ଅଷ୍ଟ୍ରେଲିଆ କ୍ରିକେଟର ଶନ୍ ମାର୍ସ କ୍ରିକେଟ୍ରୁ ନେଲେ ସନ୍ନ୍ୟାସ
ଅଷ୍ଟ୍ରେଲିଆ କ୍ରିକେଟର ଶନ୍ ମାର୍ସ କ୍ରିକେଟର ସମସ୍ତ ଫର୍ମାଟ୍ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ଜାନୁୟାରୀ ୧୩ ଅର୍ଥାତ୍ ଗତକାଲି ମେଲବର୍ଣ୍ଣ ରେନେଗେଡ୍ସ ପାଇଁ ମାର୍ସ ନିଜର ଶେଷ ମ୍ୟାଚ୍ ଖେଳିଥିଲେ ।

ଅଷ୍ଟ୍ରେଲିଆ କ୍ରିକେଟର ଶନ୍ ମାର୍ସ କ୍ରିକେଟର ସମସ୍ତ ଫର୍ମାଟ୍ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ଜାନୁୟାରୀ ୧୩ ଅର୍ଥାତ୍ ଗତକାଲି ମେଲବର୍ଣ୍ଣ ରେନେଗେଡ୍ସ ପାଇଁ ମାର୍ସ ନିଜର ଶେଷ ମ୍ୟାଚ୍ ଖେଳିଥିଲେ । ମେଲବର୍ଣ୍ଣ ଷ୍ଟାର୍ସ ବିପକ୍ଷ ମ୍ୟାଚ୍ରେ ସେ ୬୪ ରନ୍ ବିଶିଷ୍ଟ ବିଜୟ ଇନିଂସ୍ ଖେଳିଥିଲେ ।
ଅବଶ୍ୟ, ରେନେଗେଡ୍ସ ଟିମ୍ ମ୍ୟାଚ୍ ବିଜୟୀ ହେବା ସତ୍ତ୍ୱେ ବିଗ୍ ବାସ୍ ଲିଗ୍ (ବିବିଏଲ୍)ର ପ୍ଲେଅଫ୍ରେ ପହଞ୍ଚିପାରି ନ ଥିଲା । ମାର୍ସ ଆଇପିଏଲ୍ର ପ୍ରଥମ ସିଜନ (୨୦୦୮)ରେ ଧୁମ୍ ମଚାଇଥିଲେ । ଏହି ସିଜନରେ ସେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ପାଇଁ ୬୧୬ ରନ୍ କରିଥିଲେ ଏବଂ ଅରେଞ୍ଜ୍ କ୍ୟାପ୍ ଜିତିଥିଲେ ।
ଆଇପିଏଲ୍ରେ ଧମାଲ କରିବା ପରେ ଅଷ୍ଟ୍ରେଲିଆ ଟିମ୍ରେ ମାର୍ସଙ୍କୁ ମଉକା ମିଳିଥିଲା । ସେହି ବର୍ଷ ସେ ୱେଷ୍ଟଇଣ୍ଡିଜ୍ ଗସ୍ତରେ ନିଜର ଦିନିକିଆ ଏବଂ ଟି୨୦ ଡେବ୍ୟୁ କରିଥିଲେ । ୪୦ ବର୍ଷୀୟ ମାର୍ସ ଅଷ୍ଟ୍ରେଲିଆ ପାଇଁ ୩୮ଟି ଟେଷ୍ଟ, ୭୩ଟି ଦିନିକିଆ ଏବଂ ୧୫ଟି ଟି୨୦ ମ୍ୟାଚ୍ ଖେଳିଛନ୍ତି ।
ଶନ୍ ମାର୍ସ ଟେଷ୍ଟ୍ ମ୍ୟାଚ୍ରେ ମୋଟ ୨୨୬୫ ରନ୍ ସଂଗ୍ରହ କରିଛନ୍ତି । ସେହିପରି ଦିନିକିଆ ଅନ୍ତର୍ଜାତୀୟରେ ୪୦.୭୭ ଆଭରେଜ୍ରେ ୨୭୭୩ ରନ୍ ସଂଗ୍ରହ କରିଥିବା ବେଳେ ଟି୨୦ରେ ୨୫୫ ରନ୍ ସଂଗ୍ରହ କରିଛନ୍ତି । ମାର୍ସ ଅନ୍ତର୍ଜାତୀୟ କ୍ରିକେଟରେ ମୋଟ ୧୩ଟି ଶତକ ହାସଲ କରିଛନ୍ତି ।