ଆଜି ଚେନ୍ନାଇରେ ବସିବ ଆଇପିଏଲ୍‌ ହାଟ, ସାମିଲ ହେବେ ୨୯୨ ଖେଳାଳି

ଚେନ୍ନାଇ: ଆଜି ଚେନ୍ନାଇରେ ବସିବ ଆଇପିଏଲ୍‌ ହାଟ । ୮ ଜଣ ଫ୍ରାଞ୍ଚାଇଜ୍‌ ସେମାନଙ୍କ ଖେଳାଳିଙ୍କୁ ଚୟନ କରିବେ । ଚଳିତବର୍ଷ ୨୯୨ ଜଣ ଖେଳାଳି ନିଲାମରେ ସାମିଲ ହେବେ । ତାଲିକାରେ ୧୬୪ ଭାରତୀୟ ଓ ୧୨୫ ବିଦେଶୀ ଖେଳାଳି ରହିଛନ୍ତି । ତେବେ ସମସ୍ତଙ୍କ ନଜର ରହିଛି ମାକ୍ସେଓ୍ଵଲଙ୍କ ଉପରେ ।

ଏପଟେ ଚେନ୍ନାଇ ସୁପରକିଙ୍ଗସ୍‌ରେ ଧୋନୀ ଖେଳିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଧୋନୀ ନଖେଳିଲେ ତାଙ୍କ ସ୍ଥାନରେ ଖେଳିବ କିଏ ? ଚେନ୍ନାଇ ସୁପରକିଙ୍ଗସ୍‌ର ଅଧିନାୟକ କାହାକୁ କରାଯିବ ? ରାଜସ୍ଥାନ ରୟାଲ୍ସ ଷ୍ଟିଭ୍‌ ସ୍ମିଥ୍‌ଙ୍କୁ ରିଲିଜ୍‌ କରିଥିବା ବେଳେ ତାଙ୍କୁ ଚେନ୍ନାଇ ସୁପର କିଙ୍ଗସ୍‌ କିଣିପାରେ । ତାଙ୍କୁ ଦଳ ଅଧିନାୟକ କରିବାକୁ ଯୋଜନା କରିଛି । ଅକ୍ସନ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ୍‌ ଏକାଧିକ ଖେଳାଳିଙ୍କୁ ରିଲିଜ କରିଥିବା ବେଳେ ଦଳକୁ ଫେରିଛନ୍ତି ସୁରେଶ ରାଇନା । ୨ କୋଟିର ବେସ୍‌ ପ୍ରାଇସ୍‌ ଥିବା ମୋଇନ୍‌ ଅଲ୍ଲୀଙ୍କୁ ଚେନ୍ନାଇ କିମ୍ବା ପଞ୍ଜାବ କିଣିପାରେ । ସେହିପରି କୋଲକାତା ନାଇଟ୍‌ ରାଇଡର୍ସ ରସେଲ୍‌ ଓ ନାରାଏନ୍‌ଙ୍କୁ ରିଲିଜ୍‌ କରିଛି । ତାଙ୍କ ସ୍ଥାନରେ କାହାକୁ ନିଆଯିବ ତା ଉପରେ ନଜର ରହିବ ।

ଭାରତୀୟ ଖେଳାଳି ହରଭଜନ ସିଂ ଓ ବ୍ୟାଟସମ୍ୟାନ୍‌ କେଦାର ଯାଦବ ୨ କୋଟି ବେସ୍‌ ପ୍ରାଇସ ବର୍ଗରେ ଅଛନ୍ତି । ହରଭଜନ ସିଂଙ୍କୁ କିଙ୍ଗସ୍‌ ଇଲ୍ଲେଭେନ୍‌ ପଞ୍ଜାବ କିଣିପାରେ । ଦେଢ଼ କୋଟି ବେସ ପ୍ରାଇସରେ ୧୨ ଜଣ ଖେଳାଳି ଅଛନ୍ତି । ଚଳିତ ଆଇପିଏଲ୍‌ ନିଲାମରେ ସାମିଲ ହେବେ ଲିଜେଣ୍ଡାରୀ କ୍ରିକେଟର ସଚିନ୍‌ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର । ତାଙ୍କ ବେସ୍‌ ପ୍ରାଇସ୍‌ ରହିଛି ୨୦ ଲକ୍ଷ ଟଙ୍କା । ଭାରତୀୟ ଖେଳାଳିଙ୍କ ମଧ୍ୟରେ ଅଛନ୍ତି ଦୁଇ ଓଡ଼ିଆ । ବ୍ୟାଟସମ୍ୟାନ ଶୁଭ୍ରାଂଶୁ ସେନାପତି ଓ ଅଲରାଉଣ୍ଡର ଗୋବିନ୍ଦ ପୋଦ୍ଦାର ନିଲାମ ହାଟରେ ଭାଗ ନେବେ । ଉଭୟଙ୍କ ମୂଳ ନିଲାମ ମୂଲ୍ୟ ୨୦ ଲକ୍ଷ ଟଙ୍କା ରଖାଯାଇଛି । କେଉଁ ଟିମ୍‌ ଏହି ଦୁଇ ଓଡ଼ିଆ ଖେଳାଳିଙ୍କୁ କିଣୁଛି ତାହା ଉପରେ ନଜର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.