କୁକୁଡ଼ା ଲଢ଼େଇ ଚାଲିଥିବା ବେଳେ ହଠାତ୍‌ ଦୁର୍ବୃତ୍ତ ଚଳାଇଥିଲେ ଗୁଳି, ସେଇଠି ହିଁ ଟଳି ପଡ଼ିଲେ ୧୬ ପୁରୁଷ ଓ ୩ ମହିଳା!

ପଶ୍ଚିମ ମେସ୍କିକୋର ମିଚୋଆକନ ରାଜ୍ୟରେ କୁକୁଡ଼ା ଲଢ଼େଇ ବେଳେ ୧୯ ଜଣଙ୍କୁ ହତ୍ୟା କରାଯାଇଛି। ହଠାତ୍‌ ଘଟିଥିବା ଏହି ହତ୍ୟା ଘଟଣାରେ ପୂରା ସହରରେ ଆତଙ୍କ ଖେଳି ଯାଇଛି। ସୂଚନା ଅନୁସାରେ, ଏଠି କୁକୁଡ଼ା ଲଢ଼େଇର ଏକ ବେଆଇନ ପ୍ରତିଯୋଗିତା ଚାଲିଥିଲା। ଏହି ସମୟରେ କିଛି ବନ୍ଧୁକଧାରୀ ଦୁର୍ବୃତ୍ତ ସେଠାରେ ଉପସ୍ଥିତ ଲୋକଙ୍କ ଉପରକୁ ହଠାତ୍‌ ଗୁଳି ଚଳାଇଥିଲେ। ଏଥିରେ ୧୬ ପୁରୁଷ ଓ ୩ ମହିଳାଙ୍କ ମୃତ୍ୟୁ ଘଟିଛି। ଘଟଣାର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବା ବେଳେ ଅନୁମାନ କରାଯାଉଛି ଯେ ରବିବାର ରାତିରେ ଗ୍ୟାଙ୍ଗ୍‌ଓ୍ଵାର ଯୋଗୁ ଏହି ଘଟଣା ଘଟିଛି।

ସୂଚନା ମୁତାବକ, ଏହି ଅଞ୍ଚଳରେ କିଛି ଆପରାଧିକ ଗ୍ୟାଙ୍ଗ୍‌ ସକ୍ରିୟ ଅଛନ୍ତି, ଯେଉଁମାନେ ଗତ କିଛି ଦିନ ହେବ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି। ବିଗତ କିଛି ମାସ ଭିତରେ ମେସ୍କିକୋରେ ଏମିତି ଘଟଣା ବଢ଼ି ଯାଇଛି। ବନ୍ଧୁକଧାରୀ ଦୁର୍ବୃତ୍ତ ପାର୍କ, ବାର୍‌ ଏବଂ କ୍ଲବ୍‌ରେ ଆକ୍ରମଣ କରି ପ୍ରତିଶୋଧ ନେଉଛନ୍ତି। ଏହି ଗ୍ୟାଙ୍ଗ୍‌ଓ୍ଵାରରେ କିଛି ନିରୀହ ଜନତାଙ୍କର ବି ପ୍ରାଣ ଯାଉଛି।

ମିଚୋଆକନର ଲୋକ ସୁରକ୍ଷା ଅଧିକାରୀଙ୍କ ମୁତାବକ, ହିଂସାରେ ସାମିଲ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ମିଚୋଆକନ ଓ ଏହାର ପଡ଼ୋଶୀ ଗୁଆନାଜୁଆତୋ ମେସ୍କିକୋର ଦୁଇ ସବୁଠୁ ହିଂସକ ରାଜ୍ୟ। ଏଠାରେ ନିଶାଦ୍ରବ୍ୟ ଓ ନିଶା ଔଷଧର ଚୋରା ଚାଲାଣ ସାଙ୍ଗକୁ ଚୋରା ତେଲ (ଇନ୍ଧନ) ବିକ୍ରି ଭଳି ଅନେକ ବେଆଇନ କାର୍ଯ୍ୟ ହୋଇଥାଏ। ଏଥିରେ ସାମିଲ ଅପରାଧୀଙ୍କ ମଧ୍ୟରେ ସବୁବେଳେ ଗ୍ୟାଙ୍ଗ୍‌ଓ୍ଵାର ଲାଗି ରହିଥାଏ।

ସୂଚନାଥାଉ କି, ଗତ ମାସରେ ବି ଏହି ରାଜ୍ୟରେ ଏକ ଫାୟାରିଂ ଘଟଣା ଘଟିଥିଲା। ଏଥିରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.