ଭାରତରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଛି । କରୋନା ବିସ୍ତାରକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ଲକଡାଉନ ଘୋଷଣା କରିଛନ୍ତି । ତେବେ ଗତକାଲି ଠାରୁ କିଛି ସର୍ତ୍ତ ସହିତ ଲକଡାଉନକୁ କୋହଳ କରାଯାଇଛି । ସରକାରୀ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଆସନ୍ତା ୩ ତାରିଖ ପରେ କେନ୍ଦ୍ର ପୁଣିଥରେ ଲକଡାଉନ ଘୁଞ୍ଚାଇବାକୁ ଚିନ୍ତା କରୁନାହିଁ । ଏଥି ସହିତ ଲକଡାଉନ୍ ଶେଷ ହେବା ପରର ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଛି ।
ସୂଚନା ଅନୁଯାୟୀ, ମେ ୩ ପରେ ଲକଡାଉନ୍ ଧୀରେ ଧୀରେ ହଟାଯିବ ଏବଂ କିଛି ସର୍ତ୍ତ ସହିତ ଅଧିକ କୋହଳ କରାଯିବ । ତଥାପି, ଲାଲ୍ ଏବଂ କମଳା ରଙ୍ଗର ଜୋନରେ ଥିବା ଅଞ୍ଚଳଗୁଡିକ ବର୍ତ୍ତମାନ ଏହି କୋହଳ ପାଇବେ ନାହିଁ । କରୋନା ମାମଲା କମ ହେବା ସହିତ କୋହଳ ପରିସର ବୃଦ୍ଧି କରାଯିବ ।
ଲକଡାଉନର ଏକଜିଟ ପ୍ଲାନ
- ମେ ୩ ପରେ ମଧ୍ୟ ଟ୍ରେନ୍, ବିମାନ ଚଳପ୍ରଚଳ କଷ୍ଟକର ରହିବ କାରଣ ସେନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ ।
- ସବୁଜ ଜୋନରେ ଥିବା ଅଞ୍ଚଳ ଗୁଡିକରେ କେବଳ ସହର ଭିତରେ ହିଁ ଯାତାୟାତ କରିବାପାଇଁ ଅନୁମତି ମିଳିବ ।
- ସାମାଜିକ ଦୂରତା ଏବଂ ମାସ୍କ ଲୋକଙ୍କ ଦୈନନ୍ଦିନ ଜୀବନଶୈଳୀର ଏକ ଅଂଶ ହେବ । ଏହାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବାଧ୍ୟତାମୂଳକ ରଖାଯିବ ।
- ଆପଣ ଘରୁ ବାହାରକୁ ଯିବାର ସ୍ୱାଧୀନତା ପାଇପାରିବେ କିନ୍ତୁ ଏଥିପାଇଁ ଆପଣଙ୍କୁ ମାସ୍କ ପିନ୍ଧିବାକୁ ପଡିବ ଏବଂ ପରସ୍ପରଠାରୁ ସାମାଜିକ ଦୂରତା ରକ୍ଷା କରିବାକୁ ପଡିବ ।
- ସାମାଜିକ ଦୂରତାକୁ ଧ୍ୟାନରେ ରଖି ଅଫିସରେ କାମ କରିବା ପାଇଁ ଅନୁମତି ମିଳିପାରିବ ।
- କିଛି ସ୍ଥାନରେ ଭିଡ଼ ଜମା ହେବା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ରହିବ ।