୫୧ ଲୋକଙ୍କୁ ଭୟଙ୍କର ମୃତ୍ୟୁ ଦଣ୍ଡ! ପଥରରେ ମାରି ମାରି ନିଆଯିବ ଜୀବନ…ଜାଣନ୍ତୁ କେଉଁଠି ଏବଂ କାହିଁକି ନିଆଗଲା ଏମିତି ନିଷ୍ପତ୍ତି

ଇରାନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି, ଯାହା ବିଷୟରେ ଜାଣିଲେ ଆପଣ ମଧ୍ୟ ଥରି ଉଠିବେ। ଏଠି ଅପରାଧମାନଙ୍କୁ ଏମିତି ଦଣ୍ଡ ଦିଆଯିବାର ବ୍ୟବସ୍ଥା ରହିଛି, ଯାହାକି ହୁଏତ ଅନ୍ୟ ଦେଶରେ ନ ଥାଇପାରେ। ଏହି ଭୟଙ୍କର ଦଣ୍ଡ ବିଷୟରେ କେହି କେବେ ଭାବି ସୁଦ୍ଧା ପାରିବେ ନାହିଁ। ରିପୋର୍ଟ ମୁତାବକ, ଇରାନରେ ୫୧ ଜଣ ବ୍ୟକ୍ତିଙ୍କୁ ଭୟଙ୍କର ମୃତ୍ୟୁ ଦଣ୍ଡ ଶୁଣାଯାଇଛି। ବୈବାହିକ ଜୀବନରେ ନିଜ ପାର୍ଟନରଙ୍କୁ ଧୋକା ଦେବା ମାମଲାରେ ଏହି ବ୍ୟକ୍ତିମାନେ ମୃତ୍ୟୁ ଦଣ୍ଡ ପାଇବେ। ତେବେ ଏମାନଙ୍କୁ କୌଣସି ଫାଶି ନୁହେଁ, ବରଂ ପଥରରେ ମାରି ମାରି ଜୀବନ ନିଆଯିବ। ଇରାନରେ ମାନବାଧିକାର ଉଲ୍ଲଂଘନ ସହ ଜଡ଼ିତ ଗୁପ୍ତ ଦସ୍ତାବିଜ୍ ଲିକ୍ ହେବା ପରେ ଏହି ଆଶ୍ଚର୍ଯ୍ୟଜନକ ଘଟଣାର ଖୁଲାସା ହୋଇଛି। ଏହି ଅପରାଧୀମାନଙ୍କୁ ଶରିଆ ଆଇନ ଅଧୀନରେ କଠୋର ଦଣ୍ଡ ଶୁଣାଯାଇଛି।
ରିପୋର୍ଟରୁ ଜଣାପଡ଼ିଛି, ମୋଟ ୨୩ ଜଣ ମହିଳା ଏବଂ ୨୮ ଜଣ ପୁରୁଷ ଏହି ଦଣ୍ଡ ଅପେକ୍ଷାରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ୨୦ରୁ ୩୦ ବର୍ଷ ବୟସ ଭିତରେ ଅନେକ ଜଣ ଅଛନ୍ତି। କହି ରଖୁଛୁ, ଇରାନ ଏକ ଇସ୍ଲାମିକ ଦେଶ, ଯେଉଁଠି ଶରିଆ ଆଇନ ଅଧୀନରେ ଅପରାଧୀମାନଙ୍କୁ କଠୋରରୁ କଠୋରତମ ଦଣ୍ଡ ଭୋଗିବାକୁ ପଡ଼ିଥାଏ। ଇସ୍ଲାମୀୟ ବିଚାରପତିମାନେ ବ୍ୟଭିଚାର ପାଇଁ ଶୂନ୍ୟ ସହନଶୀଳତା ମନୋଭାବ ଆପଣାଇ ଥାଆନ୍ତି। କୋରାନରେ ବ୍ୟଭିଚାରକୁ ଏକ ଗମ୍ଭୀର ପାପ ବୋଲି ବିବେଚନା କରାଯାଇଛି।
ଶରିଆ ଆଇନ ମୁତାବକ, ଯେଉଁମାନଙ୍କୁ ମୃତ୍ୟୁ ଦଣ୍ଡ ଶୁଣାଯିବ, ସେମାନଙ୍କୁ ପ୍ରଥମେ କପଡ଼ାରେ ଗୁଡ଼ାଇ ଦିଆଯିବ। ଏହାପରେ ସେମାନଙ୍କ ଅଣ୍ଟା ପର୍ଯ୍ୟନ୍ତ ବାଲି ଅବା ମାଟିରେ ପୋତି ଦିଆଯିବ। ଅଣ୍ଟାର ଉପର ଭାଗ ମାଟି ଉପରେ ରହିବ। ଏହାପରେ ସେମାନଙ୍କୁ ପଥର ମାଡ଼ କରାଯିବ। ପଥର ସେ ପର୍ଯ୍ୟନ୍ତ ମରା ଯାଉଥିବ, ଯେ ପର୍ଯ୍ୟନ୍ତ ସେମାନଙ୍କ ମୃତ୍ୟୁ ନ ହୋଇଛି। ଅର୍ଥାତ୍ ଅପରାଧୀମାନଙ୍କ ମୃତ୍ୟୁ ହେବା ପର୍ଯ୍ୟନ୍ତ ସେମାନଙ୍କୁ ପଥର ମାଡ଼ କରାଯାଉଥିବ। ତେବେ ଅପରାଧୀମାନଙ୍କୁ ଏମିତି ଦଣ୍ଡ ଦେବା ପାଇଁ କୌଣସି ଧାର୍ଯ୍ୟ ତାରିଖ ନ ଥାଏ।
ଆଇନ ଅନୁସାରେ, ଏହିଭଳି ଦଣ୍ଡରେ ଅନେକ ବାର ଅପରାଧୀମାନେ ଲମ୍ବା ସମୟ ପର୍ଯ୍ୟନ୍ତ ନିଜ ମୃତ୍ୟୁକୁ ଅପେକ୍ଷା କରି ରହି ଥାଆନ୍ତି। କୌଣସି ଧାର୍ଯ୍ୟ ତାରିଖ ନ ଥିବାରୁ ସେମାନଙ୍କ ଭିତରେ ସବୁବେଳେ ଭୟ ଲାଗି ରହିଥାଏ। ସେମାନଙ୍କୁ ନିଜ ମୃତ୍ୟୁର ତାରିଖ ସେତେବେଳେ ଜଣାପଡ଼ିଥାଏ, ଯେତେବେଳେ ଜହ୍ଲାଦ ସେମାନଙ୍କୁ ନେବା ପାଇଁ ଆସିଥାଏ। ତେବେ ମୃତ୍ୟୁ ଦଣ୍ଡ ଦେବାରେ ଇରାନ ସବୁଠୁ ଆଗରେ ରହିଛି ବୋଲି କୁହାଯାଏ।