ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଙ୍କ ମନମୁଖୀ ଶାସନ, ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ

ଶିକ୍ଷା ବ୍ୟବସ୍ଥାକୁ ସରକାର ଯେତେ ସୁଧାରିବାକୁ ଚେଷ୍ଟା କଲେ ବି ଶିକ୍ଷକଙ୍କ ମନମାନିରେ ଭୁଶୁଡିପଡୁଛି ସରକାରଙ୍କ ଶିକ୍ଷା ବ୍ୟବସ୍ଥା । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବେଗୁନିଆ ବ୍ଲକ ଗୋବିନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଏଠିକାର ଶିକ୍ଷକଙ୍କ କାର୍ଯ୍ୟକଳାପ ବଖାଣୁଛନ୍ତି ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀ ।

ବେଗୁନିଆ (କେନ୍ୟୁଜ): ଶିକ୍ଷା ବ୍ୟବସ୍ଥାକୁ ସରକାର ଯେତେ ସୁଧାରିବାକୁ ଚେଷ୍ଟା କଲେ ବି ଶିକ୍ଷକଙ୍କ ମନମାନିରେ ଭୁଶୁଡିପଡୁଛି ସରକାରଙ୍କ ଶିକ୍ଷା ବ୍ୟବସ୍ଥା । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବେଗୁନିଆ ବ୍ଲକ ଗୋବିନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଏଠିକାର ଶିକ୍ଷକଙ୍କ କାର୍ଯ୍ୟକଳାପ ବଖାଣୁଛନ୍ତି ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀ । ଅଭିଭାବକ ଏବଂ ସ୍ଥାନୀୟ ସରପଞ୍ଚ ମଧ୍ୟ ଏନେଇ ବାରମ୍ବାର ଅଭିଯୋଗ କରିଛନ୍ତି । କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା କହିଲେ ମଧ୍ୟ ଶିକ୍ଷକଙ୍କ ଖାତିର ନାହିଁ ।

ଏଠି ମୂଳରୁ ହିଁ ଅବ୍ୟବସ୍ଥା । ସମୟ ଆସି ସାଢେ ଦଶଟା ବାଜିଲାଣି ପିଲା ଆସି ସ୍ଵତଃ ପ୍ରାର୍ଥନା କରୁଛନ୍ତି ହେଲେ ହଲିଦୋହଲି ଆସୁଛନ୍ତି ଶିକ୍ଷକ । ପିଲାମାନଙ୍କ ପ୍ରାର୍ଥନା ସଭାରେ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହେଉନାହାନ୍ତି । ଖାଲି ସେତିକି ନୁହେଁ କୁନିକୁନି ପିଲାମାନଙ୍କୁ କାମରେ ମଧ୍ୟ ଲଗାଇଛନ୍ତି । ଶ୍ରେଣୀଗୃହ ବାହାର ଝାଡୁ କରିବା ସହିତ ଅଳିଆ ବୋହିବା କାମରେ ନିୟୋଜିତ କରାଉଛନ୍ତି ଆଉ ତାଙ୍କ କଥା ନ ଶୁଣିଲେ ବାଉଁଶ ପାଞ୍ଚଣରେ ହେଉଛି ମାଡ ।

ତେବେ ଏହିପରି ଭାବେ ବିଦ୍ୟାଳୟରେ ସମୟ ଅତିବାହିତ ହୋଇ ଦିନ ସାଢେ ଏଗାର, ବାରଟା ପର୍ଯ୍ୟନ୍ତ ଏପରି କାର୍ଯ୍ୟ ଚାଲୁଥିବା ବେଳେ ତଥାପି ଅନେକ ଶିକ୍ଷକ ଅନୁପସ୍ଥିତ ରୁହନ୍ତି । ଦେଖନ୍ତୁ ଦିନ ବାରଟା ପରର ଦୃଶ୍ୟ । ଶିକ୍ଷକ ନାହାଁନ୍ତି ଆଉ ପିଲାମାନେ କରୁଛନ୍ତି ଖଟି । ପୁଣି ମଧ୍ୟାହ୍ନ ଭୋଜନ କଥା ଶୁଣନ୍ତୁ କ’ଣ କହୁଛନ୍ତି ଖୋଦ୍ ଛାତ୍ରଛାତ୍ରୀ । ଶୁଣିଲେ ଆପଣଙ୍କର ଉଡିଯିବ ହୋସ୍ । ପୋକ ମିଶା ଭାତକୁ ଜିରା ବୋଲି ଭାବି ଖାଇଦେବାକୁ ବାଧ୍ୟ କରୁଛନ୍ତି ଶିକ୍ଷକ ।

ରେସିଓ ଅନୁଯାୟୀ ଶିକ୍ଷକ ମଧ୍ୟ ଯୋଗାଇ ଦେଇଛନ୍ତି ହେଲେ ଶିକ୍ଷକ ଏଠାକୁ ପାଳି କରି ଆସୁଥିବା ଅଭିଯୋଗ ହୋଇଛି । ପଞ୍ଚମ ଶ୍ରେଣୀର ପିଲାମାନଙ୍କୁ ଏଠି ଅକ୍ଷର ଏବଂ ସଂଖ୍ୟା ଜ୍ଞାନ ଜଣା ନଥିବା ଅଭିଯୋଗ ମଧ୍ୟ ହୋଇଛି । ପାଣିଟାଙ୍କି ଅଛି ହେଲେ କାର୍ଯ୍ୟକାରୀ କରାଯାଉନାହିଁ । ବିଦ୍ୟାଳୟର ପରିବେଶ ମଧ୍ୟ ଅତ୍ୟନ୍ତ ଅପରିଷ୍କାର । ତେବେ ଏସବୁ ଅନେକ ଅବ୍ୟବସ୍ଥା ନେଇ ଅଭିଭାବକ ଏବଂ ସ୍ଥାନୀୟ ସରପଞ୍ଚ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଛନ୍ତି ।

ବ୍ଲକ ଶିକ୍ଷା ଅଧିକାରୀଙ୍କ ମତାମତ ଅନୁଯାୟୀ ଏ ନେଇ ପୂର୍ବରୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶୋ-କଜ ନୋଟିସ ହୋଇଛି ଆଉ ଏବେ ପୁଣି ତାଗିଦ କରାଯିବ । ବେଗୁନିଆ ବ୍ଲକର ଏହି ଗୋବିନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ଶ୍ରେଣୀରେ ପଢନ୍ତି ୯୦ଜଣ ଛାତ୍ରଛାତ୍ରୀ । ସରକାର ମଧ୍ୟ ବିଦ୍ୟାଳୟରେ ଏଲଇଡି ସହିତ ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇ ଦେଇଛନ୍ତି ହେଲେ ଶିକ୍ଷକଙ୍କ ମନମୁଖୀ ଶାସନ ଯୋଗୁଁ ପିଲାମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.