କଳିଙ୍ଗରେ ସରିଲା ହକି ମହାକୁମ୍ଭ : ସଫଳ ଆୟୋଜନ ନେଇ ଚାରିଆଡୁ ଓଡ଼ିଶାକୁ ଭୂୟସୀ ପ୍ରଶଂସା,ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

କ୍ରୀଡ଼ା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଆଉ ଏକ ସ୍ୱର୍ଣ୍ଣିମ ସଫଳତା । ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ଓଡ଼ିଶାକୁ ମିଳିଛି ସ୍ୱତନ୍ତ୍ର ସ୍ଥାନ । ବିଶ୍ୱ ସ୍ତରରେ ଭୂୟସୀ ପ୍ରଶଂସା । ଏସିଆନ ଆଥଲେଟିକ୍ସ ମିଟ୍‌ ପରେ ହକି ବିଶ୍ୱକପ୍‌ ଆୟୋଜନ ନେଇ ସାରା ବିଶ୍ୱରେ କ୍ରୀଡା ହବ୍‌ ଭାବେ ପରିଚୟ ପାଇଛି ଭୁବନେଶ୍ୱର । ହକି ବିଶ୍ୱକପ୍‌ ଆୟୋଜନ ରାଜ୍ୟ ସରକାରଙ୍କ ପାଇଁ ଥିଲା ବଡ଼ ଆହ୍ଵାନ । ଏଥିପାଇଁ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଚଳାଇଥିଲେ ପ୍ରସ୍ତୁତି କାର୍ଯ୍ୟ । ବର୍ଷକରୁ କମ୍‌ ସମୟ ମଧ୍ୟରେ କଳିଙ୍ଗ ଷ୍ଟାଡିୟମକୁ ବିଶ୍ୱସ୍ତରୀୟ ଷ୍ଟାଡିୟମରେ ପରିଣତ କରାଯାଇଥିଲା । ଷ୍ଟାଡିିୟମରେ ୧୫ ହଜାର ଦର୍ଶକ ମ୍ୟାଚ ଦେଖିବା ପାଇଁ ହୋଇଥିଲା ବ୍ୟବସ୍ଥା । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ମଧ୍ୟରେ ସୁ ସମନ୍ଵୟ ଯୋଗୁ ହକି ବିଶ୍ୱକପ ଆୟୋଜନ ସଫଳ ହୋଇପାରିଛି । ଏହା ପଛରେ ରାଜ୍ୟର କିଛି ବ୍ୟୁରୋକ୍ରାଟ୍ସଙ୍କ ହାତ ମଧ୍ୟ ରହିଛି। ସିଏମଓ ଅଫିସ ସବୁବେଳେ ହକି ବିଶ୍ୱକପ ଆୟୋଜନର ତଦାରଖ କରିଆସୁଥିଲେ ।

CAPTAINS WITH SAHRUKH AND NAVEENହକି ପୁରୁଷ ବିଶ୍ୱକପ୍‌ ଆୟୋଜନ କରି ବିଶ୍ୱ ମାନଚିତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଓଡ଼ିଶା । ଚାରିଆଡୁ ମିଳୁଛି ସାବାସୀ । ବିଶ୍ୱସ୍ତରୀୟ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟ୍ଵିଟ୍‌ କରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଫଳ ଆୟୋଜନ ପାଇଁ ରାଜ୍ୟ ସରକାର ଏବଂ ଓଡ଼ିଶା ସରକାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଖେଳାଳିଙ୍କୁ ଦିଆଯାଇଥିବା ଆତିଥେୟତାକୁ ବି ପ୍ରଶଂସା କରିଛନ୍ତି । ହକି ବିଶ୍ୱକପକୁ ସଫଳ କରିବା ପାଇଁ ପରିଶ୍ରମ କରିଥିବା ପ୍ରତିଟି ବ୍ୟକ୍ତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ୧୯ ଦିନ ପାଇଁ ଭୁବନେଶ୍ୱର ପାଲଟିଥିଲା ହକି ଗାଁ । ଦେଶ ବିଦେଶର ଫ୍ୟାନ୍‌ ଆସିଥିଲେ ଏଠାକୁ । ଗଲା ବେଳେ ସମସ୍ତେ ଆୟୋଜନକୁ ଭୂରି ଭୂରି ପ୍ରଶଂସା କରିଛନ୍ତି ।

