ଅସୁରକ୍ଷିତ ଅଲିଭ ରିଡ଼ଲେ, ଏନ୍ତୁଡ଼ିଶାଳ ଗହୀରମଥା ପାଲଟିଛି ମଶାଣି ଭୂଇଁ

ଅସୁରକ୍ଷିତ ଅଲିଭ ରିଡ଼ଲେ, ଏନ୍ତୁଡ଼ିଶାଳ ଗହୀରମଥା ପାଲଟିଛି ମଶାଣି ଭୂଇଁ । ମାତୃତ୍ଵ ଲାଭ କରିବା ପୂର୍ବରୁ ଲିଭି ଯାଉଛି ଜୀବନ ଦୀପ ।

ରାଜନଗର(କେନ୍ୟୁଜ୍‌): ଓଡିଶାର ଏକମାତ୍ର ସାମୁଦ୍ରିକ ଅଭୟାରଣ୍ୟ କେନ୍ଦ୍ରାପଡା ଜିଲ୍ଲା ଗହିରମଥାକୁ ସୁରକ୍ଷିତ ମନେକରି ବଂଶବୃଦ୍ଧି କରିବା ପାଇଁ ପ୍ରଶାନ୍ତ ମହାସାଗର ରୁ ହଜାର ହଜାର ନଟିକାଲ ମାଇଲ ସମୁଦ୍ର ନୀଳ ଜଳରାଶିକୁ ଅତିକ୍ରମକରି ବିରଳ ଅଲିଭିରିଡଲେ କଇଁଛମାନେ ଆସିଥାନ୍ତି । ଏହି କଇଁଛ ମାନଙ୍କର ଆଗମନକୁ ଆଖି ଆଗରେ ରଖି ଗହିରମଥାକୁ ସରକାର ୧୯୯୭ ମସିହାରେ ସାମୁଦ୍ରିକ ଅଭୟାରଣ୍ୟ ଘୋଷଣା କରିଛନ୍ତି । ଏହା ଓଡିଶାର ଏକମାତ୍ର ସାମୁଦ୍ରୀକ ଅଭୟାରଣ୍ୟ । ନଭେମ୍ବର ୧ ତାରିଖ ଠାରୁ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ଧାମରାଠାରୁ ଦେବୀମୁହାଣ ପର୍ଯ୍ୟନ୍ତ ସମୁଦ୍ର କୂଳଠାରୁ ୨୦କିମି ପର୍ଯ୍ୟନ୍ତ ଯନ୍ତ୍ରଚାଳିତ ଡଙ୍ଗା ଏବଂ ମାଛମାରିବା ଉପରେ କଟକଣା କଡାକଡି ଭାବେ ଜାରି କରାଯାଇଥାଏ ।

ଅଲିଭରିଡଲେ କଇଁଛ ନାଶି-୧, ନାଶି-୨, ବାବୁବାଲି, ଏକକୂଳା, ସାତଭାୟା, ପେଣ୍ଠ, ବରୁଣେଇ ମୁହାଣରେ ସମୂହ ଅଣ୍ଡାଦାନ କରିଥାନ୍ତି । ଏନେଇ ବନବିଭାଗ, ମତ୍ସ୍ୟବିଭାଗ, ତଟରକ୍ଷୀ ବାହିନୀ, ସାମୁଦ୍ରୀକ ଥାନା ସୁରକ୍ଷାରେ ନିୟୋଜିତଥାନ୍ତି । ଅପରପକ୍ଷରେ ଏହି ସମୟରେ ଗହିରମଥା ଉପକୂଳରେ ପ୍ରଚୁର ପରିମାଣରେ ମାଛ ମିଳୁ ଥିବାରୁ ମାଛ ମାଫିଆ ମାନେ କଡା କଟକଣା ସତ୍ୱେ ନିୟମକୁ ଫୁକରି ବେଆଇନ ଭାବେ ନିଷିଦ୍ଧାଞ୍ଚଳ ମଧ୍ୟରେ ପ୍ରବେଶ କରି ମାଛ ମାରିଥାନ୍ତିି । ଫଳରେ ଟ୍ରଲର ମାଡ ଏବଂ ଜାଲରେ ଛନ୍ଦି ହୋଇ ହଜାର ହଜାର କଇଁଛ ମୃତୁବରଣ କରିଥାନ୍ତି । ପୂର୍ବରୁ ଟ୍ରଲର ଗୁଡିକ ଗହିରମଥାରୁ ଧରା ପଡିଲେ ସଫେଇ ଦିଅନ୍ତି ଆମେ ଗହିରମଥାର ସୀମା ଜାଣିନପାରି ପଶିଯାଇଛୁ ।

