିଜଓ୍ଵାନ, ସେମିଫାଇନାଲରେ ଦେଖାଇଲେ ଦମ୍‌ଦାର ପ୍ରଦର୍ଶନ; ପାକିସ୍ତାନ ହାରିଯିବା ପରେ ସାମ୍ନାକୁ ଆସିଲା ଫଟୋ

ଟି-୨୦ ବିଶ୍ୱକପ୍‌ର ଦ୍ୱିତୀୟ ସେମିଫାଇନାଲ ପରେ ପାକିସ୍ତାନର ଓ୍ଵିକେଟ୍‌କିପର ତଥା ବ୍ୟାଟ୍ସମ୍ୟାନ ମହମ୍ମଦ ରିଜଓ୍ଵାନଙ୍କୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ମହମ୍ମଦ ରିଜଓ୍ଵାନ ଏକ ହସ୍ପିଟାଲର ଆଇସିୟୁ ବେଡ୍‌ରେ ଚିକିତ୍ସାରତ ଅବସ୍ଥାରେ ଶୋଇ ରହିଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଫଟୋକୁ ନେଇ ଦାବି କରାଯାଉଛି ଯେ ରିଜଓ୍ଵାନ୍‌ ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲ ମ୍ୟାଚ୍‌ ପୂର୍ବରୁ ଆଇସିୟୁରେ ଦୁଇ ରାତି ବିତାଇ ଥିଲେ। ଛାତିରେ ଗମ୍ଭୀର ସଂକ୍ରମଣ ଯୋଗୁ ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଥିଲା ବୋଲି ପାକିସ୍ତାନ ଟିମ୍‌ ମ୍ୟାନେଜମେଣ୍ଟ ଜଣାଇଛି। କହି ରଖୁଛୁ, ସେମିଫାଇନାଲ ମ୍ୟାଚରେ ପାକିସ୍ତାନ ୫ ଓ୍ଵିକେଟ୍‌ରେ ଅଷ୍ଟ୍ରେଲିଆ ଟିମ୍‌ଠାରୁ ହାରି ଯାଇଛି।

ତେବେ ମ୍ୟାଚ୍‌ରେ ଖାସ୍‌ କରି ରିଜଓ୍ଵାନଙ୍କ ଦମ୍‌ଦାର ପ୍ରଦର୍ଶନ ଚର୍ଚ୍ଚାର ବିଷୟ ପାଲଟିଥିଲା। କାହିଁକିନା, ଅସୁସ୍ଥତା ସତ୍ତ୍ୱେ ସେ ମ୍ୟାଚ୍‌ ଖେଳିବାକୁ ଆଗ୍ରହ ଦେଖାଇଥିଲେ। ପାକିସ୍ତାନ ପାଇଁ ଓପନିଙ୍ଗ୍‌ କରିବାକୁ ଯାଇ ରିଜଓ୍ଵାନ କଡ଼ା ମୁକାବିଲା ସହିତ ୫୨ ବଲ୍‌ରେ ୬୭ ରନ୍‌ର ସ୍କୋର କରିଥିଲେ। ରିଜଓ୍ଵାନଙ୍କ ଇନିଂସ୍‌ରେ ୪ ଛକା ଓ ୩ ଚଉକା ଥିଲା, ଯାହାକି ପାକିସ୍ତାନକୁ ୪ ଓ୍ଵିକେଟରେ ୧୭୬ ରନ୍‌ ବନାଇବାକୁ ଅନୁମତି ଦେଇଥିଲେ। ତେବେ ରିଜଓ୍ଵାନଙ୍କ ଛାତିରେ ସଂକ୍ରମଣ ହୋଇଥିବା ନେଇ ପ୍ରଥମେ ଅଷ୍ଟ୍ରେଲିଆର ପୂର୍ବତନ ଓପନର ତଥା ବର୍ତ୍ତମାନର ପାକିସ୍ତାନ ବ୍ୟାଟିଂ ପରାମର୍ଶଦାତା ମାଥ୍ୟୁ ହେଡେନ ନିଶ୍ଚିତ କରିଥିଲେ। ସେମିଫାଇନାଲ ମ୍ୟାଚ୍‌ ପରେ ଏକ ନ୍ୟୁଜ୍‌ ଚ୍ୟାନେଲ ସହ କଥାବାର୍ତ୍ତା ବେଳେ ହେଡେନ କହିଥିଲେ କି, ‘ସେ ଜଣେ ଯୋଦ୍ଧା। ଏହି ଅଭିଯାନରେ ବଢ଼ିଆ ପ୍ରଦର୍ଶନ କରିଛନ୍ତି। ସେ ଗମ୍ଭୀର ଛାତି ସଂକ୍ରମଣରେ ସଂଘର୍ଷ କରିଥିଲେ ଏବଂ ତାଙ୍କ ମଧ୍ୟରେ ବହୁତ ସାହସ ଅଛି’। ପରେ ପାକିସ୍ତାନ ଟିମ୍‌ର ଡାକ୍ତର ନଜିବ ସୋମରୁ ଏକ ପ୍ରେସ୍‌ କନ୍‌ଫେରେନ୍ସରେ ଖୁଲସା କରିଥିଲେ ଯେ ରିଜଓ୍ଵାନ ଛାତିରେ ସଂକ୍ରମଣ କାରଣରୁ ହସ୍ପିଟାଲ ଆଇସିୟୁରେ ଦୁଇ ଦିନ ବିତାଇଥିଲେ।

ସୂଚନା ରହିଛି କି, ମହମ୍ମଦ ରିଜଓ୍ଵାନଙ୍କୁ ୯ ନଭେମ୍ବରରେ ଛାତିରେ ଗମ୍ଭୀର ସଂକ୍ରମଣ ହୋଇଥିଲା। ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଠିକ୍‌ କରେଇବା ପାଇଁ ଆଇସିୟୁରେ ଦୁଇ ରାତି ରଖିବାକୁ ପଡ଼ିଥିଲା। ସେପଟେ ରିଜଓ୍ଵାନ ହସ୍ପିଟାଲ ବେଡ୍‌ରେ ଶୋଇଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର ଟ୍ଵିଟ୍‌ କରି ରିଜଓ୍ଵାନଙ୍କ ଲଢ଼େଇ ଭାବନାକୁ ପ୍ରଶଂସା କରିଛନ୍ତି। ନିଜ ଟ୍ଵିଟ୍‌ରେ ସୋଏବ ଲେଖିଛନ୍ତି କି, ‘କ’ଣ ଆପଣ କେବେ ବିଶ୍ୱାସ କରି ପାରିବେ ଯେ ଏହି ମଣିଷ ଆଜି ନିଜ ଦେଶ ପାଇଁ ଖେଳିଛି ଏବଂ ନିଜର ସର୍ବଶ୍ରେଷ୍ଠ ଦେଇଛି। ସେ ଗତ ଦୁଇଦିନ ହେବ ହସ୍ପିଟାଲରେ ଥିଲେ। ମହମ୍ମଦ ରିଜଓ୍ଵାନଙ୍କୁ ଶତ ଶତ ପ୍ରମାଣ’। ସୋଏବ, ରିଜଓ୍ଵାନଙ୍କ ଫଟୋ ସହିତ ଏହି ଟ୍ଵିଟ୍‌ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.