ଚୁଲି ନିଆଁରେ ପୋଡ଼ି ହୋଇ ଶିଶୁକନ୍ୟା ଗୁରୁତର, ଜଳି ଯାଇଛି ୮୦ ପ୍ରତିଶତ; ପାଖରେ ଟଙ୍କା ନାହିଁ; ଆଖିରୁ ଲୁହ ଗଡ଼ାଉଛନ୍ତି ବାପା, ମା’

ଚୁଲି ନିଆଁ ସଂସ୍ପର୍ଶରେ ଆସି ଗୁରୁତର ହୋଇଛି ଅଢ଼େଇ ବର୍ଷର ଶିଶୁକନ୍ୟା। ଖେଳୁ ଖେଳୁ ଝିଅଟି କୌଣସି ମତେ ଚୁଲି ମୁହଁକୁ ଚାଲି ଯାଇଥିଲା, ଯାହାଫଳରେ ତା’ ଶରୀରର ପାଖାପାଖି ୮୦ ପ୍ରତିଶତ ଭାଗ ପୋଡ଼ି ଯାଇଛି। ଯଦିଓ ସୌଭାଗ୍ୟବଶତଃ ମୁଣ୍ଡ ଏବଂ ଶରୀରର ସାମ୍ନା ଭାଗ ନିଆଁ ମୁହଁରୁ ବର୍ତ୍ତି ଯାଇଛି, କିନ୍ତୁ ପଛଭାଗ ଗମ୍ଭୀର ଭାବେ ଜଳି ଯାଇଥିବାରୁ ଝିଅଟି ଯନ୍ତ୍ରଣାରେ ଛଟପଟ ହେଉଛି। ଆଉ ଏପଟେ ମା’, ବାପା ଝିଅର କଷ୍ଟ ସହି ନ ପାରି ଦିନରାତି ଆଖିରୁ ଲୁହ ଗଡ଼ାଉଛନ୍ତି।

ଘଟଣା ଘଟିଛି ଗଜପତି ଜିଲ୍ଲା ରାୟଗଡ ବ୍ଲକ ଡୁମ୍ବାଳ ପଞ୍ଚାୟତର ମୁନିସିଂ ଗ୍ରାମରେ। ଏହି ଗ୍ରାମର ଜାମ୍ବ ସାହିରେ ରୁହନ୍ତି ସୁନିଲ ଗମାଙ୍ଗ। ଅଭାବୀ ପରିବାର। ଖଟିଲେ ଯାହା ଦୁଇ ପଇସା ରୋଜଗାର ହୁଏ, ସେଥିରେ ଘରର ଚୁଲି ଜଳେ। ହେଲେ ଏହାରି ଭିତରେ ତାଙ୍କ ପରିବାର ଉପରେ ପଡ଼ିଥିଲା ଚଡ଼କ। ସବୁକିଛି ଠିକ୍‌ଠାକ ଚାଲିଥିବା ବେଳେ ସୁନିଲଙ୍କ ୨ ବର୍ଷ ୮ ମାସର ଶିଶୁକନ୍ୟା ହୀରାମଣି ହଠାତ୍‌ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଘରେ ଖେଳୁଥିବା ବେଳେ ଚୁଲି ନିଆଁ ସଂସ୍ପର୍ଶରେ ଆସି ଯାଇଥିଲା। ଶରୀରର ୮୦ ପ୍ରତିଶତ ପୋଡି ଯାଇଥିବାରୁ ସୁନିଲ ନିଜ ପାଖରେ ଥିବା ୧୫ ଶହ ଟଙ୍କା ଧରି ତୁରନ୍ତ ଝିଅକୁ ସ୍ଥାନୀୟ ରାମଗିରି ସ୍ୱାସ୍ଥ୍ୟ କେନ୍ଦ୍ର ନେଇ ଯାଇଥିଲେ।

