ଏପଟେ ବୁଡ଼ୁଥିଲା କିଙ୍ଗ୍‌ଫିସର, ସେପଟେ ମାଲ୍ୟା କିଣୁଥିଲେ ଇଂଲଣ୍ଡ ଓ ଫ୍ରାନ୍ସରେ କୋଟି କୋଟି ଟଙ୍କାର ସମ୍ପତ୍ତି

ଭାରତର ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ନେଇ ସିବିଆଇ କରିଛି ଆଶ୍ଚର୍ଯ୍ୟଜନକ ଦାବି। ତଦନ୍ତ ସଂସ୍ଥା କହିଛି ଯେ ମାଲ୍ୟା ୨୦୧୫-୧୬ ମଧ୍ୟରେ ଇଂଲଣ୍ଡ ଏବଂ ଫ୍ରାନ୍ସରେ ୩୩୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି କିଣିଛନ୍ତି।

ଭାରତର ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ନେଇ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ‘ସିବିଆଇ’ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛି। ସିବିଆଇ କୋର୍ଟଙ୍କୁ କହିଛି ଯେ ମାଲ୍ୟା ୨୦୧୫-୧୬ ମଧ୍ୟରେ ଇଂଲଣ୍ଡ ଏବଂ ଫ୍ରାନ୍ସରେ ୩୩୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି କିଣିଛନ୍ତି, ଯେତେବେଳେ କି, ସେହି ସମୟରେ ତାଙ୍କ କିଙ୍ଗଫିସର ଏୟାରଲାଇନ୍ସ ଭୀଷଣ ନଗଦ ସଙ୍କଟର ସାମ୍ନା କରୁଥିଲା।

ସିବିଆଇ ନିଜ ଚାର୍ଜସିଟରେ କହିଛି, ଏହା ଠିକ୍ ସେହି ସମୟ, ଯେତେବେଳେ ବ୍ୟାଙ୍କଗୁଡ଼ିକର କରଜ ସେ ଫେରାଉ ନ ଥିଲେ। ଆଇଡିବିଆଇ ବ୍ୟାଙ୍କ-କିଙ୍ଗଫିସର ଏୟାରଲାଇନ୍ସର ୯୦୦ କୋଟିରୁ ଅଧିକ ଟଙ୍କା ଋଣ ଠକେଇ ମାମଲାରେ ମାଲ୍ୟା ହେଉଛନ୍ତି ଅଭିଯୁକ୍ତ, ଯାହାର ତଦନ୍ତ ସିବିଆଇ କରୁଛି।

ତଦନ୍ତ ସଂସ୍ଥା ନିଜର ସପ୍ଲିମେଣ୍ଟାରୀ ଚାର୍ଜ ସିଟରେ ୧୧ ଜଣ ଅଭିଯୁକ୍ତଙ୍କ ନାମ ଉଲ୍ଲେଖ କରିଛି ଏବଂ ସେଥିରେ ବୁଦ୍ଧଦେବ ଦାସଗୁପ୍ତଙ୍କ ନାମ ବି ଯୋଡ଼ିଛି। ସିବିଆଇ ମୁତାବକ, ଦାସଗୁପ୍ତା ୨୦୦୯ ଅକ୍ଟୋବରରେ ୧୫୦ କୋଟି ଟଙ୍କାର ଏସ୍‌ଟିଏଲ୍‌ର ମଞ୍ଜୁରୀ ଓ ବିତରଣ ମାମଲାରେ ନିଜ ସରକାରୀ ପଦର ଦୂରୁପଯୋଗ କରିଥିଲେ ଏବଂ ଆଇଡିବିଆଇ ବ୍ୟାଙ୍କ ଓ ବିଜୟ ମାଲ୍ୟାଙ୍କ ଅଧିକାରୀଙ୍କ ସହ ମିଶି ଷଡ଼ଯନ୍ତ୍ର ରଚିଥିଲେ।

ପ୍ରତ୍ୟର୍ପଣର ସମ୍ମୁଖୀନ ହେଉଥିବା ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଓକିଲ ସୁପ୍ରିମ କୋର୍ଟଙ୍କୁ କହିଛନ୍ତି, ସେ ଦୀର୍ଘ ଦିନରୁ ତାଙ୍କ ସହ କଥାବାର୍ତ୍ତା କରୁ ନାହାନ୍ତି। ଏହି ମାମଲାରେ ତାଙ୍କୁ ମାଲ୍ୟାଙ୍କ ପ୍ରତିନିଧିତ୍ୱରୁ ମୁକ୍ତ କରିବାକୁ ସେ କୋର୍ଟଙ୍କୁ ଅନୁରୋଧ କରିଛନ୍ତି।

କୋର୍ଟ କହିଛନ୍ତି ଯେ ମାଲ୍ୟାଙ୍କୁ ନିଜର ଆଚରଣ ପାଇଁ ଏବେ କୌଣସି ଅନୁତାପ ନାହିଁ। ସେ କୌଣସି କ୍ଷମା ମାଗି ନାହାନ୍ତି। କୋର୍ଟ ତାଙ୍କ ଉପରେ ଚାରି ମାସ ଜେଲ ଦଣ୍ଡ ସହ ୨,୦୦୦ ଟଙ୍କା ଜରିମାନା କରିଛନ୍ତି। ଏଥିରେ କୁହାଯାଇଛି ଯେ ଯଦି ଧାର୍ଯ୍ୟ ସମୟ ମଧ୍ୟରେ ଜରିମାନା ରାଶି ଜମା ନ ହୁଏ, ତେବେ ମାଲ୍ୟାଙ୍କୁ ଆଉ ଦୁଇ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.