ପୁଣି ଥରେ ଚୀନରେ ହୁ ହୁ ହୋଇ ବଢୁଛି ସଂକ୍ରମଣ: ସ୍କୁଲ,ବିମାନ ବନ୍ଦର ଓ ପର୍ଯ୍ୟଟନ ସ୍ଥଳ ବନ୍ଦ କଲେ ସରକାର

ନୂଆଦିଲ୍ଲୀ : ପୁଣି ସବୁ ବନ୍ଦ। ବିମାନ ବନ୍ଦର ,ସ୍କୁଲ ,ପର୍ଯ୍ୟଟନ ସ୍ଥଳ ସବୁ ବନ୍ଦ। ଚୀନକୁ କରୋନା ଫେରିବା ପରେ ଏମିତି ପଦକ୍ଷେପ ନେଇଛି ପ୍ରଶାସନ। ଏହି ନୂତନ ସଂକ୍ରମଣ ପର୍ଯ୍ୟଟକଙ୍କ ଏକ ଗୋଷ୍ଠୀ ସହିତ ଜଡିତ ଥିବା ଚୀନ ସନ୍ଦେହ କରୁଛି। ଫଳ ସ୍ୱରୂପ ଦେଶରେ ବିମାନ ଚଳାଚଳ, ବିଦ୍ୟାଳୟ ଏବଂ ଅନ୍ୟାନ୍ୟ ସାର୍ବଜନୀନ ସ୍ଥାନବନ୍ଦ କରିବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଚୀନ୍‌ ସରକାର। ଏହି ନୂତନ ସଂକ୍ରମଣର ବିସ୍ତାରକୁ ରୋକିବା ପାଇଁ ଚୀନ୍‌ କର୍ତ୍ତୃପକ୍ଷ ଶହ ଶହ ବିମାନ ବାତିଲ କରିଛନ୍ତି।

ବିମାନ ଚଳାଚଳର ତଥ୍ୟ ଅନୁଯାୟୀ ପ୍ରଭାବିତ ଅଞ୍ଚଳର ବିମାନବନ୍ଦରଗୁଡ଼ିକ ଶହ ଶହ ବିମାନ ବାତିଲ୍‌ କରିଛନ୍ତି। ପ୍ରାୟ ୬୦ ପ୍ରତିଶତ ବିମାନକୁ କେବଳ ଜିଆନ୍‌ ଏବଂ ଲାନଝୋଉର ଦୁଇଟି ମୁଖ୍ୟ ବିମାନବନ୍ଦର ବାତିଲ କରିଥିବା ଜଣାପଡ଼ିଛି। ନୂତନ ପ୍ରକୋପରୁ ରକ୍ଷା ପାଇବା ପାଇଁ ଚୀନ୍‌ ମଧ୍ୟ ଗୁରୁବାର ଦିନ ସାମୁହିକ ପରୀକ୍ଷଣକୁ ବୃଦ୍ଧି କରିଛି। ରାଜଧାନୀ ବେଜିଂ ସମେତ ଏହାର ସମସ୍ତ ସୀମାକୁ ସିଲ୍‌ କରି ଦିଆଯାଇଛି ଓ ଲକଡାଉନ୍‌ ଜାରି ରଖିଛି। ସାମ୍ପ୍ରତିକ ପରିପ୍ରେକ୍ଷୀରେ ଦେଶର ଅନେକ ସ୍ଥାନରେ ସତର୍କତାମୂଳକ ପଦକ୍ଷେପ ଘୋଷଣା କରାଯାଇଛି। ଗୁରୁବାର ଚୀନର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ କହିଛନ୍ତି ଯେ ଭୂତାଣୁର ବିସ୍ତାରକୁ ରୋକିବା ପାଇଁ ଚୀନର ସ୍ଥାନୀୟ କର୍ତ୍ତୃପକ୍ଷ ଗଣ ପରୀକ୍ଷଣ ଆରମ୍ଭ କରିଛନ୍ତି। ସାର୍ବଜନୀନ ସ୍ଥାନଗୁଡିକୁ ବନ୍ଦ କରି ଦିଆଯାଇଛି।

ଅନ୍ୟପଟେ ଚୀନ୍‌ର ଉତ୍ତର ଏବଂ ଉତ୍ତର-ପଶ୍ଚିମ ସହରରେ ଏହି ସଂକ୍ରମଣ ଖୁବ ବ୍ୟାପିଛି। ଏହି ସଂକ୍ରମଣକୁ ଦୃଷ୍ଟିରେ ରଖି ବର୍ତ୍ତମାନ ପାଇଁ ପ୍ରଶାସନ କଡା ପଦକ୍ଷେପ ନେବା ଆରମ୍ଭ କରିଛି। ଲୋକ ମାନଙ୍କ ମଧ୍ୟରେ କରୋନା ପରୀକ୍ଷଣ କରାଯାଉଛି, ଏହା ବ୍ୟତୀତ ପର୍ଯ୍ୟଟନ ସ୍ଥାନଗୁଡିକ ବନ୍ଦ କରାଯାଇ ଥିବା ବେଳେ କେତେକ ଅଞ୍ଚଳରେ ଲକଡାଉନ୍ ମଧ୍ୟ କରାଯଇଛି ।

ଏଥି ସହିତ ଚୀନ୍‌ର ଲାନଝୋଉ ଅଞ୍ଚଳରେ ଲୋକଙ୍କୁ ଘରୁ ବାହାରକୁ ନଆସିବାକୁ ନିବେଦନ କରାଯାଇଛି। ଯଦି କୌଣସି ଜରୁରୀ କାର୍ଯ୍ୟ ନଥାଏ ତେବେ ଘରେ ରହିବାକୁ ଏକ ପରାମର୍ଶ ଦିଆଯାଉଛି । ଏଥି ସହିତ ଯେଉଁମାନେ ବାହାରକୁ ଆସୁଛନ୍ତି ସେମାନଙ୍କୁ ମଧ୍ୟ କୋଭିଡ ନେଗେଟିଭ୍ ରିପୋର୍ଟ ଦେଖାଇବାକୁ କୁହାଯାଉଛି। ଏଭଳି ପରିସ୍ଥିତିରେ ନିୟମଗୁଡିକ ବହୁତ କଠୋର କରାଯାଇଛି ଏବଂ ଯଦି ସେଗୁଡିକ ପାଳନ ନହୁଏ ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।