ସ୍ମାର୍ଟ ଚୋରି ! PPE କିଟ୍‌ ପିନ୍ଧି ଜଣେ ବ୍ୟକ୍ତି ଗହଣା ଦୋକାନରୁ ନେଇଗଲେ ୨୫ କେଜି ସୁନା, ସିସିଟିଭି ଫୁଟେଜରୁ ପୋଲିସ କଲା ଚିହ୍ନଟ

ଦକ୍ଷିଣ-ପୂର୍ବ ଦିଲ୍ଲୀରେ ଏକ ବଡ଼ ଚୋରି ଘଟଣା ଘଟିଛି। ଜଣେ ବ୍ୟକ୍ତି ‘ବ୍ୟକ୍ତିଗତ ସୁରକ୍ଷା ଉପକରଣ(PPE)’ କିଟ୍‌ ପିନ୍ଧି କାଲକାଜିରେ ଥିବା ଏକ ଗହଣା ଦୋକାନରୁ ୧୩ କୋଟି ଟଙ୍କା ମୂଲ୍ୟର ୨୫ କେଜି ସୁନା ଚୋରି କରି ନେଇଛନ୍ତି। ତେବେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ଦେଇଛି। ଗହଣା ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାରୁ ଘଟଣା ବିଷୟରେ ଜଣାପଡ଼ିଥିଲା। ଫୁଟେଜରେ ଦେଖାଯାଉଛି କି, PPE କିଟ୍‌ ପିନ୍ଧିଥିବା ବ୍ୟକ୍ତି ଜଣକ ରଶି ସାହାଯ୍ୟରେ ସଂଲଗ୍ନ ବିଲ୍ଡିଂରୁ କୁଦିବା ପରେ ଛାତ ଦେଇ ଦୋକାନ ଭିତରକୁ ପ୍ରବେଶ କରୁଛନ୍ତି।

ପୋଲିସର କହିବା ମୁତାବକ, ଅଭିଯୁକ୍ତ ପ୍ରଥମେ ତାଲା ତାଡ଼ିବା ପରେ ପାଖରେ ଥିବା ଏକ ଖାଲି ବିଲ୍ଡିଂରେ ପଶିଥିଲେ ଏବଂ ଛାତ ଉପରକୁ ଚାଲିଯାଇଥିଲେ। ସେଠାରୁ ସେ ୩ ବିଲ୍ଡିଂର ଛାତକୁ ପାର୍‌ କରିଥିଲେ। କାରଣ, ଦୁଇଟି ବିଲ୍ଡିଂ ମଝିରେ ଗ୍ୟାପ୍‌ ଥିବାରୁ ସେ ରଶି ଏବଂ ଟିଣ ଶେଡ୍‌କୁ କାଟିବା ପାଇଁ ଗ୍ୟାସ୍‌ କଟର ବ୍ୟବହାର କରିଥିଲେ। ଅନ୍ୟ ଏକ ଫୁଟେଜରେ ଅଭିଯୁକ୍ତ ଦୋକାନରେ ଗହଣା ଜିନିଷ ଖୋଜୁଥିବାର ଦେଖିବାକୁ ମିଳୁଛି। ସିସିଟିଭି କ୍ୟାମେରାରୁ ଜଣାପଡ଼ିଛି କି, ଅଭିଯୁକ୍ତ ଦୁଇଟି ବ୍ୟାଗ୍‌ ସହିତ ମଙ୍ଗଳବାର ରାତି ୯ଟା ୪୦ରେ ଦୋକାନରେ ପଶିଥିଲେ ଏବଂ ଗହଣା ସହିତ ଭୋର୍‌ ୩ଟା ୫୦ରେ ଦୋକାନରୁ ବାହାରିଥିଲେ। ବ୍ୟକ୍ତି ଜଣକ ଏକ ଅଟୋରେ ଚୋରି ସୁନା ନେଇ ଫେରାର୍‌ ହୋଇଯାଇଥିଲେ।

ପୋଲିସ କହିଛି, ଚୋରି ସମୟରେ ଶୋ’ରୁମରେ ୫ଜଣ ସଶସ୍ତ୍ର ଗାର୍ଡ ଉପସ୍ଥିତ ଥିଲେ। କିନ୍ତୁ ସେମାନେ ଚୋରି ବିଷୟରେ କିଛି ବି ଜାଣିପାରି ନ ଥିଲେ। ତେବେ ଚୋରି କରିଥିବା ବ୍ୟକ୍ତି ଜଣଙ୍କୁ ଚିହ୍ନଟ କରାଯାଇଛି। ତାଙ୍କ ନାଁ, ମହମ୍ମଦ ଶେଖ ନୁର, ଯିଏକି କର୍ନାଟକର ହୁବଲି ଅଞ୍ଚଳର ବାସିନ୍ଦା। ସେ ଦକ୍ଷିଣ ଦିଲ୍ଲୀର କାଲକାଜିରେ ଗହଣା ଦୋକାନ ପାଖରେ ଏକ ଇଲେକ୍ଟ୍ରୋନିକ୍ସ ଦୋକାନରେ କାମ କରୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.