ଭିଭୋ ହଟିବା ପରେ IPL 2020 ସ୍ପନସରସିପ୍ ଦୌଡରେ ପତଞ୍ଜଳୀ, ଇଚ୍ଛା କରୁଛନ୍ତି ବାବା ରାମଦେବ

ଇଣ୍ଡିଆନ ପ୍ରିମିଅର ଲିଗ (IPL) ଟାଇଟଲ ସ୍ପୋନସରସିପରୁ ଭିଭୋ ହଟିଯିବା ପରେ ଏବେ ସ୍ପନସରସିପ୍ ପାଇଁ ସ୍ୱଦେଶୀ କମ୍ପାନୀ ଲମ୍ବା ଲାଇନ ଲଗାଇଛନ୍ତି। ଭିଭୋ ହଟିଯିବା ପରେ ଏବେ ଯୋଗଗୁରୁ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳୀ ଆଇପିଏଲ ଟାଇଟଲ ସ୍ପନସରସିପ୍ ପାଇଁ ଅଣ୍ଟା ଭିଡିଛି।
ପତଞ୍ଜଳୀର ପ୍ରବକ୍ତା ତିଜାରାବାଲା କହିଛନ୍ତି, ଚଳିତବର୍ଷ ଆମେ ଆଇପିଏଲ୍ ସ୍ପୋନସରସିପ୍ ପାଇଁ ଚିନ୍ତା କରୁଛୁ। ପତଞ୍ଜଳୀ ବ୍ରାଣ୍ଡକୁ ଏବେ ସମଗ୍ର ବିଶ୍ୱରେ ବେଶ୍ ପରିଚିତ କରିବା ପାଇଁ ଆଇପିଏଲ୍ ସବୁଠାରୁ ଭଲ ସୁଯୋଗ। ଏଥିପାଇଁ ଆମେ ବିସିସିଆଇ ପାଖକରୁ ଏକ ପ୍ରସ୍ତାବ ପଠାଇବାକୁ ପ୍ରସ୍ତୁତ କରୁଛୁ।
ଚଳିତବର୍ଷ ଆଇପିଏଲ୍ ୟୁଏଇରେ ଅନୁଷ୍ଠିତ ହେବାକୁ ଯାଉଛି। ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଥିବା ମ୍ୟାଚ ଦେଖିବାକୁ ଷ୍ଟାଡିଅମରେ ଦର୍ଶକ ନଥିବେ। କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ମିଡିଆରେ ଅସଂଖ୍ୟ ବିଜ୍ଞାପନ ମିଳିବ। ଏପର୍ଯ୍ୟନ୍ତ କୌଣସି ଟେଣ୍ଡର ଜାରି କରାଯାଇନାହିଁ। ଭିଭୋ ହଟିବା ପରେ ଆଇପିଏଲ୍ର ପ୍ରୟୋଜକ ହେବା ପାଇଁ ବାୟୁଜୁ, ଆମାଜନ, ରିଲାଏନ୍ସ ଜିଓ, ଫାଣ୍ଟାସି ସ୍ପୋର୍ଟସ ଭଳି କମ୍ପାନୀ ଦୌଡରେ ସାମିଲ ହୋଇଛି।