ଲିଭ-ଇନ ପରେ ଜନ୍ମ ହେଲା ଝିଅ, ଏବେ ପ୍ରେମିକକୁ ଛାଡ଼ି ଅନ୍ୟ ଜାଗାରେ ବାହା ହେବାକୁ ତୟାର ପ୍ରେମିକା; ନ୍ୟାୟ ପାଇଁ ହାଇକୋର୍ଟରେ ପହଞ୍ଚିଲେ ଯୁବକ

କଟକ : ୪ ବର୍ଷର ଲିଭ ଇନ ରିଲେସନସିପରେ ରହିବା ଭିତରେ କନ୍ୟା ସନ୍ତାନ ଜନ୍ମ ହୋଇଥିଲା, କିନ୍ତୁ ଏବେ ମା ଛୁଆକୁ ଆପଣାଇବାକୁ ନାରାଜ, ଏମିତିକି ପ୍ରେମିକକୁ ମଧ୍ୟ ମିଥ୍ୟା ଅଭିଯୋଗରେ ଫସାଇବାକୁ ଧମକ ଦେଉଛି, ଏନେଇ ସମ୍ପୃକ୍ତ ପ୍ରେମିକଙ୍କ ଅଭିଯୋଗ ଆଧାରରେ ୧୦ ଦିନ ମଧ୍ୟରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭୁବନେଶ୍ୱର ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଦୁଇ ବର୍ଷର କନ୍ୟା ସନ୍ତାନ ଏବେ କେଉଁଠି ତାହାର କିଛି ଖୋଜ ଖବର ନ ଥିବା ବେଳେ ଭୁବନେଶ୍ୱର ଡିସିପି ଅଦାଲତଙ୍କ ନିର୍ଦ୍ଦେଶନାମା ପାଇବାର ୧୦ ଦିନ ମଧ୍ୟରେ ଏ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁସାରେ, ସମ୍ପୃକ୍ତ ପ୍ରେମିକ ପ୍ରେମିକା ରାଜ୍ୟ ବାହାରେ ଲିଭ ଇନ ରିଲେସନରେ ରହୁଥିଲେ। ଏହି ସମୟରେ ସେମାନଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ଓଡ଼ିଶା ଫେରିବା ପରେ ପ୍ରେମିକା ପ୍ରେମିକ ପାଖରେ ଛୁଆକୁ ଛାଡି ଦେଇ ଅନ୍ୟତ୍ର ବିବାହ ପାଇଁ ଯୋଜନା କରିଥିଲା। ଏହା ସହ ପ୍ରେମିକ ନାମରେ ଭୁବନେଶ୍ୱର ମହିଳା ଥାନାରେ ମିଥ୍ୟା ମକଦ୍ଦମା ଦାୟର କରିଥିଲା।

ଅନ୍ୟପଟରେ ପ୍ରେମିକ ପ୍ରକୃତ ଘଟଣା ସମ୍ପର୍କରେ ଥାନାରେ ଜଣାଇଥିଲେ ମଧ୍ୟ କୌଣସି ଥାନା ତାଙ୍କର ଅଭିଯୋଗ ଗ୍ରହଣ କରି ନ ଥିଲେ। ଏଥିସହ ନିଜ ଦୁଇ ବର୍ଷର ଝିଅ କେଉଁଠି ସେ ସମ୍ପର୍କରେ ମଧ୍ୟ ସେ ଜାଣି ପାରି ନ ଥିଲେ। ଏଣୁ ନ୍ୟାୟ ପାଇଁ ପ୍ରେମିକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ସଂପୃକ୍ତ ଯୁବକଙ୍କ ଅଭିଯୋଗ ଆଧାରରେ ତୁରନ୍ତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭୁବନେଶ୍ୱର ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ମକଦ୍ଦମା ପରିଚାଳନା କରୁଥିଲେ।

Also Read: ସଲ୍‌ମାନ ଖାନଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚିଥିଲା ଲରେନ୍‌ସ ବିଷ୍ଣୋଇ, ସ୍ୱୀକାର କଲା ଦୋଷ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.