Below header

ରୁଷ୍‌ ସୈନ୍ୟଙ୍କ କ୍ରୁରତା ଚରମ ସୀମାରେ…! ଭୟରେ ଆତ୍ମହତ୍ୟା କରୁଛନ୍ତି ୟୁକ୍ରେନ ମହିଳା, ଅସୁନ୍ଦର ଦେଖାଯିବା ପାଇଁ ଛୋଟ କରୁଛନ୍ତି ଚୁଟି

ୟୁକ୍ରେନରେ ରୁଷ୍‌ ସୈନ୍ୟଙ୍କ ନରସଂହାର ଓ ବର୍ବରତାର ସାକ୍ଷୀ ପାଲୁଟୁଛି ସାରା ବିଶ୍ୱ। ପ୍ରତ୍ୟେକ ଦିନ ଏଠାରୁ କିଛି ନା କିଛି ଛାତିଥରା କାହାଣୀ ସାମ୍ନାକୁ ଆସୁଛି। ଆଜି ଠିକ୍‌ ଏମିତି ହିଁ ଏକ କାହାଣୀ ହୁଏତ ଆପଣଙ୍କୁ ବିଚଳିତ କରିଦେବ। କିଭ୍‌ଠାରୁ ମାତ୍ର ୫୦ ମାଇଲ୍‌ ଦୂରରେ ରହିଛି ଏକ ଛୋଟିଆ ଗାଁ ‘ଇଭାନକିଭ୍‌’, ଯାହାକୁ ରୁଷ୍‌ ସୈନ୍ୟ କବ୍‌ଜାକୁ ନେଇ ଯାଇଥିଲେ। ନିଜ ନିୟନ୍ତ୍ରଣ ସମୟରେ ସେଠାରେ ସୈନ୍ୟମାନେ କ୍ରୁରତାର ସବୁ ସୀମା ଟପି ଯାଇଥିଲେ। ଗାଁର ଦୁଇ ନାବାଳିକା ଭଉଣୀଙ୍କୁ ଅତି କଲବଲ କରି ଦୁଷ୍କର୍ମ କରିଥିଲେ ରୁଷ୍‌ ସୈନ୍ୟ। ୧୫ ଏବଂ ୧୬ ବର୍ଷ ବୟସର ଦୁଇ ଭଉଣୀଙ୍କ ସହିତ ହୋଇଥିବା ଏହି ଦୁଷ୍କର୍ମ ଘଟଣା ବିଷୟରେ ସେଠାକାର ଡେପୁଟି ମେୟର ମେରୀନା ବେସ୍‌ଚସ୍ତନା ସୂଚନା ଦେଇଛନ୍ତି।

ଏହି ଗାଁରେ ରୁଷ୍‌ ସୈନ୍ୟ ଝିଅମାନଙ୍କ ସହିତ ବହୁତ କ୍ରୁରତା ଦେଖାଇଥିଲେ। ଜୀବନ ବଞ୍ଚାଇବା ପାଇଁ ବେସ୍‌ମେଣ୍ଟରେ ଲୁଚିଥିବା ଝିଅମାନଙ୍କୁ ଚୁଟି ଭିଡ଼ି ବାହାରକୁ ଆଣିଥିଲେ ଏବଂ ସେମାନଙ୍କୁ ନିର୍ଯାତନା ଦେଇଥିଲେ, ଯାହାର ପରିଣାମ ଭୋଗୁଛନ୍ତି ଗାଁର ଝିଅମାନେ। ଏବେ ଏଠି ଝିଅମାନେ ଅସୁନ୍ଦର ଦେଖାଯିବା ପାଇଁ ନିଜ ଚୁଟି କାଟି ଛୋଟ କରୁଛନ୍ତି। ସେମାନଙ୍କୁ ଲାଗୁଛି, ଯଦି ସେମାନେ ଅସୁନ୍ଦର ଦେଖାଯିବେ, ତ ରୁଷ୍‌ ସୈନ୍ୟଙ୍କ କ୍ରୁରତାରୁ ରକ୍ଷା ପାଇପାରିବେ।

