ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଡିଜ୍‌ଙ୍କୁ ଆଶ୍ୱସ୍ତି; ମନି ଲଣ୍ଡରିଂ ମାମଲାରେ ମିଳିଲା ଜାମିନ୍‌

ମନି ଲଣ୍ଡରିଂ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପଟିଆଲା ହାଉସ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। କୋର୍ଟ ତାଙ୍କୁ ୧୫ ନଭେମ୍ବରରେ ୨ ଲକ୍ଷ ଟଙ୍କାର ବ୍ୟକ୍ତିଗତ ବଣ୍ଡରେ ଜାମିନ ପ୍ରଦାନ କରିଛନ୍ତି। ଏଥିସହିତ କୋର୍ଟ ସର୍ତ୍ତ ରଖିଛନ୍ତି ଯେ କୋର୍ଟଙ୍କ ବିନା ଅନୁମତିରେ ଅଭିନେତ୍ରୀ ଦେଶ ଛାଡି କୁଆଡ଼େ ଯାଇପାରିବେ ନାହିଁ। ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାର ତଦନ୍ତ ବେଳେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ନାମ ପଦାକୁ ଆସିଥିଲା, ଯାହାପରେ ସେ ସମସ୍ୟାରେ ଫସିଥିଲେ।

ସୁକେଶ ଚନ୍ଦ୍ରଶେଖରଙ୍କଠାରୁ ଅଭିନେତ୍ରୀଙ୍କୁ ଅନେକ ଦାମୀ ଉପହାର ମିଳିଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିଜ ଚାର୍ଜସିଟରେ ଜ୍ୟାକଲିନଙ୍କୁ ଜଣେ ଅଭିଯୁକ୍ତ ଭାବରେ ନାମିତ କରିଥିଲା, ଯେଉଁଥିରେ କୁହାଯାଇଥିଲା କି, ସେ ଠକେଇ ପଇସାର ଜଣେ ଲାଭାର୍ଥୀ। ଏହି ମାମଲାରେ ଜ୍ୟାକଲିନ ଜାମିନ ଆବେଦନ କରିଥିଲେ, ଯାହାକୁ ଇଡି ବିରୋଧ କରିଥିଲା। ଇଡି ଅଭିଯୋଗ କରିଥିଲା ଯେ ଜ୍ୟାକଲିନ ତଦନ୍ତରୁ ବଞ୍ଚିବା ପାଇଁ ଦେଶରୁ ଫେରାର୍‌ ହୋଇପାରନ୍ତି।

ଇଡି ଜ୍ୟାକଲିନଙ୍କ ଜାମିନକୁ ବିରୋଧ କରି କହିଥିଲା ଯେ ଜ୍ୟାକଲିନ ମଉଜ ମସ୍ତି ପାଇଁ ୭.୧୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସେ ଖସିଯିବାକୁ ସମସ୍ତ ପ୍ରକାର ଉଦ୍ୟମ କରିଛନ୍ତି, କାହିଁକି ନା, ତାଙ୍କ ପାଖରେ ପର୍ଯ୍ୟାପ୍ତ ପଇସା ରହିଛି। ମାମଲାର ତଦନ୍ତ ବେଳେ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କୁ ଗିରଫ ନ କରିବାକୁ ନିଷ୍ପତ୍ତି ନେଇଥିବା କେନ୍ଦ୍ରୀୟ ଏଜେନ୍ସିକୁ କୋର୍ଟ ଶୁଣାଣି ସମୟରେ ପ୍ରଶ୍ନ କରିଥିଲେ।

ସ୍ୱତନ୍ତ୍ର ଜଜ୍ ଇଡିକୁ କହିଥିଲେ, ଆପଣ LOC ଜାରି କରିବା ସତ୍ତ୍ୱେ ତଦନ୍ତ ସମୟରେ ଜ୍ୟାକଲିନ୍‌ଙ୍କୁ କାହିଁକି ଗିରଫ କରି ନାହାନ୍ତି? ଅନ୍ୟ ଅଭିଯୁକ୍ତ ଜେଲରେ ଅଛନ୍ତି। ଆପଣ ଭିନ୍ନ ଭିନ୍ନ ମାପଦଣ୍ଡ କାହିଁକି ରଖୁଛନ୍ତି? ଆପଣଙ୍କ ପାଖରେ pick and chooseର ନୀତି ରହିପାରିବ ନାହିଁ। ଜଣେ ଅଭିଯୁକ୍ତଙ୍କୁ ଗିରଫ ନ କରିବାର କାରଣ ରହିବା ଉଚିତ୍।

କୋର୍ଟଙ୍କ ପ୍ରସ୍ତାବ ଉପରେ ପ୍ରତିକ୍ରିୟା ରଖି ଏଜେନ୍ସି ତରଫରୁ ଓକିଲ ଶୈଳେଶ ଏନ୍‌ ପାଠକ କହିଥିଲେ କି, ଅଭିନେତ୍ରୀଙ୍କ ବିରୋଧରେ ପୂର୍ବରୁ ହିଁ ଏକ ଲୁକଆଉଟ୍ ସର୍କୁଲାର (LOC) ଖୋଲା ଥିଲା ଏବଂ ଏଥିପାଇଁ ତଦନ୍ତକାରୀ ଅଧିକାରୀ ଗିରଫଦାରୀର ନିଜର ଶକ୍ତିକୁ ପ୍ରୟୋଗ କରିନାହାନ୍ତି। କହି ରଖୁଛୁ, ଗୁରୁବାର କୋର୍ଟ ନିଜ ଆଦେଶକୁ ସଂରକ୍ଷିତ ରଖିଥିଲେ।

You might also like