ଭୁବନେଶ୍ୱର ଜାତୀୟ ରାଜପଥରେ ଅଟକିଲା ଶହଶହ ଗାଡ଼ି, ଯାନବାହନ ବନ୍ଦ ଯୋଗୁଁ ହଟହଟା ଲୋକେ

ଭୁବନେଶ୍ୱର (କେନ୍ୟୁଜ): ଆଜି ଭାରତ ବନ୍ଦ । ବନ୍ଦ ଡାକରା ଦେଇଛନ୍ତି ଚାଷୀ ସଂଗଠନ । ଦୋକାନ ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। କର୍ମୀମାନେ ପିକେଟିଂ କରି ଗାଡି ଚଳାଚଳ ବନ୍ଦ କରିବା ସହ ରେଳରୋକ କରିଛନ୍ତି। ଭୁବନେଶ୍ୱର ଜାତୀୟ ରାଜପଥରେ ଶହ ଶହ ଗାଡିମୋଟର ଅଟକି ରହିଥିଲା । ରାସ୍ତାର ଉଭୟ ପଟେ ଟ୍ରକ ଓ କାର୍‌ ଅଟକି ରହିବା ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ରାଜଧାନୀବାସୀ ଗାଡି ମୋଟର ବନ୍ଦ ଯୋଗୁଁ ଲୋକଙ୍କୁ ହଟହଟା ହେବାକୁ ପଡ଼ିଥିଲା ।

OSRTC ବସ୍‌ ଚଳାଚଳ ମଧ୍ୟ ବନ୍ଦ ରହିଛି। ଦିନ ତିନିଟା ପରେ ବସ ଚଳାଚଳ କରିବ । ପରିସ୍ଥିତିକୁ ଦୃଷ୍ଟିରେ ରଖି ଟ୍ଵିନ୍‌ସିଟିରେ ୨୮ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି। ବିବାଦୀୟ ତିନି କୃଷି ଆଇନକୁ ନେଇ ୧୦ ମାସ ହେଲା ଜାରି ରହିଛି ଚାଷୀ ଆନ୍ଦୋଳନ। ଗତ ବର୍ଷ ସଂସଦରେ ବିଲ୍‌ ପାସ ହୋଇଥିଲା । ସେପ୍ଟେମ୍ବର ୨୭ରେ ମିଳିଥିଲା ରାଷ୍ଟ୍ରପତିଙ୍କ ଅନୁମୋଦନ। ତାର ବର୍ଷ ପୂର୍ତ୍ତିରେ ସଂଯୁକ୍ତ କୃଷକ ମୋର୍ଚ୍ଚା ଭାରତ ବନ୍ଦ ଡାକରା ଦେଇଛି । ବିଭିନ୍ନ ସ୍ଥାନରେ ଦୋକାନବଜାର ବନ୍ଦ ରହିଛି । ଷ୍ଟେସନରେ ରେଳ ରୋକ କରିଛନ୍ତି ଆନ୍ଦୋଳନକାରୀ ।

ସକାଳ ଛଅରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି। କଂଗ୍ରେସ, ବାମଦଳ, ଆପ୍‌, ୱାଇଏସ୍‌ଆର କଂଗ୍ରେସ, ଡିଏମ୍‌କେ, ଟିଡିପି, ବିଏସ୍‌ପି, ଆରଜେଡି, ଆଦି ଦଳ ଚାଷୀଙ୍କ ବନ୍ଦକୁ ସମର୍ଥନ କରିଛନ୍ତି। ବନ୍ଦକୁ The All India Bank Officers’ Confederation, ବିଭିନ୍ନ ଶ୍ରମିକ ଓ ଛାତ୍ର ସଂଗଠନର ସମର୍ଥନ ରହିଛି। ବନ୍ଦ ଡାକରାରୁ ଅତ୍ୟାବଶ୍ୟକ ସେବାକୁ ବାଦ୍‌ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.