କଳାହାଣ୍ଡି: ଆମପାଣି ରାଜସ୍ୱ ନିରୀକ୍ଷକ ଲାଞ୍ଚ ନେଉଥିବାର ଭିଡିଓ ଭାଇରାଲ୍, ରାଜ୍ୟ ସରକାରଙ୍କ ୫ଟି ଓ ‘ମୋ ସରକାର’କୁ ଖୁଲମଖୁଲା ଚାଲେଞ୍ଜ

କଳାହାଣ୍ଡି: ସରକାର ଦୁର୍ନୀତି ମୁକ୍ତ ବ୍ଯବସ୍ଥା ପାଇଁ ଅନେକ ପଦକ୍ଷପ ଗ୍ରହଣ କରୁଛନ୍ତି । ଏଥିପାଇଁ ଅନେକ ସରକାରୀ ଅଧିକାରୀଙ୍କୁ ଗୁରୁ ଦାୟିତ୍ବ ମଧ୍ଯ ଦିଆଯାଇଛି। ହେଲେ କେଉଁଠି ନା କେଉଁଠି କିଛି ଦୁର୍ନୀତିଗସ୍ତ କର୍ମଚାରୀ ନିଜର କଳା କାରନାମା ଜାରି ରଖିଛନ୍ତି । ଏମିତି ଏକ ଘଟଣା ସାମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଳାରୁ । ଯେଉଁଠି ରାଜ୍ୟ ସରକାରଙ୍କ ୫ଟି କିମ୍ବା ‘ମୋ ସରକାର’ କୁ ଖାତିର କରୁନାହାଁନ୍ତି କର୍ମଚାରୀ । ବିଭିନ୍ନ ଯୋଜନାରେ ଚାଲିଛି ଦୁର୍ନୀତି ଏପରିକି ଖୋଲା ଖୋଲି ଲାଞ୍ଚ ନେଉଛନ୍ତି ରାଜସ୍ୱ ବିଭାଗ କର୍ମଚାରୀ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଜିଲ୍ଲାର କୋକସରା ତହସିଲ ଅନ୍ତର୍ଗତ ଆମପାଣି ରାଜସ୍ଵ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ।
ଏଠାରେ କାର୍ଯ୍ୟରତ ରାଜସ୍ଵ ନିରୀକ୍ଷକ ଅମରକାନ୍ତ ମଙ୍ଗରାଜ ଲୋକଙ୍କ ଜମିର ମାଲିକାନା ପରିବର୍ତ୍ତନ କରିବା ପାଇଁ ଟଙ୍କା ଲାଞ୍ଚ ନେଉଥିବାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଜଣେ ଗରିବ ଲୋକ ଜମିର ମ୍ୟୁଟେସନ୍ ପାଇଁ କହିଲା ପରେ ସଂପୃକ୍ତ ରାଜସ୍ବ ନିରୀକ୍ଷକ ୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଟଙ୍କା ଦେଲେ ୫/ ୭ ଦିନରେ କାମ ସରିବ ବୋଲି କହିଥିଲେ। ଏହାସହ ନଦେଲେ କାମକୁ ଅଟକାଇ ଦେବି ବୋଲି ଧମକ ଦେଉଥିବା ଭିଡିଓରେ ଶୁଣିବାକୁ ମିଳିଛି ।
ଅନ୍ୟପଟେ ଆଉ ଜଣେ ଗରୀବ ଲୋକ ୫ଶହ ଟଙ୍କା ଲାଞ୍ଚ ଦେଉଥିବା ବେଳେ ସଂପୃକ୍ତ କର୍ମଚାରୀ ଜଣକ ଆହୁରି ଟଙ୍କା ମାଗୁଥିବା ଭିଡିଓରୁ ଜଣାପଡୁଛି । ରାଜସ୍ବ ନିରୀକ୍ଷକ ଲାଞ୍ଚ ନେଉଥିବା ଭିଡିଓ ଭାଇରାଲ ହେବା ପରେ କଳାହାଣ୍ଡି ରାଜସ୍ବ ବିଭାଗର ଅସଲ ଗୁମର ଖୋଲିଛି । ଏଥିପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି ।