ମୁମ୍ବାଇ ହୋର୍ଡିଂ ଭୁଶୁଡ଼ିବା ମାମଲାରେ ଆଉ ୨ ଗିରଫ, ଗୋଆରୁ ଧରିଲା କ୍ରାଇମ୍ ବ୍ରାଞ୍ଚ ଟିମ୍

ମୁମ୍ବାଇର ଘାଟକୋପରରେ ହୋର୍ଡିଂ ଭୁଶୁଡ଼ିବା ମାମଲାରେ ଆଉ ୨ ଜଣ ଗିରଫ ହୋଇଛନ୍ତି । ମାମଲାର ତଦନ୍ତ କରୁଥିବା ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିଛି । ଘାଟକୋପରରେ ହୋର୍ଡିଂ ଭୁଶୁଡ଼ି ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଏହାପରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଏକ ମାମଲା ରୁଜୁ କରି ଏଗୋ ମିଡିଆର ମାଲିକ ଭାବେଶ ଭିଣ୍ଡେ ଏବଂ ଷ୍ଟ୍ରକ୍ଚରାଲ ସାର୍ଟିଫିକେଟ୍ ଦେଇଥିବା ଇଞ୍ଜିନିୟରଙ୍କୁ ଗିରଫ କରିଥିଲା । ବର୍ତ୍ତମାନ ଏହି ମାମଲାରେ କ୍ରାଇମ ବ୍ରାଞ୍ଚ ଟିମ୍ ଆଉ ଦୁଇ ଜଣଙ୍କୁ ଗିରଫ କରିଛି ।
ଗିରଫ ଦୁଇ ଜଣ ହେଲେ ଜାହ୍ନବୀ ମରାଠେ ଓ ସାଗର ପାଟିଲ । ଗୋଆରୁ ସେମାନଙ୍କୁ ଗିରଫ କରାଯାଇଛି । ସୂଚନା ମୁତାବକ, ଯେତେବେଳେ ଏହି ହୋର୍ଡିଂ ସ୍ଥାପନ କରାଯାଉଥିଲା ଏବଂ ଏହାର ପ୍ରକ୍ରିୟା ଚାଲିଥିଲା, ସେହି ସମୟରେ ଜାହ୍ନବୀ ଏଗୋ ମିଡିଆ କମ୍ପାନୀର ନିର୍ଦ୍ଦେଶକ ଥିଲେ । ସାଗର ପାଟିଲ ହୋର୍ଡିଂ ସ୍ଥାପନ କରିବାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେଇଥିଲେ ।
କହି ରଖୁଛୁ ଯେ ମେ’ ୧୩ରେ ପ୍ରବଳ ବର୍ଷା ଏବଂ ଧୂଳି ଝଡ଼ ମଧ୍ୟରେ ପେଟ୍ରୋଲ ପମ୍ପ୍ ଉପରେ ହୋର୍ଡିଂ ଭୁଶୁଡ଼ି ପଡ଼ିଥିଲା । ଏଥିରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଘାଟକୋପର ଅଞ୍ଚଳର ଛେଡା ନଗରରେ ୧୨୦ ଫୁଟ୍ର ଏକ ବିରାଟ ବିଲବୋର୍ଡ ସେଠାରେ ଥିବା ପେଟ୍ରୋଲ୍ ପମ୍ପ୍ ଉପରେ ଖସି ପଡିଥିଲା, ଯାହାଫଳରେ ଯାନବାହନ ସହିତ ବହୁ ସଂଖ୍ୟକ ଲୋକ ଏହା ତଳେ ଚାପି ହୋଇ ଯାଇଥିଲେ ।
ହୋର୍ଡିଂ ଦୁର୍ଘଟଣାର ମୁଖ୍ୟ ଅଭିଯୁକ୍ତ ଭାବେଶ ଭିଣ୍ଡେଙ୍କୁ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ଟିମ୍ ରାଜସ୍ଥାନର ଉଦୟପୁରରୁ ଗିରଫ କରିଥିଲା । ଭାବେଶ ବିଲବୋର୍ଡର ମାଲିକ ଥିଲେ । ହୋର୍ଡିଂ ଲଗାଇବା ପାଇଁ ବିଜ୍ଞାପନ ଏଜେନ୍ସି ବିଏମ୍ସିରୁ କୌଣସି ଅନୁମତି ନେଇ ନ ଥିଲା ।