ଅସମ୍ଭବକୁ ସମ୍ଭବ କଲେ AIIMS ଡାକ୍ତର, ଭାରତରେ ପ୍ରଥମ ଥର ପାଇଁ ହେଲା ଡବଲ୍ କିଡନୀ ଟ୍ରାନ୍ସପ୍ଲାଣ୍ଟ
ଡାକ୍ତରମାନେ ନିଜ ରୋଗୀଙ୍କୁ ବଞ୍ଚାଇବା ପାଇଁ ସବୁ ପ୍ରକାରର ଚେଷ୍ଟା କରନ୍ତି । ତେବେ ଦିଲ୍ଳୀ ଏମ୍ସର ଡାକ୍ତରୀ ଦଳ ଏମିତି କିଛି ଚମତ୍କାର କରି ଦେଖାଇଛନ୍ତି, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଆପଣମାନେ ନିଶ୍ଚୟ ଶୁଣିଥିବେ ଯେ ଡାକ୍ତରମାନେ ଭଗବାନଙ୍କ ରୂପ ହୋଇଥାନ୍ତି । କିନ୍ତୁ ଏହା କେବଳ କଥାରେ ନୁହେଁ, ଏହା ଏକ ବାସ୍ତବତା । କାରଣ ଡାକ୍ତରମାନେ ବେଳେବେଳେ ଅତି କଷ୍ଟଦାୟକ ପରିସ୍ଥିତିରେ ମଧ୍ୟ ରୋଗୀର ଜୀବନ ରକ୍ଷା କରିଥାନ୍ତି । ଡାକ୍ତରମାନେ ନିଜ ରୋଗୀଙ୍କୁ ବଞ୍ଚାଇବା ପାଇଁ ସବୁ ପ୍ରକାରର ଚେଷ୍ଟା କରନ୍ତି । ତେବେ ଦିଲ୍ଳୀ ଏମ୍ସର ଡାକ୍ତରୀ ଦଳ ଏମିତି କିଛି ଚମତ୍କାର କରି ଦେଖାଇଛନ୍ତି, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ବା AIIMS ର ଡାକ୍ତରମାନେ ଏଭଳି ଏକ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିଛନ୍ତି, ଯାହାକୁ ନେଇ ସବୁଆଡ଼ୁ ପ୍ରଶଂଶାର ସୁଅ ଛୁଟୁଛି ।
ଏହିି ଡାକ୍ତରମାନେ ଜଣେ ଡାଏଲିସିସ୍ ରୋଗୀଙ୍କର ଡବଲ୍ କିଡନୀ ଟ୍ରାନ୍ସପ୍ଲାଣ୍ଟ କରି ତାଙ୍କ ଜୀବନ ବଞ୍ଚାଇଛନ୍ତି । ତେବେ ଇତିହାସରେ ପ୍ରଥମ ଥର ପାଇଁ ଭାରତରେ ଡବଲ୍ କିଡନୀ ଟ୍ରାନ୍ସପ୍ଲାଣ୍ଟ ଭଳି ମାମଲା ସାମ୍ନାକୁ ଆସିଛି । ଏହି ସୂଚନା ହସ୍ପିଟାଲ ତରଫରୁ ମିଳିଛି । ଏଭଳି ଘଟଣା ଆପଣ ହୁଏତ ପ୍ରଥମ ଥର ପାଇଁ ଶୁଣୁଥିବେ । ଗୋଟିଏ କିଡନୀ ଟ୍ରାନ୍ସପ୍ଲାଣ୍ଟ ହେବା କଥା ତ ସମସ୍ତେ ଶୁଣିଥିବେ । କିନ୍ତୁ ଡବଲ୍ କିଡନୀ ଟ୍ରାନ୍ସପ୍ଲାଣ୍ଟ ଭାରତରେ ପ୍ରଥମ ଥର ପାଇଁ ହୋଇଛି ।