ଏକ କୋଟି ଟଙ୍କା ବ୍ୟୟରେ ୨ ବର୍ଷ ତଳେ ୧୫ଟି ଫ୍ଲୋଟିଂବୟ ଦ୍ୱାରା ଗଭିର ସମୁଦ୍ରରେ ସୀମା ନିଦ୍ଧାରଣ କରାଯାଇଛି । ଏହା ସତ୍ୱେ ବି ନିଷିଦ୍ଧାଞ୍ଚଳରେ ପଶି ଟ୍ରଲରମାନେ ମାଛ ଧରିବାକୁ ଯାଇ କଇଁଛ ମାରିଦେଉଛନ୍ତି । ଏନେଇ ବନବିଭାଗ ଜବତ କରୁଥିବା ଟ୍ରଲର ଗୁଡିକ ଉପରେ ମାଛ ଧରିବାକୁ ନୁହେଁ ବରଂ କଇଁଛ ମାରିବାକୁ ଆସୁଥିବା ନେଇ ମକଦ୍ଦମା ରୁଜୁ କଲେ । ସେମାନେ ଆଉ ଖସିପାରନ୍ତେ ନାହିଁ । ଯାହାଫଳରେ ଗହିରମଥା ସୁରକ୍ଷିତ ରହିବା ସହ ଅଲିଭ ରିଡଲେ କଇଁଛ ସମୂହ ଅଣ୍ଡଦାନ କରି ବଂଶ ବିସ୍ତାର କରି ସୁରକ୍ଷିତ ଭାବେ ଫେରିଯାଆନ୍ତେ । ଅଲିଭିରିଡିଲେ ସୁରକ୍ଷା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଦାୟିତ୍ୱରେ ଥିବା ବନବିଭାଗ କାହିଁକି ଖାମ୍ ଖିଆଲ ନୀତି ଆପଣାଉଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟିକରିଛି ?

olive

ଗହୀରମଥା ସମୁଦ୍ର କୂଳରେ ଶହ ଶହ ମଲା କଇଁଛ ମରିପଡିଥିବା ଓ ତାକୁ କାଉ କୁକୁର ଝୁଣୀ ଖାଉଥିବାର ଦୃଶ୍ୟ ପ୍ରକୃତି ପ୍ରେମୀ ମାନଙ୍କୁ ବ୍ୟଥିତ କରୁଥିବା ବେଳେ ବନବିଭାଗ ର କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ? ସରକାର କଇଁଛ କଟକଣା ପାଇଁ ପାରମ୍ପରିକ ମତ୍ସ୍ୟଜିବୀ ରାଜନଗର ଓ ମହାକାଳପଡା ବ୍ଲକ ରେ ୬ହଜାର ୭୭୩ ଜଣ ଙ୍କୁ ୧୫୦୦୦ ଟଙ୍କା ଲେଖାଏଁ ସରକାରୀ ପ୍ରୋତ୍ସାହନ ରାଶି ପ୍ରଦାନ କରୁଛନ୍ତି । ତେବେ ଏମାନେ କିଏ ଯେଉଁ ମାନେ ଗହିରମଥାର ସୁରକ୍ଷା ବଳୟକୁ ଭେଦ କରି କଇଁଛ ମୃତୁର ସୈାଦାଗର ପାଲଟୁଛନ୍ତି ?

ଏନେଇ ଆମେ ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବ ଙ୍କୁ ପଚାରିବାରୁ ଟ୍ରଲର ମାଡ ଓ ଜାଲରେ ଛନ୍ଦି ହୋଇ କଇଁଛ ମାନଙ୍କ ର ମୃତ୍ୟୁ ଘଟୁଥିବା ସ୍ଵୀକାର କରିବା ସହ ଆଜି ପର୍ଯ୍ୟନ୍ତ ସରକାରୀ ଭାବେ ୧୧୪ ଟି କଇଁଛ ମୃତ୍ୟୁବରଣ କରିଛନ୍ତି । ତେବେ ପ୍ରଶ୍ନ ଉଠୁଛି ଗହୀରମଥା ଅଲିଭ ରିଡ଼ଲେ କଇଁଛ ମାନଙ୍କ ପାଇଁ କେତେ ସୁରକ୍ଷିତ ? ସୁରକ୍ଷା ଦାୟିତ୍ୱରେ ଥିବା ବନବିଭାଗ ସଠିକ୍ ଭାବେ ନିଜ ଦାୟିତ୍ୱ ତୁଲାଉ ନଥିବାରୁ ଏଭଳି ଦୃଘଟଣା ଘଟୁଛି ବୋଲି ପରିବେଶବିତ୍ ମାନେ କହିଛନ୍ତି । ସମୁଦ୍ର ପରିବେଶ ସନ୍ତୁଳନର ସୁରକ୍ଷାରେ ଅଲିଭରିଡଲେ ମାନଙ୍କର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କଇଁଛ ମାନଙ୍କର ଏନ୍ତୁଡିଶାଳ ପାଲଟିଛି ସ୍ୱର୍ଗଦ୍ୱାର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.