BCCIର ଐତିହାସିକ ଘୋଷଣା! ଉଭୟ ପୁରୁଷ ଓ ମହିଳା କ୍ରିକେଟରଙ୍କୁ ମିଳିବ ସମାନ ମ୍ୟାଚ୍‌ ଫି’

BCCI ଏକ ଐତିହାସିକ ଘୋଷଣା କରିଛି। ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ର ମ୍ୟାଚ୍‌ ଫି’କୁ ବର୍ତ୍ତମାନ ପୁରୁଷ କ୍ରିକେଟରଙ୍କ ବରାବର କରି ଦେଇଛି। BCCI ସଚିବ ଜୟ ଶାହ ଟ୍ଵିଟ୍‌ କରି ଏହି ବଡ଼ ଘୋଷଣା କରିଛନ୍ତି। ଜୟ ଶାହ କହିଛନ୍ତି କି, ଏବେଠାରୁ ମହିଳାମାନଙ୍କୁ ବି ପୁରୁଷଙ୍କ ସମାନ ମ୍ୟାଚ୍‌ ଫି’ ମିଳିବ। ଟେଷ୍ଟ କ୍ରିକେଟରେ ଏକ ମ୍ୟାଚ୍‌ ପାଇଁ ୧୫ ଲକ୍ଷ ଟଙ୍କା ମିଳିଥାଏ। ଯେତେବେଳେ କି, ଅନ୍ତର୍ଜାତୀୟ ଦିନିକିଆରେ ପୁରୁଷମାନଙ୍କୁ ଏକ ମ୍ୟାଚ୍‌ ପିଛା ୬ ଲକ୍ଷ ଟଙ୍କା ଦିଆଯାଇଥାଏ।

BCCI ସଚିବ ଜୟ ଶାହ ଟ୍ଵିଟ୍‌ରେ କହିଛନ୍ତି ଯେ ପୁରୁଷମାନଙ୍କୁ ଟି୨୦ ଅନ୍ତର୍ଜାତୀୟ କ୍ରିକେଟରେ ଗୋଟିଏ ମ୍ୟାଚ୍‌ ଖେଳିବା ପାଇଁ ୩ ଲକ୍ଷ ଟଙ୍କା ମିଳିଥାଏ। ଏବେ ଏହି ଫି’ ମହିଳା କ୍ରିକେଟରଙ୍କୁ ମଧ୍ୟ ମିଳିବ। ଏଥି ସହିତ ଏହି ନିଷ୍ପତ୍ତିକୁ ସପୋର୍ଟ କରି ଥିବାରୁ ଜୟ ଶାହ ଆପେକ୍ସ କାଉନସିଲ୍‌କୁ ବି ଧନ୍ୟବାଦ ଜଣାଇଛନ୍ତି।

ଜୟ ଶାହ ଲେଖିଛନ୍ତି, ‘ଭାରତୀୟ ମହିଳା କ୍ରିକେଟର ଟିମ୍‌କୁ ପୁରୁଷ ଟିମ୍‌ର ସମାନ ମ୍ୟାଚ୍‌ ଫି’ ପ୍ରଦାନ କରାଯିବ। ଟେଷ୍ଟ (୧୫ ଲକ୍ଷ), ଦିନିକିଆ (୬ ଲକ୍ଷ), ଟି୨୦ (୩ ଲକ୍ଷ) ମିଳିବ। ଆମ ମହିଳା କ୍ରିକେଟରମାନଙ୍କ ପାଇଁ ବେତନ ଇକ୍ୱିଟି ମୋର ପ୍ରତିବଦ୍ଧତା ଥିଲା ଏବଂ ମୁଁ ଆପେକ୍ସ କାଉନସିଲକୁ ତାଙ୍କ ସମର୍ଥନ ପାଇଁ ଧନ୍ୟବାଦ ଜଣାଉଛି’।

ଭାରତୀୟ ପୁରୁଷ ଟିମ୍‌ର ଖେଳାଳିମାନଙ୍କୁ ପ୍ରତି ଟେଷ୍ଟ୍‍ ମ୍ୟାଚ୍‌ ୧୫ ଲକ୍ଷ, ପ୍ରତି ଦିନିକିଆ ମ୍ୟାଚ୍‌ ପାଇଁ ୬ ଲକ୍ଷ ଏବଂ ଟି୨୦ ମୁକାବିଲା ପାଇଁ ୩ ଲକ୍ଷ ଟଙ୍କା ମ୍ୟାଚ୍‌ ଫି’ ମିଳିଥାଏ। ବୋର୍ଡର ଏହି ନିଷ୍ପତ୍ତି ପରେ ଏବେ ଅନୁବନ୍ଧିତ ମହିଳା ଟିମ୍‌ର ଖେଳାଳିମାନଙ୍କୁ ବି ଏତିକି ହିଁ ମ୍ୟାଚ୍‌ ଫି’ ମିଳିବ, ଯଦ୍ଦ୍ଵାରା ସେମାନଙ୍କ ବାର୍ଷିକ ଆୟ ଉପରେ ବହୁତ ଅଧିକ ପ୍ରଭାବ ପଡ଼ିବ।