russ
photo: Hindustan Times

ୟୁକ୍ରେନ ସାଂସଦ ଲିଜିଆ ଭାସିଲେଙ୍କୋ ସୈନ୍ୟମାନଙ୍କ କ୍ରୁରତା ବିଷୟରେ ଟ୍ଵିଟ୍‌ କରି କହିଛନ୍ତି, ରୁଷ୍‌ ସୈନ୍ୟ ୟୁକ୍ରେନ ମହିଳାମାନଙ୍କ ସହିତ କେମିତି କ୍ରୁର ଆଚରଣ କରୁଛନ୍ତି। ପୁତିନ ସେନା ନା କେବଳ ମହିଳାଙ୍କୁ ଟାର୍ଗେଟ କରୁଛନ୍ତି, ବରଂ ୧୦ ବର୍ଷର କୁନି ଝିଅମାନଙ୍କ ସହିତ ବି ଦୁଷ୍କର୍ମ କରିବାକୁ ପଛାଉ ନାହାନ୍ତି। ଦୁଷ୍କର୍ମ କରିବା ପରେ ସେମାନେ ଝିଅ ଏବଂ ମହିଳାଙ୍କୁ ଫାଶିରେ ଲଟକାଇ ଦେଉଛନ୍ତି। ଏଥି ସହିତ ମୃତଦେହ ଉପରେ ନାଜି ଚିହ୍ନ ତିଆରି କରୁଛନ୍ତି।

ସାଂସଦ ଟ୍ଵିଟ୍‌ କରି ଦାବି କରିଛନ୍ତି ଯେ ସୈନ୍ୟମାନେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ମହିଳାମାନଙ୍କୁ ମଧ୍ୟ ଦୁଷ୍କର୍ମ କରୁଛନ୍ତି। ଦୁଷ୍କର୍ମ ପରେ ସେମାନଙ୍କୁ ବି ନିର୍ଯାତନା ଦିଆଯାଉଛି। ଏହି ହିଂସାରୁ ବଞ୍ଚିବା ପାଇଁ ଅନେକ ମହିଳା ଆତ୍ମହତ୍ୟା କରି ସାରିଲେଣି। ଆଉ କିଛି ଜଣ ଦୁଷ୍କର୍ମ ପରେ ବଞ୍ଚିପାରି ନାହାନ୍ତି। କହି ରଖୁଛୁ, ସାଂସଦଙ୍କର ଏହି ଟ୍ଵିଟ୍‌ ପରେ ୟୁକ୍ରେନ ନାଗରିକଙ୍କୁ ଜାଣିଶୁଣି ହତ୍ୟା କରାଯିବାର ପ୍ରମାଣ ସାମ୍ନାକୁ ଆସିଛି, ଯାହାକୁ ନେଇ ରୁଷ୍‌ର ଚର୍ଚ୍ଚା ଚାରିଆଡ଼େ ହେଉଛି।

ରୁଷ-ୟୁକ୍ରେନ ଯୁଦ୍ଧରେ ଏବେ ରୁଷ୍‌ ସୈନ୍ୟ ଅନେକ ଅଞ୍ଚଳରୁ ପଛକୁ ହଟୁଛନ୍ତି। ରାଜଧାନୀ କିଭ୍‌ରୁ ପଛକୁ ହଟିବା ସମୟରେ ପାଖ ବୁଚା ସହରର ସାଧାରଣ ଜନତାଙ୍କୁ କ୍ରୁର ଆଚରଣ ଦେଖାଇଛନ୍ତି। ମିଡିଆ ରିପୋର୍ଟ ମୁତାବକ, କିଭ୍‌ ଏବଂ ଏହା ଆଖାପାଖ ଅଞ୍ଚଳରୁ ୪୧୦ ୟୁକ୍ରେନ ନାଗରିକଙ୍କ ଶବ ମିଳିଛି। ଏ ନେଇ କିଭ୍‌ର ସରକାରୀ ଅଭିଯୋଜକ ଇରିନା ଭେନେଡିକୋତ୍ୱା ସ୍ପଷ୍ଟ କରିଛନ୍ତି। ଏ ପର୍ଯ୍ୟନ୍ତ ଏହି ଯୁଦ୍ଧରେ ୟୁକ୍ରେନର ୧,୪୧୭ ଲୋକ ମରିଥିବା ବେଳେ ୨,୦୩୮ ଲୋକ ଆହତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.