ବିଜେପିର ଡବଲ୍‌ ଇଞ୍ଜିନକୁ ନବୀନଙ୍କ ଜୋରଦାର ଆଟାକ୍, କହିଲେ ମେ ୨୩ରେ ଦିଲ୍ଲୀ ମେନ୍‌ ଇଞ୍ଜିନ ହେବ ଡି-ରେଲ୍‌

ବିଜେପିର ଡବଲ୍‌ ଇଞ୍ଜିନକୁ ଆଟାକ୍‌। ବଡମ୍ବା ନିର୍ବାଚନ ସଭାରୁ ପ୍ରଶ୍ନବାଣରେ ବିଜେପିକୁ ଘାଇଲା କରିଛନ୍ତି ବିଜେଡି ସୁପ୍ରିମୋ। ନବୀନ କହିଛନ୍ତି, ବିଜେପିର ବଡ଼ ବଡ଼ ନେତା ଡବଲ୍‌ ଇଞ୍ଜିନ କଥା କହୁଛନ୍ତି। ଓଡ଼ିଶାବାସୀ ପଚାରୁଛନ୍ତି ଓଡ଼ିଶା ଇଞ୍ଜିନ କିଏ? ସେ ବିଷୟରେ ବିଜେପି ନେତା କିଛି କହି ପାରିବେ କି ? ଏହା ବ୍ୟତୀତ ନବୀନ କହିଥିଲେ, ବିଜେପିର ଡବଲ୍‌ ଇଞ୍ଜିନରୁ ୫ଟି ଇଞ୍ଜିନ ଲାଇନଚ୍ୟୁତ। ଅର୍ଥାତ ବିଜେପି ସରକାର ଥିବା ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ପଞ୍ଜାବ ଏବେ ସିଙ୍ଗଲ୍‌ ଇଞ୍ଜିନ୍‌। ଲୋକମାନେ କାହିଁକି ଡବଲ୍‌ ଇଞ୍ଜିନକୁ ହଟାଇଦେଲେ? ମେନ୍‌ ଇଞ୍ଜିନକୁ ବି ମାଡ଼ କରିଛନ୍ତି ନବୀନ। କହିଛନ୍ତି, ମେ ୨୩ ତାରିଖରେ ବିଜେପିର ଦିଲ୍ଲୀ ମେନ୍‌ ଇଞ୍ଜିନ୍‌ ଲାଇନଚ୍ୟୁତ ହେବାକୁ ଯାଉଛି। ନିର୍ବାଚନରେ ଓଡ଼ିଶା ଲୋକଙ୍କ ମୁଡ୍‌ ଦେଖି ବିଜେପି ହାରିବା ଜାଣି ସାରିଲାଣି। ତେଣୁ ବାୟା ହେଉଛନ୍ତି ବୋଲି କହିଛନ୍ତି ନବୀନ।

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ କ୍ୟାମ୍ପେନ୍‌ ଚଳାଇଛନ୍ତି ବିଜେଡି ସୁପ୍ରିମୋ। ଆଜି ଅନୁଗୁଳ ଓ ଢ଼େଙ୍କାନାଳ ଜିଲ୍ଲାରେ ମାରାଥନ୍‌ ପ୍ରଚାର କରିଥିଲେ। ୫ଟି ଜନସଭାକୁ ସମ୍ବୋଧନ କରିଥିଲେ। ବିଜେପି ଓ କେନ୍ଦ୍ରକୁ ସମାଲୋଚନା କରିବା ସହ ଉଠାଇଥିଲେ ଖଣି ରୟାଲିଟି ସଂଶୋଧନ ପ୍ରସଙ୍ଗ। ପାଞ୍ଚ ମିନିଟ କାମ ପାଞ୍ଚ ବର୍ଷରେ ହୋଇ ପାରିଲା ନାହିଁ। କୋଇଲା ରୟାଲିଟିରୁ କେନ୍ଦ୍ର ହଜାର ହଜାର କୋଟି ଟଙ୍କା ପାଉଥିବା ବେଳେ ଅନୁଗୁଳ ଓ ଢ଼େଙ୍କାନାଳ ପାଉଛି ପ୍ରଦୂଷଣ ଓ ଧୂଳି। ନବୀନ କହିଥିଲେ, ବିଜେପି ନେତାଙ୍କ ସ୍ୱାର୍ଥ ପାଇଁ ଓଡ଼ିଶାକୁ ତାର ହକ୍‌ରୁ ବଞ୍ଚିତ କରାଯାଉଛି। କିନ୍ତୁ ଚୁପ୍‌ ରହୁଛନ୍ତି ଓଡ଼ିଆ କେନ୍ଦ୍ରମନ୍ତ୍ରୀ।

ଅନୁଗୁଳ, ଢ଼େଙ୍କାନାଳ ଓ କଟକ ଜିଲ୍ଲାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ମାଗିଛନ୍ତି ନବୀନ। କହିଛନ୍ତି, ଚାଷୀ, ମହିଳା, ଯୁବକ, ଶ୍ରମିକ ଓ ସାଧାରଣ ଲୋକଙ୍କ ସମସ୍ତେ ବିଜେଡି ସହ ଅଛନ୍ତି। କିନ୍ତୁ ପ୍ରତିଟି ଜନସଭାରେ ନବୀନଙ୍କ ଟାର୍ଗେଟରେ ଥିଲେ ବିଜେପି ଓ କେନ୍ଦ୍ର ସରକାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.