SACHIN-NAVINଚାମ୍ପିଅନ୍‌ ବେଲଜିୟମ୍‌ର ସବୁଦିନ ପାଇଁ ମନେ ରହିବ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ । ଟ୍ଵିଟ୍‌ କରି ଦଳ ଲେଖିଛି, ଏହା ହେଉଛି ଶ୍ରେଷ୍ଠ ଆୟୋଜନ ଓ ସବୁଠୁ ପ୍ରଭାବଶାଳୀ ବିଶ୍ୱକପ୍‌ । ଅଭୁତପୂର୍ବ ସମର୍ଥନ ପାଇଁ ଭାରତ, ଓଡ଼ିଶା ସମେତ ଭୁବନେଶ୍ୱରବାସୀଙ୍କୁ ଧନ୍ୟବାଦ ଦେଇଛି ରେଡ୍‌ ଲାୟନ୍ସ ଟିମ୍‌ । ସେହିପରି ବିଶ୍ୱକପ ହକି ଟୁର୍ଣ୍ଣାମେଣ୍ଟରେ ରାଜ୍ୟ ସରକାରଙ୍କ ଆୟୋଜନ ଓ ଆତିଥ୍ୟକୁ ପ୍ରଶଂସା କରିଛନ୍ତି ଅଲମ୍ପିକର ସ୍ୱର୍ଣ୍ଣ ପଦକ ବିଜେତା ଇଂଲଣ୍ଡର ସାମନ୍ଥା କ୍ୱେକ । ଭୁବନେଶ୍ୱରରେ ତିନି ସପ୍ତାହ ରହଣି ଭିତରେ ସ୍ୱଦେଶ ଫେରିଛନ୍ତି । ଗଲାବେଳେ ଟ୍ଵିଟ୍‌ କରିଛନ୍ତି ଯେ, ବିଶ୍ୱକପ୍‌କୁ ଆସିବା ପୂର୍ବରୁ ଆଡଭାଇଜରୀ ଦେଖି ସେ ଆଶଙ୍କିତ ଥିଲେ । କିନ୍ତୁ ସତ କହିବାକୁ ଗଲେ, ଭୁବନେଶ୍ୱରରେ ପହଞ୍ଚିବା ପରେ ସବୁ ଭୟ ଦୂର ହୋଇଗଲା । ଭାରତୀୟ ଭାରି ଉଦାର ଓ ସାହାଯ୍ୟକାରୀ ବୋଲି ସାମନ୍ଥା କ୍ୱେକ କହିଛନ୍ତି । ସେହିପରି ଉଦଯାପନୀ ଉତ୍ସବରେ ଯୋଗ ଦେଇ ହକି ବିଶ୍ୱକପ୍‌ ଆୟୋଜନକୁ ବି ପ୍ରଶଂସା କରିଥିଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ସୁରକ୍ଷାଠୁ ଆରମ୍ଭ କରି ଆତିଥ୍ୟ କେଉଁଥିରେ ବି ଉଣା ନଥିଲା ।

hockey world cupଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରୁ ସାରା ବିଶ୍ୱ ଦେଖିଲା ହକିର ମହାକୁମ୍ଭ । ଯୁବପୀଢ଼ିଙ୍କ ପାଇଁ ହକି ବିଶ୍ୱକପ୍‌ ଅଧିକ ଲୋକପ୍ରିୟ ହୋଇପାରିଛି । ଉଦଘାଟନୀ ଭଳି ଉଦଯାପନୀ ଉତ୍ସବ ବି ରଙ୍ଗାରଙ୍ଗ ଥିଲା । ଶାହାରୁଖ, ସଲମାନ, ମାଧୁରୀଙ୍କ ଭଳି ସେଲିବ୍ରିଟିଙ୍କ ସମେତ ଅନେକ କ୍ରୀଡ଼ା ପ୍ରତିଭା ଆସିଥିଲେ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍‌କୁ । ଏହି ମେଗା ଇଭେଣ୍ଟରେ ଯୋଗ ଦେଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ବିଶ୍ୱକପ୍‌ର ଭବ୍ୟ ଆୟୋଜନ ମନ୍ତ୍ରମୁଗ୍ଧ କରିଥିଲା । ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତେ ଦେଇଛନ୍ତି ସଫଳତାର ଶ୍ରେୟ । ପ୍ରଥମ ବିଶ୍ୱକପ୍‌ ଆୟୋଜନ କରି ସମସ୍ତଙ୍କ ମନ ଜିଣିନେଲା ଭୁବନେଶ୍ୱର ଓ କଳିଙ୍ଗ ଷ୍ଟାଡିୟମ୍‌ ।

