କଂଗ୍ରେସ ଅଧ୍ୟକ୍ଷଙ୍କ ଉପରେ ୧୦୦ କୋଟିର ମାନହାନି ମାମଲା, ବଜରଙ୍ଗ ଦଳ ଉପରେ ବିବାଦୀୟ ବୟାନକୁ ନେଇ ସମନ ଜାରି

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍‌ଗେଙ୍କୁ ବଜରଙ୍ଗ ଦଳ ଉପରେ ବିବୃତ୍ତି ଦେବା ମହଙ୍ଗା ପଡ଼ିଛି। ବଜରଙ୍ଗ ଦଳର ମାନହାନି ମାମଲାରେ ଖର୍‌ଗେଙ୍କୁ ସମନ ଜାରି ହୋଇଛି।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍‌ଗେଙ୍କୁ ବଜରଙ୍ଗ ଦଳ ଉପରେ ବିବୃତ୍ତି ଦେବା ମହଙ୍ଗା ପଡ଼ିଛି। ବଜରଙ୍ଗ ଦଳର ମାନହାନି ମାମଲାରେ ଖର୍‌ଗେଙ୍କୁ ସମନ ଜାରି ହୋଇଛି। ସାଙ୍ଗରୁର୍‌ ଜିଲ୍ଲା କୋର୍ଟଙ୍କ ସିଭିଲ୍ ଜଜ୍ (ବରିଷ୍ଠ ବିଭାଗ) ରମଣଦୀପ କୌର୍‌ ୧୦୦ କୋଟି ଟଙ୍କା ମାନହାନି ମାମଲାରେ ଖର୍‌ଗେଙ୍କୁ ସମନ ଜାରି କରିଛନ୍ତି। ଏହାସହିତ କୋର୍ଟ ଜୁଲାଇ ୧୦ରେ ଖର୍‌ଗେଙ୍କୁ କୋର୍ଟରେ ହାଜର ହେବାକୁ କହିଛନ୍ତି।

ହିନ୍ଦୁ ସୁରକ୍ଷା ପରିଷଦ ବଜରଙ୍ଗ ଦଳ ହିନ୍ଦ୍‌ର ପ୍ରତିଷ୍ଠାତା ହିତେଶ ଭରଦ୍ୱାଜ ସାଙ୍ଗରୁର୍‌ କୋର୍ଟରେ ମଲ୍ଲିକାର୍ଜୁନ ଖର୍‌ଗେଙ୍କ ବିରୋଧରେ ୧୦୦ କୋଟି ଟଙ୍କା ମାନହାନି କେସ୍‌ ଦାୟର କରିଥିଲେ। ଅଭିଯୋଗ ମୁତାବକ, କଂଗ୍ରସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍‌ଗେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ ବଜରଙ୍ଗ ଦଳକୁ ଦେଶ ବିରୋଧୀ ସଂଗଠନ ସହ ତୁଳନା କରି ଏହାର ମାନହାନି କରିଥିଲେ।

ହିତେଶ କହିଛନ୍ତି ଯେ ଖର୍‌ଗେ ଏକ ରାଲିରେ କହିଥିଲେ କି, ଯଦି କଂଗ୍ରେସ ସରକାର କ୍ଷମତାକୁ ଆସନ୍ତି, ତେବେ ବଜରଙ୍ଗ ଦଳ କିମ୍ବା ଅନ୍ୟାନ୍ୟ ଦେଶ ବିରୋଧୀ ସଂଗଠନ, ଯେଉଁମାନେ ସମାଜରେ ଘୃଣା ବିସ୍ତାର କରିବାର କାର୍ଯ୍ୟ କରନ୍ତି, ସେମାନଙ୍କ ବିରୋଧରେ ପ୍ରତିବନ୍ଧକ ଲଗାଯିବ। ଏହାକୁ ବିରୋଧ କରି ହିତେଶ ଭରଦ୍ୱାଜ ସାଙ୍ଗରୁର୍‌ କୋର୍ଟରେ ମାନହାନି ମକଦ୍ଦମା ଦାୟର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.