ଜାତୀୟ କ୍ରୀଡା ପୁରସ୍କାର ପାଇଁ ନାଁ ସୁପାରିସ କଲେ ରାଜ୍ୟ ସରକାର

ଭୁବନେଶ୍ବର(କେନ୍ଯୁଜ୍): ଜାତୀୟ କ୍ରୀଡା ପୁରସ୍କାର ପାଇଁ ନାମ ସୁପାରିସ କରିଛନ୍ତି ରାଜ୍ୟ ସରକାର। ଦୂତିଙ୍କୁ ଖେଳରତ୍ନ, ବୀରେନ୍ଦ୍ରଙ୍କୁ ଅର୍ଜ୍ଜୁନ, ଅନୁରାଧାଙ୍କୁ ଧ୍ୟାନଚାନ୍ଦ ପୁରସ୍କାର ପାଇଁ ସୁପାରିସ କରାଯାଇଛି। ରାଜ୍ୟ ସରକାର ଦେଶର ଦ୍ରୁତତମା ଧାବିକା ଦୂତି ଚାନ୍ଦଙ୍କ ନାମ ଦେଶର ସର୍ବୋଚ୍ଚ କ୍ରୀଡା ପୁରସ୍କାର ରାଜବୀ ଗାନ୍ଧୀ ଖେଳରତ୍ନ ପୁରସ୍କାର ଲାଗି ସୁପାରିସ କରିଛନ୍ତି।

ଦୂତି ନିକଟରେ ୧୧.୧୭ ସେକେଣ୍ଡ ସମୟ ସହ ୧୦୦ ମିଟର ଦୌଡ଼ରେ ନିଜର ଜାତୀୟ ରେକର୍ଡ ଭାଙ୍ଗିଥିଲେ। ଗତବର୍ଷ ଦୂତି ଅର୍ଜ୍ଜୁନ ପୁରସ୍କାର ପାଇଥିଲେ। ଭାରତୀୟ ପୁରୁଷ ହକି ଦଳର ଡିଫେଣ୍ଡର ଓଡ଼ିଶାର ବୀରେନ୍ଦ୍ର ଲାକ୍ରାଙ୍କ ନାମ ଅର୍ଜ୍ଜୁନ ପୁରସ୍କାର ଲାଗି ରାଜ୍ୟ ସରକାର ସୁପାରିସ କରିଛନ୍ତି। ବୀରେନ୍ଦ୍ର ୨୦୧୪ ଏସୀୟ କ୍ରୀଡାରେ ସ୍ୱର୍ଣ୍ଣ,୨୦୧୮ ଏସୀୟ କ୍ରୀଡାରେ କାଂସ୍ୟ, ୨୦୧୩ ଏସିଆ କପ୍‌ରେ ରୌପ୍ୟ ଜିତିଛନ୍ତି। ନାମୀ ହର୍ଡଲର ଅନୁରାଧା ବିଶ୍ୱାଳଙ୍କ ନାମ ଧ୍ୟାନଚାନ୍ଦ ପୁରସ୍କାର ଲାଗି ସୁପାରିସ କରାଯାଇଛି। ଅଲିମ୍ପିଆନ୍‌ ମହିଳା ୧୦୦ ମିଟର ହର୍ଡଲ୍‌ସରେ ୨୦୦୦ ଜାକର୍ତ୍ତା ଅଲିମ୍ପିକ୍ସରେ ବ୍ରୋଞ୍ଜ ଓ ୨୦୦୦ ଦକ୍ଷିଣ -ଏସୀୟ କ୍ରୀଡାରେ ସ୍ୱର୍ଣ୍ଣପଦକ ଜିତିଥିଲେ।

୪୬ ବର୍ଷ ବୟସ୍କା ଅନୁରାଧାଙ୍କ ନାମରେ ଏବେ ମଧ୍ୟ ମହିଳା ୧୦୦ ମିଟର ହର୍ଡଲସ ଜାତୀୟ ରେକର୍ଡ ରହିଛି। ଓଡ଼ିଶାର ବରିଷ୍ଠ ହକି ପ୍ରଶିକ୍ଷକ କାଳୁଚରଣ ଚୌଧୁରୀଙ୍କ ନାମ ଶ୍ରେଷ୍ଠ ପ୍ରଶିକ୍ଷକ ଭାବେ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଲାଗି ସୁପାରିସ କରାଯାଇଛି। ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ଲାଗି ରାଜ୍ୟ ସରକାର କିଟ୍‌ ବିଶ୍ୱ ବିଦ୍ୟାଳୟର ନାମ ୨ଥର ସୁପାରିସ କରିଛନ୍ତି। ଓମଏସି ନାମ ମଧ୍ୟ ସୁପାରିସ କରିଛନ୍ତି ସରକାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.