ଖୁବଶୀଘ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ! ଅଣ୍ଟା ଭିଡିଲେଣି ନେତା; ଓବିସି ବର୍ଗକୁ ମିଳିପାରେ ଅଧିକ ପ୍ରତିନିଧିତ୍ୱ

ଭୁବନେଶ୍ୱର (କେନ୍ୟୁଜ) : ଆସନ୍ତା ସପ୍ତାହ କିମ୍ବା ମେ’ ପ୍ରଥମ ସପ୍ତାହରେ ବଦଳିପାରେ ରାଜ୍ୟ ମନ୍ତ୍ରିମଣ୍ଡଳର ଚେହେରା। ମନ୍ତ୍ରିମଣ୍ଡଳ ଅଦଳବଦଳକୁ ନେଇ ପାୱାର କରିଡରରେ ଜୋରଦାର ଚର୍ଚ୍ଚା। କିଏ ଯିବେ ଓ ଆଉ କିଏ ଆସିବେ ତାହାକୁ ନେଇ ଆରମ୍ଭ ହେଲାଣି ଅଙ୍କକଷା। ୨୦୨୪ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ଧରଣର ଅଦଳବଦଳ କରି ଭିନ୍ନ ବାର୍ତ୍ତା ଦେବେ ବୋଲି କୁହାଯାଉଛି ।

କେଉଁ କେଉଁ ମାପଦଣ୍ଡକୁ ଆଧାର କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରିମଣ୍ଡଳ ଅଦଳବଦଳ କରିବେ ତାକୁ ନେଇ ଚାଲିଲାଣି ଆଲୋଚନା । ସଂପ୍ରସାରଣରେ ମନ୍ତ୍ରୀଙ୍କ ପାରଦର୍ଶିତାକୁ ଅଧିକ ଗୁରୁତ୍ୱ ଦିଆଯିବ । ଏଥର ମନ୍ତ୍ରିମଣ୍ଡଳ ଅଦଳବଦଳରେ ମହିଳାଙ୍କ ଭାଗିଦାରୀ ବଢ଼ିପାରେ । ଓବିସି ବର୍ଗକୁ ମିଳିପାରେ ଅଧିକ ପ୍ରତିନିଧିତ୍ୱ। ୨୦୧୯ରେ ଯେଉଁ ଜିଲ୍ଲାଗୁଡ଼ିକ ଭାଗରେ ମନ୍ତ୍ରୀ ପଦ ପଡ଼ିନଥିଲା ସେହି ଜିଲ୍ଲାଗୁଡ଼ିକୁ ମଧ୍ୟ ମନ୍ତ୍ରୀ ପଦ ମିଳିପାରେ । କେନ୍ଦ୍ରାପଡ଼ାକୁ ମିଳିପାରେ ମନ୍ତ୍ରୀ ପଦ । ସେହିପରି ଉପକୂଳ ଓ ପଶ୍ଚିମଓଡ଼ିଶା ମଧ୍ୟରେ ସମାନତା ରଖିବାକୁ ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରିମଣ୍ଡଳରେ ପ୍ରୟାସ କରିପାରନ୍ତି । ଆଗକୁ ମନ୍ତ୍ରିମଣ୍ଡଳରୁ କେଉଁମାନେ ବାଦ୍‌ ପଡ଼ିବେ ଓ ଆଉ କେଉଁମାନେ ସାମିଲ ହେବେ ତାକୁ ନେଇ ଚର୍ଚ୍ଚା ଜାରି ରହିଛି। ନବୀନଙ୍କ ପାଖରେ ମନ୍ତ୍ରିମଣ୍ଡଳ ଅଦଳବଦଳ ପାଇଁ ମୁଖ୍ୟତଃ ଦୁଇଟି ବିକଳ୍ପ ରହିଛି। ଏକାଥରେ ୬ରୁ ୭ ମନ୍ତ୍ରୀଙ୍କୁ ବିଦା କରି ସେମାନଙ୍କ ବଦଳରେ ନୂଆ ମୁହଁକୁ ସାମିଲ କରିପାରନ୍ତି । କିମ୍ବା ଗୁଜରାଟ, ଆନ୍ଧ୍ର ଭଳି ସବୁ ମନ୍ତ୍ରୀଙ୍କୁ ଇସ୍ତଫା ନେଇ କିଛି ପୁରୁଣା ମୁହଁକୁ ଫେରାଇ ଆଣିପାରନ୍ତି।

ପୂର୍ବ ଚାରୋଟି ଯାକ କାର୍ଯ୍ୟକାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଢ଼େଇ ବର୍ଷ କିମ୍ବା ୩ ବର୍ଷ ମଧ୍ୟରେ ଅଦଳବଦଳ କରିଥିଲେ । ସେଦୃଷ୍ଟିରୁ ମନ୍ତ୍ରିମଣ୍ଡଳ ଅଦଳବଦଳର ସମୟ ଏବେ ପାଖେଇ ଆସିଲାଣି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୭ରେ ମନ୍ତ୍ରିମଣ୍ଡଳ ଅଦଳବଦଳ କରିଥିଲେ ନବୀନ । ଏକାଥରକେ ୧୦ଜଣ ମନ୍ତ୍ରୀ ବିଦା ହୋଇଥିଲେ । କାରଣ ସେତେବେଳେ ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡିର ଭଲ ପ୍ରଦର୍ଶନ କରିନଥିଲା। ଏଥର କିନ୍ତୁ ଭିନ୍ନ ଚିତ୍ର । ପଞ୍ଚାୟତ ଓ ପୌର ନିର୍ବାଚନରେ ଏକପାଖିଆ ବିଜୟ ଲାଭ କରିଛି ବିଜେଡି। ତେଣୁ ଆଗକୁ କିଏ ଯିବେ ଆଉ କିଏ ଆସିବେ ତାକୁ ନେଇ ନାନା ଅଙ୍କକଷୁଛନ୍ତି ନେତା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.