hockeyମୁଖ୍ୟମନ୍ତ୍ରୀଙ୍କୁ ବାଦ୍‌ ଦେଲେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଦୁଇ ବରିଷ୍ଠ ଅଧିକାରୀ ଭି.କାର୍ତ୍ତିକେୟନ ପାଣ୍ଡିଆନ ଓ ରାଜେଶ ବର୍ମାଙ୍କ ଭୂମିକା ଥିଲା ବେଶ ଗୁରୁତ୍ୱପୂର୍ଣ୍ଣ। ସେହିପରି ମୁଖ୍ୟ ଶାସନ ସଚିବ ନିୟମିତ ଭାବେ ସଚିବାଳୟରେ ହକି ବିଶ୍ୱକପ୍‌ ଆୟୋଜନର ସମୀକ୍ଷା କରୁଥିଲେ। ବୈଠକ ପରେ ବୈଠକରେ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରି ବିଭିନ୍ନ ବିଭାଗ ମଧ୍ୟରେ ଉତ୍ତମ ସମନ୍ଵୟରେ ପ୍ରମୁଖ ଭୂମିକା ନିଭାଇଥିଲେ । ସେହିପରି ସଫଳତା ପଛରେ ରାଜ୍ୟ କ୍ରୀଡ଼ା ବିଭାଗର ଭୂମିକା ମଧ୍ୟ ଅତ୍ୟନ୍ତ ପ୍ରଶଂସନୀୟ। କ୍ରୀଡ଼ା ସଚିବ ବିଶାଳ ଦେବ, କ୍ରୀଡା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣାଙ୍କ ଅକ୍ଲାନ୍ତ ପରିଶ୍ରମ ହକି ବିଶ୍ୱକପ୍‌ ଆୟୋଜନକୁ ସଫଳତା ଦେଇଛି ବୋଲି କୁହାଯାଉଛି।

ଏହାବାଦ୍‌ ଷ୍ଟାଡିୟମ ଭିତ୍ତିଭୂମି ଠାରୁ ଆରମ୍ଭ କରି ସ୍ପୋର୍ଟ୍ସ କମ୍ପେକ୍ଲସ ତିଆରି କରିବା ପର୍ଯ୍ୟନ୍ତ ଇଡକୋ ସିଏମଡି ସଂଜୟ ସିଂହଙ୍କ ଭୂମିକା ମଧ୍ୟ ରହିଥିଲା। ସେହିପରି ହକି ବିଶ୍ୱକପ୍‌ ପୂର୍ବରୁ ଭୁବନେଶ୍ୱରକୁ ସବୁଜ ସୁନ୍ଦର କରିବା ପଛରେ ବିଡିଏ ଓ ବିଏମସି ପକ୍ଷରୁ ନିଆଯାଇଥିଲା ଅନେକ ପଦକ୍ଷେପ । ରାସ୍ତାଘାଟକୁ ଚକାଚକ କରାଯିବା ସହ ପାଚେରୀରେ ଅଙ୍କାଯାଇଥିଲା ନାନା ଚିତ୍ର ଓ ଚରିତ୍ର । ମୋ ବସ ଠାରୁ ଆରମ୍ଭ ସିଟି ଫେଷ୍ଟ ଭଳି ସାଂସ୍କୃତିକ କାର‌୍ୟ୍ୟକ୍ରମ ହକି ବିଶ୍ୱକପ୍‌ ସମୟରେ ଅଲଗା ମାହୋଲ ସୃଷ୍ଟି କରିଥିଲା। ଏ ସମସ୍ତ କାର‌୍ୟ୍ୟ ପାଇଁ ବିଏମସି କମିଶନର କିଷନ କୁମାର ଓ ମେୟର ଅନନ୍ତ ନାରାୟଣ ଜେନାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.