ଥରୁର-ଗମ୍ଭୀର କଥା କଟାକଟି ପରେ ନିଜେ ମୁହଁ ଖୋଲିଲେ ସଞ୍ଜୁ ସାମସନ, ସାକ୍ଷାତ୍କାରରେ ଧୋନିଙ୍କ ବିଷୟରେ କହିଲେ ଏମିତି କିଛି…

ଚଳିତ ଥର ଆଇପିଏଲ ସିଜିନରେ ରାଜସ୍ଥାନ ରୟାଲ୍ସ ଟିମର ବ୍ୟାଟ୍ସମ୍ୟାନ ତଥା ବ୍ଵିକେଟ କିପର ସଞ୍ଜୁ ସାମସନଙ୍କୁ ନେଇ ଚର୍ଚ୍ଚା ବେଶ ଜୋର ଧରିଛି । ତାଙ୍କ ଚମତ୍କାର ବ୍ୟାଟିଂକୁ ଲକ୍ଷ କରି ଶଶୀ ଥରୁର ତାଙ୍କୁ ଆଗାମୀ ଦିନର ମହେନ୍ଦ୍ର ସିଂହ ଧୋନିର ଆଖ୍ୟା ଦେଇଥିବା ବେଳେ ଶଶୀଙ୍କ ଏହି ବକ୍ତବ୍ୟକୁ ତୀବ୍ର ବିରୋଧ କରିଥିଲେ ପୂର୍ବତନ ଖେଳାଳି ଗୌତମ ଗମ୍ଭୀର । ଗମ୍ଭୀରଙ୍କ ଅନୁଯାୟୀ ପ୍ରତିଟି ଖେଳାଳି ନିଜର ଏକ ସ୍ୱତନ୍ତ୍ର ପରିଚୟ ନିଜେ ହିଁ ସୃଷ୍ଟି କରନ୍ତି, ସମସ୍ତଙ୍କରେ ନିଜର ଏକ ସ୍ୱତନ୍ତ୍ର ଖେଳ ଶୈଳୀ ରହିଛି । କାହାକୁ ବି କାହା ସହିତ ତୁଳନା କରିବା ଉଚିତ ନୁହେଁ । ସଂଜୁ ଆଗକୁ ସଂଜୁ ସମସାନ ଭାବେ ହିଁ ନାଁ କରିବେ ।ଏପରି ଏକ ବାଦ ବିବାଦ ପରେ ଏବେ ମୁହଁ ଖୋଲିଛନ୍ତି ନିଜେ ସଂଜୁ ସମସାନ । ମଙ୍ଗଳବାର ଏକ ସାକ୍ଷାତ୍କାର ସମୟରେ ସେ କହିଛନ୍ତିକି, ଭାରତୀୟ ଦଳର ପୂର୍ବ କ୍ୟାପଟେନ ମହେନ୍ଦ୍ର ସିଂ ଧୋନିଙ୍କ ପରି କେହି ବି ଖେଳି ପାରିବେ ନାହିଁ ।

ଏମିତିକି ଧୋନିଙ୍କ ପରି ଖେଳିବା ପାଇଁ କେହି ବି ଚେଷ୍ଟା କରିବା ଉଚିତ ନୁହେଁ ବୋଲି ସଞ୍ଜୁ କହିଛନ୍ତି । ଧୋନିଙ୍କ ପରି ଜଣେ କିମ୍ବଦନ୍ତୀ ଖେଳାଳିଙ୍କ ପରି ଖେଳିବା ଆଦୌ ସହଜ ନୁହେଁ । ୨୫ ବର୍ଷୀୟ ସମସାନ ଏହା ମଧ୍ୟ କହିଛନ୍ତି- ଧୋନିଙ୍କ ଖେଳଶୈଳୀ ଖୁବ ସ୍ୱତନ୍ତ୍ର । ପଡିଆକୁ ଓଲ୍ହାଇଲେ ଦଳକୁ କେମିତି ଏକ ଭିନ୍ନ ଶକ୍ତି ମିଳିଥାଏ । ସେ କେବେ ବି ତାଙ୍କ ଭଳି ଖେଳିବା ନେଇ ଚିନ୍ତା କରିପାରିବେ ନାହିଁ । କହିରଖିବା ଉଚିତ ହେବକି, ଚେନ୍ନାଇ ସୁପର କିଙ୍ଗସ ଓ କିଙ୍ଗସ ଇଲେଭେନ ପଞ୍ଜାବ ବିରୋଧରେ ଦୁଇଟି ବଡ ଇନିଙ୍ଗସ ଖେଳି ସମସାନ ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ନିଭେଇଥିଲେ ।ତାଙ୍କର ଏହି ସଫଲତା ପରେ କେରଳର କଂଗ୍ରେସ ସାଂସଦ ଶଶୀ ଥରୁର ତାଙ୍କୁ ଭବିଷ୍ୟତର ଧୋନି ଭାବେ ଆଖ୍ୟା ଦେଇଥିଲେ ।