ଗତ ୨୪ଘଣ୍ଟାରେ ରାଜ୍ୟରେ ସ୍ୱାଭାବିକଠାରୁ ୮୧ ପ୍ରତିଶତ ଅଧିକ ବର୍ଷା: ଆଜି ପାଇଁ ୧୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ବର(କେନ୍ୟୁଜ): ସାରା ରାଜ୍ୟକୁ ଛୁଇଁଲା ମୌସୁମୀ । ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ମୌସୁମୀ ଛୁଇଁବା ଯୋଗୁଁ ଗତ ୨୪ଘଣ୍ଟାରେ ରାଜ୍ୟରେ ସ୍ୱାଭାବିକଠାରୁ ୮୧ ପ୍ରତିଶତ ଅଧିକ ବର୍ଷା ହୋଇଛି। ପାଣିପାଗ ବିଭାଗ କହିଛି, ଆଗାମୀ ୫ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହେବ । ଆଜି ପାଇଁ ୧୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି । ୧୪ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏହି ଜିଲ୍ଲାଗୁଡିକ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଢେଙ୍କାନାଳ, ଅନୁଗୁଳ, ଖୋର୍ଦ୍ଧା, ପୁରୀ, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ ଓ ମାଲକାନଗିରି ରହିଛି।
ମୌସୁମୀ ଜନିତ ୬ ଦିନର ବର୍ଷା ପରେ ରାଜ୍ୟରେ ୩୨ ପ୍ରତିଶତ ନିଅଣ୍ଟିଆ ଭରଣା ହୋଇଛି । ଅନ୍ୟପଟେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ବିଶେଷକରି ଯେଉଁ ଜିଲ୍ଲାଗୁଡିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି, ସେଠାରେ ସମସ୍ତ ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ଭିତ୍ତିଭୂମି ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।