ବଦଳିଲା ୩ ଡେପୁଟି ମେୟର ନିର୍ବାଚନ ତାରିଖ, ଜାଣନ୍ତୁ କେବେ ଓ କଣ ରହିଛି ନୂଆ ନିୟମ

ଭୁବନେଶ୍ୱର(କେନ୍ୟୁଜ୍): ବଦଳିଲା ୩ ଡେପୁଟି  ମେୟର ନିର୍ବାଚନ ତାରିଖ। ଆସନ୍ତା ୭ ତାରିଖରେ ହେବ ୧୦୫ ପୌର ଉପାଧ୍ୟକ୍ଷ ଉପନିର୍ବାଚନ। ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ ପୂର୍ବ ବିଜ୍ଞପ୍ତି ଅନୁଯାୟୀ ୧୦୫ ପୌର ଉପାଧ୍ୟକ୍ଷ ନିର୍ବାଚନ ଚଳିତ ମାସ ୭ରେ ହେବାକୁ ଥିବାବେଳେ ୩ ମହାନଗର ନିଗମର ଡେପୁଟି ମେୟର ନିର୍ବାଚନ ୮ରେ ହୋଇଥାନ୍ତା।

ମାତ୍ର ନିର୍ବାଚନ ଆୟୋଗଙ୍କ ନୂତନ ନିର୍ଦ୍ଦେଶନାମା ଅନୁଯାୟୀ ଡେପୁଟି ନିର୍ବାଚନ ତାରିଖରେ ପରିବର୍ତ୍ତନ କରାଯାଇଛି। ଆସନ୍ତା ଏପ୍ରିଲ ୭, ୮ ଓ ୯ରେ ତିନି ମହାନଗର ନିଗମର ଡେପୁଟି ମେୟର ନିର୍ବାଚନ ଅନୁଷ୍ଠିତ ହେବ। ପୌରସଂସ୍ଥାର ଉପାଧ୍ୟକ୍ଷ ପଦବି ପାଇଁ ଏପ୍ରିଲ ୭ତାରିଖ ସକାଳ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନପତ୍ର ଦାଖଲ, ୧୧ଟାରୁ ୧୨ଟା ସୁଦ୍ଧା ନାମାଙ୍କନପତ୍ର ଯାଞ୍ଚ, ଦିନ ୧ଟା ପୂର୍ବରୁ ପ୍ରାର୍ଥିପତ୍ର ପ୍ରତ୍ୟାହାର, ୧ଟା ୩୦ରୁ ୩ଟା ୩୦ ମଧ୍ୟରେ ଭୋଟ୍ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ମତଦାନ, ମତଦାନ ପରେପରେ ଭୋଟ୍‌ ଗଣତି ‌କରି ନିର୍ବାଚନ ଫଳାଫଳ ଘୋଷଣା କରାଯିବ।

ସେହିପରି ତିନିଟି ମହାନଗର ନିଗମର ଡେପୁଟି ମେୟର ପଦବି ନିମନ୍ତେ ଏପ୍ରିଲ ୭, ୮ ଓ ୯ରେ ନିର୍ବାଚନ ଅନୁଷ୍ଠିତ ହେବ। କଟକ ମହାନଗର ନିଗମର ଡେପୁଟି ମେୟର ନିର୍ବାଚନ ୭ରେ, ବ୍ରହ୍ମପୁର ମହାନଗରରେ ୮ରେ ଏବଂ ଭୁବନେଶ୍ବର ମହାନଗର ନିଗମରେ ଏପ୍ରିଲ ୯ରେ ନିର୍ବାଚନ ହେବ। ରାଜ୍ୟ ପୌର ପ୍ରଶାସନର ନିର୍ଦ୍ଦେଶକଙ୍କୁ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ପୌରସଂସ୍ଥାର ଉପାଧ୍ୟକ୍ଷ ପାଇଁ ଯେଉଁ ସମୟ ସୂଚୀ ଧାର୍ଯ୍ୟ ହୋଇଛି ସେହି ଅନୁଯାୟୀ ଡେପୁଟି ମେୟର ନିର୍ବାଚନ ହେବ ବୋଲି ରାଜ୍ୟ ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

ଅନ୍ଯପଟେ ସରକାରଙ୍କ ନୂତନ ନିୟମ ଅନୁସାରେ ପୌରସଂସ୍ଥା ଉପାଧ୍ୟକ୍ଷ ଓ ମହାନଗର ନିଗମ ଡେପୁଟି ମେୟର ପଦବି ନିର୍ବାଚନ ପାଇଁ ପ୍ରତ୍ୟେକ ରାଜନୈତିକ ଦଳ ତାଙ୍କ ଦଳ ତରଫରୁ ଜଣେ ପ୍ରାଧିକୃତ ପ୍ରତିନିଧିଙ୍କୁ ନିଯୁକ୍ତ କରିବେ ଓ ସଂପୃକ୍ତ ଦଳର ସଭ୍ୟମାନେ ଉପାଧ୍ୟକ୍ଷ/ଡେପୁଟି ମେୟର ନିର୍ବାଚନରେ ଭୋଟ୍‌ ଦେଇ ସେହି ଦଳର ପ୍ରାଧିକୃତ ପ୍ରତିନିଧିଙ୍କୁ ଦେଖାଇ ଭୋଟ୍‌ ବାକ୍ସରେ ପକାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.