ଆମେରିକାରେ ତାଣ୍ଡବ ରଚିଲା ସାମୁଦ୍ରିକ ଝଡ଼ ‘ଜୁଲିୟା’; ୨୫ ମୃତ, ୧୦୦ରୁ ଊର୍ଦ୍ଧ୍ୱ ଲୋକ ସ୍ଥାନାନ୍ତରିତ

ଆମେରିକାରେ ସାମୁଦ୍ରିକ ଝଡ଼ ଜୁଲିୟା ଧ୍ୱଂସର ତାଣ୍ଡବ ରଚିଛି। ଏହା ସଂସ୍ପର୍ଶରେ ଆସି ଏ ପର୍ଯ୍ୟନ୍ତ ୨୫ ଜଣ ଲୋକଙ୍କ ମୃତ୍ୟୁ ଘଟି ସାରିଛି। ଜୁଲିୟା ପ୍ରଭାବରେ ଗ୍ଵାଟେମାଲା ଓ ଅଲ ସଲ୍ଵାଡୋରରେ ସୋମବାର ମୂଶଳ ଧାରାରେ ବର୍ଷା ହୋଇଥିଲା। ପାଣିପାଗ ବିଶେଷଜ୍ଞଙ୍କ କହିବା ହେଲା, ଏହି ସାମୁଦ୍ରିକ ଝଡ଼ ଉଷ୍ମ ମଣ୍ଡଳ ଚାପରେ ପରିବର୍ତ୍ତନ ହୋଇ ସାରିଛି।

ଗ୍ଵାଟେମାଲାର ବିପର୍ଯ୍ୟୟ ନିବାରଣ ଏଜେନ୍ସି କହିଛି କି, ଅଲ୍ଟା େଓ୍ଵରାପାଜ ଅଞ୍ଚଳରେ ଏକ ଘର ଉପରେ ପାହାଡ଼ରୁ କିଛି ପଥର ଖସି ପଡ଼ିଥିଲା, ଯାହା ତଳେ ଦବି ହୋଇ ୫ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଅଲ ସଲ୍ଵାଡୋରର ଅଧିକାରୀମାନଙ୍କ ସୂଚନା ମୁତାବକ, କୋମାସାଗୁଆ ସହରରେ ଏକ ଘରର କାନ୍ଥ ଧସି ପଡ଼ିଥିଲା, ଯାହା ଫଳରେ ଏହା ତଳେ ଦବି ହୋଇ ସଲ୍ଵାଡୋର ସେନାର ୫ ଜଣ ସୈନିକଙ୍କ ମୃତ୍ୟୁ ହୋଇଛି। ସାମୁଦ୍ରିକ ଜଡ଼ ଜୁଲିୟା ଯୋଗୁ ଏହି ଲୋକମାନେ ଏଠାରେ ଶରଣ ନେଇଥିଲେ।

ସେହିପରି ଗୁଆତାଜିଆଗୁଆର ପୂର୍ବ ଅଲ ସଲ୍ଵାଡୋର ସହରରେ ଅନ୍ୟ ୨ ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ରହିଛି। ପ୍ରବଳ ବର୍ଷା କାରଣରୁ ସେମାନଙ୍କ ଘରର କାନ୍ଥ ଧସି ପଡ଼ିଥିଲା। ଏହା ବ୍ୟତୀତ ଅଲ ସଲ୍ଵାଡୋରରେ ଆଉ ଜଣେ ବ୍ୟକ୍ତି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି। ଯେତେବେଳେ କି, ଅନ୍ୟ ଜଣେ ବ୍ୟକ୍ତିଙ୍କ ଉପରେ ଗଛ ପଡ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଜୁଲିୟା ଝଡ଼ ଯୋଗୁ ଆମେରିକାର ବିଭିନ୍ନ ସ୍ଥାନରେ ଏହିପରି ଅନେକ ଘଟଣା ଘଟିଥିବା ସାମ୍ନାକୁ ଆସିଛି।

ଜୁଲିୟା ପ୍ରବଳ ଝଡ଼ ତୋଫାନ ଏବଂ ବର୍ଷା କାରଣରୁ ଏଠାରେ ଅନେକ ଲୋକ ଆହତ ହୋଇଥିବା ମଧ୍ୟ ଖବର ରହିଛି। ଗ୍ଵାଟେମାଲା ଓ ଅଲ ସଲ୍ଵାଡୋରରେ ସ୍କୁଲଗୁଡ଼ିକୁ ବନ୍ଦ କରି ଦିଆଯାଇଛି। ଶହ ଶହ ଲୋକଙ୍କୁ ସୁରକ୍ଷିତ ଜାଗାରେ ପହଞ୍ଚାଯାଇଛି। କୋଷ୍ଟା ରିକା ପାଖରେ ପାଖାପାଖି ୩୦୦ ଲୋକଙ୍କୁ ଉଦ୍ଧାର କରାଯାଇଛି। ନିକାରଗୁଆ ସୀମା ନିକଟରେ ଏକ ଡଙ୍ଗା ଓଲଟି ପଡ଼ିବାରୁ ନଦୀରେ ବୁଡ଼ି ଯାଇ ଜଣେ ୪ ବର୍ଷର ପିଲା ଏବଂ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ଏହିପରି କିଛିଦିନ ତଳେ ଆମେରିକାର ଫ୍ଲୋରିଡ଼ାରେ ପ୍ରଳୟ ରଚିଥିଲା ସାମୁଦ୍ରିକ ଝଡ଼ ଇୟାନ୍‌। ଭୟଙ୍କର ଥିଲା ଏହି ସାମୁଦ୍ରିକ ଝଡ଼। ଘଣ୍ଟା ପ୍ରତି ୨୮୦ କିଲୋମିଟର ବେଗରେ ପବନ ବହିଥିଲା। ବଡ଼ ବଡ଼ ଗଛ, ବିଦ୍ୟୁତ ଖୁଣ୍ଟକୁ ଉପାଡ଼ି ଫୋପାଡ଼ି ଦେଇଥିଲା। ପବନର ପ୍ରକୋପ ଏତେ ଅଧିକ ଥିଲା ଯେ ସମୁଦ୍ର କୂଳରେ ଥିବା ଜାହାଜ, ବୋଟ୍‌ ଏବଂ ହ୍ୟାଙ୍ଗରରେ ଥିବା ହେଲିକପ୍ଟରକୁ ବି ଉଡ଼ାଇ ନେଇଥିଲା। ହରିକେନ୍‌ ପ୍ରଭାବରେ କୂଳ ଲଙ୍ଘିଥିଲା ସମୁଦ୍ର। ୧୨ ଫୁଟର ଜୁଆର ମାଡ଼ି ଆସିଥିଲା। ପବନ ଓ ପ୍ରବଳ ବର୍ଷା ପରେ ପାଣି ସୁଅରେ ଭାସି ଯାଇଥିଲା ଶହ ଶହ ଗାଡ଼ି ମୋଟର। ପବନ ମାଡ଼ରେ ଭାଙ୍ଗି ଯାଇଥିଲା ବଡ଼ ବଡ଼ ଘର। ଫ୍ଲୋରିଡ଼ାରେ ୫୦୦ ବର୍ଷରେ ସବୁଠୁ ବଡ଼ ବନ୍ୟା ଆଣିଥିଲା ଏହି ସାମୁଦ୍ରିକ ଝଡ଼।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.