କୋରେଇ ଟ୍ରେନ୍‌ ଦୁର୍ଘଟଣାରେ ଆଖି ବୁଜିଲେ ମା’ ଝିଅ, ଅଳ୍ପକେ ବର୍ତ୍ତିଗଲା ଅଢ଼େଇ ମାସର ଶିଶୁ

ଯାଜପୁର ରୋଡ୍(କେନ୍ୟୁଜ୍): ମାଲବାହୀ ଟ୍ରେନ୍‌ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି ପାଇଛି। ସମସ୍ତ ୩ ଜଣ ମୃତକ ମହିଳା। ତେବେ କେମିତି ହେଲା ଦୁର୍ଘଟଣା ? କେଉଁ ପରିସ୍ଥିତିରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌ ? ଟ୍ରେନରେ ତ୍ରୁଟି ନା ଟ୍ରାକରେ ଥିଲା ତ୍ରୁଟି ? ପ୍ଲାଟଫର୍ମରେ କେତେ ଲୋକ ଥିଲେ ? ଦୁର୍ଘଟଣାର କାରଣ ଖୋଜା ଚାଲିଛି । ଏହାରି ଭିତରେ ଏକ ଦୁଃଖଦ ଖବର ମିଳିଛି । ଏହି ମର୍ମନ୍ତୁଦ ମାଲବାହୀ ଟ୍ରେନ୍‌ ଦୁର୍ଘଟଣା ଗୋଟିଏ ପରିବାରକୁ ପୁରା ଛାରଖାର କରିଦେଇଛି।

ମିଳିଥିବା ସୂଚନା ମୁତାବକ, ଏହି ଦୁର୍ଘଟଣାରେ  ଜଣେ ମହିଳା ଓ ତାଙ୍କ ଝିଅଙ୍କ ମୃତ୍ୟୁ ହୋଇଛି । ତେବେ କାଖରେ ଥିବା ତାଙ୍କ ଅଢ଼େଇ ମାସର ନାତୁଣୀ ବଞ୍ଚି ଯାଇଥିବା ଜଣେ ବ୍ଯକ୍ତି ସୂଚନା ଦେଇଛନ୍ତି। ମୃତା ମହିଳାଦ୍ୱୟ ହେଉଛନ୍ତି ପାର୍ବତୀ ବିନ୍ଧାଣି ଓ ତାଙ୍କ ଝିଅ କଣ୍ଢେଇ ବିନ୍ଧାଣି।

ଯାହା ଜଣାପଡିଛି  ଆଜି ସକାଳୁ ଏମାନେ କଟକ ବଡ଼ ମେଡିକାଲ ଯିବା ପାଇଁ  ଟ୍ରେନ୍‌ କୁ ଅପେକ୍ଷା କରିଥିଲେ । କିନ୍ତୁ କିଏ ଜାଣି ଥିଲା ଯେ ସେମାନଙ୍କୁ ମୃତ୍ୟୁ ଅନାଇ ବସିଛି। କଣ୍ଢେଇଙ୍କ ପେଟରେ ଟ୍ୟୁମର ହୋଇଥିବାରୁ ଏମଆରଆଇ କରିବାକୁ ନିଜ ମା’ଙ୍କ ସହ କଟକ ବଡ଼ ମେଡିକାଲ ବାହାରିଥିଲେ। ହେଲେ  ଦ୍ରୁତ ଗତିରେ ମାଡ଼ି ଆସୁଥିବା ଟ୍ରେନଟି ଆଖି ପିଛୁଳାକେ ସେମାନଙ୍କ ଉପରେ ମାଡି ଯାଇଥିଲା।
jajpur train
ତୁରନ୍ତ ସେମାନଙ୍କୁ କୋରେଇ ହସ୍ପିଟାଲ ପଠାଯାଇଥିବା ବେଳେ ସେଠାରେ ଡାକ୍ତର ପାର୍ବତୀଙ୍କୁ ମୃତ ଘୋଷଣା କରିଥିଲେ। ସେଠାରୁ ଗୁରୁତର ଅବସ୍ଥାରେ କଣ୍ଡେଇଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁର୍ଘଟଣାରେ କଣ୍ଡେଇଙ୍କ ଅଢ଼େଇ ମାସର ଝିଅ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ଅନ୍ଯପଟେ ଏହି ଟ୍ରେନ୍‌ ଦୁର୍ଘଟଣାରେ ୨ ମହିଳାଙ୍କ ସମେତ ଆଉ ଜଣେ ମହିଳାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି। ତାଙ୍କ ନାମ ଅବଜୁଲ ବିବି ବୋଲି ଜଣାପଡିଛି।
ଏହି ଘଟଣା ପରେ ମୃତକଙ୍କ ପରିବାରକୁ ରେଳବାଇ ପକ୍ଷରୁ ମିଳିବ ୫ ଲକ୍ଷ ଟଙ୍କା। ରେଲେଓ୍ଵ ପକ୍ଷରୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା ହୋଇଛି। ଗୁରୁତର ଆହତଙ୍କୁ ମିଳିବ ଏକ ଲକ୍ଷ ଟଙ୍କାର ସହାୟତା। ସାମାନ୍ୟ ଆହତଙ୍କୁ ମିଳିବ ୨୫ ହଜାର ଟଙ୍କା ସହାୟତା ରାଶି ଦିଆଯିବ ବୋଲି ସୂଚନା ଦେଇଛନ୍ତି ଇଷ୍ଟକୋଷ୍ଟ ରେଲେଓ୍ଵ ଚିଫ୍‌ ପିଆରଓ।
ଏପଟେ ଏହି ଦୁର୍ଘଟଣା ପରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି । ଏଥିସହ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ଵିତ କରିବା ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ଘଟଣାସ୍ଥଳକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.