ଘଟଣାଟି ଡିସେମ୍ବର ୨୩ ତାରିଖର। ସକାଳ ୭ଟା ୪୫ରେ ସୁନିଲ ଘର ବାହାରେ ମାଟି କାମ କରୁଥିବା ବେଳେ ଘର ଭିତରେ ଏହି ଘଟଣା ଘଟି ଯାଇଥିଲା। ତେବେ ରାମଗିରିରୁ ପ୍ରାଥମିକ ଚିକିତ୍ସା କରାଇ ସୁନିଲ ଏକ ମଲମ ନିଜ ସାଥିରେ ନେଇ ଆସିଥିଲେ। କିନ୍ତୁ କିଛି ଦିନ ବ୍ୟବହାର ପରେ ମଲମ ବି ଶେଷ ହୋଇ ଯାଇଥିଲା। ଏବେ ପାଖରେ ଟଙ୍କାଟିଏ ନାହିଁ। ପଇସା ନ ଥିବାରୁ ମଲମଟିଏ ମଧ୍ୟ ଯୋଗାଡ଼ କରିପାରୁ ନାହାନ୍ତି, ଯାହାଫଳରେ ବିନା ଚିକିତ୍ସାରେ ହୀରାମଣି ଜଳାପୋଡାରେ ଛଟପଟ ହେଉଛି। କେବଳ ମା’ ମା’ ବୋଲି ଚିତ୍କାର କରିବା ଛଡ଼ା ଆଉ କିଛି କହିପାରୁ ନାହିଁ। ସେପଟେ ମା’, ବାପାଙ୍କର ଛାତି ଫାଟି ଯାଉଛି କୁନିଝିଅର ଚିତ୍କାର ଶୁଣି, ଅର୍ଥ ଅଭାବରୁ ଚିକିତ୍ସା ଆଗକୁ ବଢ଼ିପାରୁ ନାହିଁ।

ସବୁଠାରୁ ବଡ଼ ସମସ୍ୟା ହେଉଛି, ଏହି ଗ୍ରାମକୁ ଆମ୍ବୁଲାନ୍ସ ପହଞ୍ଚିବା ଭଳି ରାସ୍ତାଟିଏ ନାହିଁ। ଏ ଭିତରେ ହୀରାମଣିର ମା’ ମଧ୍ୟ ଗର୍ଭବତୀ ଅଛନ୍ତି। ଗୋଟିଏ ପଟେ ହୀରାମଣିର ଚିକିତ୍ସା ଏବଂ ଅନ୍ୟପଟେ ନିଜ ସ୍ତ୍ରୀର ଗର୍ଭାବସ୍ଥା, କେବଳ ନିଜ ଭାଗ୍ୟକୁ ଦୋଷ ଦେବା ଛଡ଼ା ସୁନିଲଙ୍କ ପାଖରେ ଆଉ କିଛି ଉପାୟ ନାହିଁ। ସ୍ତ୍ରୀଙ୍କ ପ୍ରସବ ତାରିଖ ଏହି ମାସ ୨୮ତାରିଖ ରହିଛି, ତେଣୁ ଯଦି ସରକାରୀ କିମ୍ବା ବେସରକାରୀ ସ୍ତରରୁ ସାହାଯ୍ୟ ମିଳିବ, ତା’ ହେଲେ ସେ ଉପକୃତ ହେବେ ବୋଲି ସୁନିଲ କହିଛନ୍ତି। ତେବେ ଆପଣ ଯଦି ଏହି ଅଭାବୀ ପରିବାରକୁ ଆର୍ଥିକ ସହାୟତା କରିବାକୁ ଚାହାନ୍ତି, ତ କରି ପାରିବେ। ସୁନିଲ ଗମାଙ୍ଗ, ଉତ୍କଳ ଗ୍ରାମୀଣ ବ୍ୟାଙ୍କ, ନାରାୟଣପୁର ଶାଖା, ଆକାଉଣ୍ଟ ନମ୍ବର- ୮୪୦୪୭୯୩୫୪୦୨, ଆଇଏଫଏସସି କୋର୍ଡ ଏସବିଆଇଏନଜିରୋଆରଆରୟୁକେଜି୮ ମାଧ୍ୟମରେ ଆପଣ ଟଙ୍କା ପଠାଇ ପାରିବେ।