ମହୁଆ ମୋଇତ୍ରଙ୍କ ଘରେ ପଶିଲା CBI, ଟିଏମ୍‌ସି ନେତାଙ୍କ ଅନେକ ଠିକଣାରେ ଚାଲିଛି ଚଢ଼ାଉ

ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୋଇତ୍ରଙ୍କ ଘରେ ସିବିଆଇ ଚଢ଼ାଉ । ସଂସଦରେ ଟଙ୍କା ନେଇ ପ୍ରଶ୍ନ ପଚରାଯିବା ମାମଲାରେ ମହୁଆଙ୍କ ଘରେ ପଶିଛି ସିବିଆଇ ।

ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତ୍ରୀ ମହୁଆ ମୋଇତ୍ରଙ୍କ ଘରେ ସିବିଆଇ ଚଢ଼ାଉ । ସଂସଦରେ ଟଙ୍କା ନେଇ ପ୍ରଶ୍ନ ପଚରାଯିବା ମାମଲାରେ ମହୁଆଙ୍କ ଘରେ ପଶିଛି ସିବିଆଇ । ତଦନ୍ତ ଏଜେନ୍ସି ମହୁଆଙ୍କର କୋଲକାତା ସମେତ ଅନେକ ସ୍ଥାନରେ ଚଢ଼ାଉ କରୁଛି । ଦିଲ୍ଲୀରୁ ସିବିଆଇ ଟିମ୍‌ ମହୁଆଙ୍କ ବାପାଙ୍କର ଦକ୍ଷିଣ କୋଲକାତାସ୍ଥିତ ଅଲିପୁର ଅଞ୍ଚଳରେ ଥିବା ଫ୍ଲାଟ୍‌ରେ ପହଞ୍ଚିଥିବା ସୂଚନା ରହିଛି ।

ଗତ ବର୍ଷ ଡିସେମ୍ବରରେ ଲୋକସଭା ‘ଅନୈତିକ ଆଚରଣ’ ପାଇଁ ମହୁଆଙ୍କୁ ବହିଷ୍କାର କରିଥିଲା । ପୂର୍ବତନ ସାଂସଦ ଏହି ବହିଷ୍କାରକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ସେ ସାଧାରଣ ନିର୍ବାଚନରେ ପଶ୍ଚିମବଙ୍ଗର କୃଷ୍ଣନଗର ଲୋକସଭା ଆସନରୁ ଟିଏମ୍‌ସି ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବେ ।

ଦୁର୍ନୀତି ନିବାରଣ ସଂସ୍ଥା ଲୋକପାଳଙ୍କ ନିର୍ଦ୍ଦେଶରେ ସିବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗୁରୁବାର ମହୁଆଙ୍କ ବିରୋଧରେ ଏଫ୍‌ଆଇଆର୍‌ ପଞ୍ଜିକୃତ କରିଥିଲା । ଲୋକପାଳ ନିର୍ଦ୍ଦେଶ ଦେଇଥିଲେ କି, ମହୁଆ ମୋଇତ୍ରଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ଅଧୀନରେ ମାମଲା ରୁଜୁ କରି ସିବିଆଇ ତଦନ୍ତ କରୁ । ଏହା ସହିତ ୬ ମାସ ଭିତରେ ରିପୋର୍ଟ ଦାଖଲ କରିବାକୁ ଲୋକପାଳ ତଦନ୍ତ ଏଜେନ୍ସିକୁ କହିଛନ୍ତି ।

ସୂଚନାଥାଉ କି, ମହୁଆ ମୋଇତ୍ର ସଂସଦରେ ପ୍ରଶ୍ନ ପଚାରିବା ପାଇଁ ରିୟଲ୍‌ ଇଷ୍ଟେଟ୍‌ ବ୍ୟବସାୟୀ ହୀରାନନ୍ଦାନୀଙ୍କଠାରୁ ଲାଞ୍ଚ ନେଇଥିବା ଭାଜପା ସାଂସଦ ନିଶିକାନ୍ତ ଦୁବେ ଅଭିଯୋଗ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.