ସୂଚନା ଅନୁସାରେ ଜଣେ ମହିଳା ରୋଗୀ ଗତ କିଛି ମାସ ଧରି AIIMS ରେ କିଡନୀ ପାଇଁ ଚିକିତ୍ସା କରୁଥିଲେ। ତାଙ୍କର ଉଭୟ କିଡନୀ ଖରାପ ହୋଇଯାଇଥିଲା। ଏହି ସମୟରେ AIIMS ଟ୍ରମା ସେଣ୍ଟରରେ ଜଣେ ଆହତ ହୋଇଥିବା ୭୮ ବର୍ଷ ବୟସ୍କା ବୃଦ୍ଧ ମହିଳାଙ୍କୁ ଭର୍ତ୍ତି କରାଯାଇଥିଲା । ସେ ସିଡ଼ିରୁ ତଳେ ପଡ଼ି ଦୁର୍ଘଟଣାର ଶିକାର ହୋଇଥିଲେ ଫଳରେ ତାଙ୍କୁ AIIMSରେ ଭର୍ତ୍ତି କରାଯାଇଯାଇଥିଲା । କିନ୍ତୁ ସମସ୍ତ ଚେଷ୍ଟା ପରେ ବି ତାଙ୍କ ଜୀବନ ରକ୍ଷା ହୋଇପାରି ନଥିଲା । ଡାକ୍ତରମାନେ ତାଙ୍କର ବ୍ରେନ ଡେଡ୍ ଘୋଷଣା କରିଥିଲେ।
ବୃଦ୍ଧ ମହିଳାଙ୍କର ବ୍ରେନ୍ ଡେଡ୍ ଖବର ଶୁଣିବା ପରେ ତାଙ୍କ ପରିବାର ବୃଦ୍ଧାଙ୍କ ଅଙ୍ଗ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ମହିଳାଙ୍କର ଅଧିକ ବୟସ ହୋଇଯାଇଥିବାରୁ ତାଙ୍କ ଅଙ୍ଗ ସଠିକ୍ ଭାବରେ କାମ କରୁନଥିଲା, ତେଣୁ ଅଙ୍ଗ ଦାନ କରିବା ସମ୍ଭବ ନଥିଲା । କିନ୍ତୁ ଏପଟେ କିଡନୀ ରୋଗରେ ପିଡ଼ିତ ଥିବା ୫୧ ବର୍ଷିୟ ମହିଳାଙ୍କର ଅବସ୍ଥା ଧିରେ ଧିରେ ଖରାପ ହେବାକୁ ଲାଗିଲା । ଏସବୁକୁ ନଜରରେ ରଖି ଡାକ୍ତରମାନେ ମହିଳାଙ୍କର କିଡନୀ ଟ୍ରାନ୍ସପ୍ଲାଣ୍ଟ କରିବାକୁ ନିଷ୍ପତ୍ତି ନେଇଥିଲେ । କହି ରଖିବାକୁ ଚାହିଁବୁ ଯେ ଏହି ମହିଳା ଭାରତର ଦ୍ୱିତୀୟ ବୟସ୍କା ମହିଳା ଭାବେ ନିଜର ଅଙ୍ଗ ଦାନ କରିଥିଲେ ।
ଡାକ୍ତରମାନେ ବ୍ରେନ ଡେଡ ଥିବା ମହିଳାଙ୍କ କିଡନୀକୁ ୫୧ ବର୍ଷ ବୟସ୍କା ମହିଳାଙ୍କ ଶରୀରରେ ଟ୍ରାନ୍ସପ୍ଲାଣ୍ଟ କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ମହିଳାଙ୍କ କିଡନୀ ଠିକ୍ ଭାବେ କାମ କରୁନଥିବାରୁ AIIMS ର ଡାକ୍ତରମାନେ ଉଭୟ କିଡନୀକୁ ଗୋଟିଏ ପାର୍ଶ୍ୱରେ ଟ୍ରାନ୍ସପ୍ଲାଣ୍ଟ କରିବାକୁ ନିଷ୍ପତ୍ତି ନେଇଥିଲେ। ଏବଂ କିଡନୀ ସମସ୍ୟାରେ ପିଡ଼ିତ ଥିବା ମହିଳାଙ୍କ ଡାହାଣ ପାର୍ଶ୍ୱରେ ଦୁଇଟି କିଡନୀ ଟ୍ରାନ୍ସପ୍ଲାଣ୍ଟ କରାଯାଇଥିଲା ।
ଗତ ବର୍ଷ ୨୦୨୩ ମସିହାରେ ମହିଳାଙ୍କର କିଡନୀ ଟ୍ରାନ୍ସପ୍ଲାଣ୍ଟ କରାଯାଇଥିଲା । ବର୍ତ୍ତମାନ ମହିଳାଙ୍କର ଟ୍ରାନ୍ସପ୍ଲାଣ୍ଟ ହୋଇଥିବା ଉଭୟ କିଡନୀ ସୁରୁଖୁରୁରେ କାମ କରୁଛି । ଡାକ୍ତର ଆସୁରୀ କୃଷ୍ଣ ଏବଂ ଡାକ୍ତର ସୁଶାନ୍ତ ସୋରେନଙ୍କ ନେତୃତ୍ୱରେ କିଡନୀ ଟ୍ରାନ୍ସପ୍ଲାଣ୍ଟ କରାଯାଇଥିଲା।