‘ନେହେରୁଙ୍କ ଭୁଲ୍‌ ଯୋଗୁ ସୃଷ୍ଟି ହୋଇଛି PoK’, ଲୋକସଭାରେ ବର୍ଷିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ କଂଗ୍ରେସ ଉପରେ ଖୁବ୍‌ ବର୍ଷିଛନ୍ତି। ସେ କହିଛନ୍ତି ଯେ ନେହେରୁଙ୍କ ଭୁଲ ଯୋଗୁ 'PoK' ସୃଷ୍ଟି ହୋଇଛି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ କଂଗ୍ରେସ ଉପରେ ଖୁବ୍‌ ବର୍ଷିଛନ୍ତି। ସେ କହିଛନ୍ତି ଯେ ନେହେରୁଙ୍କ ଭୁଲ ଯୋଗୁ ‘PoK’ ସୃଷ୍ଟି ହୋଇଛି। ଅମିତ ଶାହ କହିଛନ୍ତି, ‘ପଣ୍ଡିତ ନେହେରୁ ପ୍ରଧାନମନ୍ତ୍ରୀ ଥିବାବେଳେ ଦୁଇଟି ବଡ଼ ଭୁଲ ହୋଇଥିଲା, ଯେଉଁଥିପାଇଁ କାଶ୍ମୀରକୁ ବର୍ଷ ବର୍ଷ ଧରି ଯନ୍ତ୍ରଣା ଭୋଗିବାକୁ ପଡ଼ିଥିଲା। ଯେତେବେଳେ ଆମର ସେନା ଜିତୁଥିଲା, ସେତେବେଳେ ପଞ୍ଜାବ ଅଞ୍ଚଳ ଆସିବା କ୍ଷଣି ଅସ୍ତ୍ରବିରତି କରାଯାଇଥିଲା ଏବଂ ପାକିସ୍ତାନ ଅଧିକୃତ କାଶ୍ମୀର (PoK)ର ଜନ୍ମ ହୋଇଥିଲା’।

ଅମିତ ଶାହ ଜମ୍ମୁ କାଶ୍ମୀର ଆରକ୍ଷଣ(ସଂଶୋଧନ) ବିଲ୍ ୨୦୨୩ ଏବଂ ଜମ୍ମୁ କାଶ୍ମୀର ପୁନର୍ଗଠନ ବିଲ୍ ୨୦୨୩ ଉପରେ ଆଲୋଚନା ବେଳେ କହିଥିଲେ, ‘ଯଦି ଅସ୍ତ୍ରବିରତି ୩ ଦିନ ବିଳମ୍ବରେ ହୋଇଥାଆନ୍ତା, ତେବେ PoK ଆଜି ଭାରତର ଅଞ୍ଚଳ ଥାଆନ୍ତା। ମିଳିତ ଜାତିସଂଘକୁ ଆମର ପ୍ରସଙ୍ଗ ନିଆଯାଇଥିଲା, ଯାହା ଏକ ବଡ଼ ଭୁଲ’।

ସେପଟେ ଶାହଙ୍କ ବୟାନରେ କଂଗ୍ରେସ ସାଂସଦମାନେ ଦୃଢ଼ ଆପତ୍ତି ଜଣାଇଥିଲେ ଏବଂ ଗୃହରେ ଅଶାନ୍ତି ଦେଖାଦେଇଥିଲା। ଏହା ଉପରେ ଶାହ କହିଥିଲେ କି, ‘ଯଦି ରାଗିବାର ଅଛି, ତେବେ ମୋ ଉପରେ ନୁହେଁ, ବରଂ ନେହେରୁଙ୍କ ଉପରେ କ୍ରୋଧ କର’। ଏହାର କିଛି ସମୟ ପରେ କଂଗ୍ରେସ ସାଂସଦମାନେ ଲୋକସଭାରୁ ବାହାରି ଯାଇଥିଲେ।

ଅମିତ ଶାହ କହିଛନ୍ତି ଯେ ପୂର୍ବରୁ ଜମ୍ମୁରେ ୩୭ଟି ସିଟ୍ ଥିଲା, ବର୍ତ୍ତମାନ ୪୩ଟି ଅଛି। କାଶ୍ମୀରରେ ପୂର୍ବରୁ ୪୬ଟି ସିଟ୍ ଥିଲା, ବର୍ତ୍ତମାନ ୪୭ଟି ଅଛି। PoKରେ ୨୪ଟି ଆସନ ସଂରକ୍ଷିତ କରି ଦିଆଯାଇଛି, କାରଣ PoK ଆମର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.