ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଉମେଶ ଯାଦବଙ୍କ ବାପାଙ୍କର ଦେହାନ୍ତ; ଦୀର୍ଘ ଦିନରୁ ଥିଲେ ଅସୁସ୍ଥ

ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଉମେଶ ଯାଦବଙ୍କ ବାପାଙ୍କର ଦେହାନ୍ତ ହୋଇଯାଇଛି। ଉମେଶଙ୍କ ବାପା ତିଲକ ଯାଦବ ନିଜର ଯୁବାବସ୍ଥାରେ ଜଣେ ନାମୀ ପହିଲମାନ ଥିଲେ।

ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଉମେଶ ଯାଦବଙ୍କୁ ନେଇ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଉମେଶଙ୍କ ବାପା ତିଲକ ଯାଦବଙ୍କର ୭୪ ବର୍ଷ ବୟସରେ ନିଧନ ହୋଇଯାଇଛି। ସେ ଗତ କିଛି ମାସ ଧରି ରୋଗାକ୍ରାନ୍ତ ଥିଲେ। ନାଗପୁରସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ ତିଲକଙ୍କୁ ଘରକୁ ଅଣାଯାଇଥିଲା, ହେଲେ ଏଠାରେ ବୁଧବାର ସନ୍ଧ୍ୟାରେ ତାଙ୍କର ଦେହାନ୍ତ ହୋଇଛି।

ତିଲକ ଯାଦବ ନିଜର ଯୁବାବସ୍ଥାରେ ଜଣେ ନାମୀ ପହିଲମାନ ଥିଲେ। ସେ ଉତ୍ତର ପ୍ରଦେଶର ପଡରୌନା ଜିଲ୍ଲାର ପୋକରଭିଣ୍ଡା ଗାଁରେ ରହୁଥିଲେ। ଏହାପରେ େଓ୍ଵଷ୍ଟର୍ଣ୍ଣ କୋଲ୍‌ ଫିଲ୍ଡସ୍‌ରେ ଚାକିରି କାରଣରୁ ସେ ନାଗପୁର ଜିଲ୍ଲାର ଖାପରଖେଡ଼ାରେ ପରିବାର ସହିତ ରହିବାକୁ ଲାଗିଥିଲେ। ତିଲକଙ୍କର ୩ ପୁଅ କମଲେଶ, ଉମେଶ ଓ ରମେଶଙ୍କ ସହ ଜଣେ ଝିଅ ମଧ୍ୟ ଅଛନ୍ତି। ନାଗପୁର ଜିଲ୍ଲାର କୋଲାର ନଦୀଘାଟରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି।

କହି ରଖୁଛୁ, ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଉମେଶ ଯାଦବ ବର୍ଡର-ଗାଭାସ୍କର ସିରିଜ୍‌ ଖେଳୁଛନ୍ତି। କିନ୍ତୁ ତୃତୀୟ ଟେଷ୍ଟ୍‍ ମ୍ୟାଚ୍‌ ପୂର୍ବରୁ ତାଙ୍କ ବାପା ତିଲକ ଯାଦବଙ୍କର ନିଧନ ହୋଇଛି। ରିପୋର୍ଟ ଅନୁସାରେ, ଉମେଶ ନାଗପୁର ଫେରିବେ। ଏମିତିରେ ସେ ବର୍ଡର-ଗାଭାସ୍କର ସିରିଜ୍‌ର ଅଂଶ ରହିବାର ଆଉ ସମ୍ଭାବନା ନାହିଁ। ସେ ବହୁତ ଜଲ୍‌ଦି ସ୍କ୍ଵାଡ୍‌ରୁ ବାହାରି ପାରନ୍ତି।