ମଣିଷ ତିଆରି କରିଥିଲା କୋଭିଡ୍‌ ଭାଇରସ୍‌! ବୁହାନ ଲ୍ୟାବର ପୂର୍ବତନ ବୈଜ୍ଞାନିକ କଲେ ଆଶ୍ଚର୍ଯ୍ୟଜନକ ଖୁଲାସା

କରୋନା ମହାମାରୀ ବିସ୍ତାର କରିଥିବା କୋଭିଡ୍-୧୯ ଭାଇରସ୍‌କୁ ନେଇ ପ୍ରଥମରୁ ଯେଉଁ ଆଶଙ୍କା କରାଯାଉଥିଲା, ତାହା ଏବେ ସତ ପ୍ରମାଣିତ ହେଉଛି। ଚୀନର ବୁହାନ ଲ୍ୟାବରେ କାମ କରିଥିବା ଜଣେ ବୈଜ୍ଞାନିକ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ସେ କହିଛନ୍ତି କି, କୋଭିଡ୍‌-୧୯ ଭାଇରସ୍‌ ମାନବ ନିର୍ମିତ ଥିଲା। ସେପଟେ ଏହାରି ଭିତରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବନିସ୍ କୋଭିଡ୍ ପଜିଟିଭ୍ ବାହାରିଛନ୍ତି।

ଚୀନର ବୁହାନରେ ଥିବା ବିବାଦୀୟ ଲ୍ୟାବ୍‌ର ପୂର୍ବତନ ଆମେରିକୀୟ ବୈଜ୍ଞାନିକ ଦାବି କରିଛନ୍ତି ଯେ କୋଭିଡ୍-୧୯ ଏକ ମାନବ ନିର୍ମିତ ଭାଇରସ୍‌ ଥିଲା ଏବଂ ଏହା ଲ୍ୟାବରୁ ହିଁ ଲିକ୍ ହୋଇଥିଲା। ‘ନ୍ୟୁୟର୍କ ପୋଷ୍ଟ’ ବ୍ରିଟିଶ ଖବରକାଗଜ ‘ଦି ସନ୍’ରେ ଆମେରିକୀୟ ଗବେଷକ ଆଣ୍ଡ୍ରୁ ହଫଙ୍କ ବିବୃତ୍ତିକୁ ଦର୍ଶାଇଛି ଯେ ଦୁଇ ବର୍ଷ ପୂର୍ବେ ବୁହାନ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (WIV)ରୁ କୋଭିଡ୍ ଲିକ୍ ହୋଇଥିଲା। ଏହି ଲ୍ୟାବ ଚୀନ ସରକାରଙ୍କ ଦ୍ୱାରା ସଞ୍ଚାଳିତ ଏବଂ ବିତ୍ତ ପୋଷିତ।

ନ୍ୟୁୟର୍କ ପୋଷ୍ଟର ରିପୋର୍ଟରେ କୁହାଯାଇଛି କି, ମହାମାରୀ ବିଶେଷଜ୍ଞ ଆଣ୍ଡ୍ରୁ ହଫ୍‌ ନିଜର ନୂଆ ପୁସ୍ତକ ‘The Truth About Wuhan’ରେ ଏହି ଦାବି କରିଛନ୍ତି। ହଫଙ୍କ ଦାବି ହେଲା ଯେ ଚୀନରେ ଆମେରିକା ସରକାରଙ୍କର କରୋନା ଭାଇରସ ରିସର୍ଚ୍ଚର ଆର୍ଥିକ ଅନୁଦାନ କାରଣରୁ ଏହି ମହାମାରୀ ବିସ୍ତାର ହୋଇଥିଲା। ହଫ୍‌ଙ୍କ ପୁସ୍ତକର କିଛି ଅଂଶ ବ୍ରିଟିଶ ଖବରକାଗଜ ‘ଦି ସନ’ରେ ପ୍ରକାଶ କରାଯାଇଛି। ହଫ ନିଜ ପୁସ୍ତକରେ ଦାବି କରିଛନ୍ତି, ଚୀନରେ ଗେନ୍‌-ଅଫ୍‌-ଫଙ୍କସନର ପ୍ରୟୋଗ ପୂରା ସୁରକ୍ଷାର ସହିତ କରାଯାଇ ନାହିଁ, ଯେଉଁ କାରଣରୁ ବୁହାନ ଲ୍ୟାବରେ ଲିକ୍ ହୋଇଯାଇଥିଲା।

କୋଭିଡ ଭାଇରସ ମାନବ ନିର୍ମିତ ହେବା ଏବଂ ବୁହାନ ଲ୍ୟାବରୁ ବିସ୍ତାର ହେବାକୁ ନେଇ ପୂର୍ବରୁ ମଧ୍ୟ ଦାବି ହୋଇସାରିଛି। ଯଦିଓ ଚୀନ ସରକାର ଏହି ଦାବିକୁ ଲଗାତାର ଭାବରେ ଖଣ୍ଡନ କରି ଆସୁଛନ୍ତି। ଉଭୟ ସରକାରୀ ଅଧିକାରୀ ଏବଂ ଲ୍ୟାବ କର୍ମଚାରୀମାନେ ଭାଇରସ୍‌ର ଉତ୍ପତ୍ତି ଏହି ଲ୍ୟାବ୍‌ରୁ ହୋଇଥିବା କଥାକୁ ଅସ୍ୱୀକାର କରିଛନ୍ତି। କିନ୍ତୁ ହଫ୍‌ କହିଛନ୍ତି, ଏହି ଲ୍ୟାବରେ ଉଚିତ୍‌ ଜୈବ ସୁରକ୍ଷା ଏବଂ ବିପଦ ପରିଚାଳନାର ବ୍ୟବସ୍ଥା ନ ଥିଲା, ଯେଉଁ କାରଣରୁ ବୁହାନ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ଲାବୋରେଟୋରୀରୁ କୋଭିଡ୍ ଭାଇରସ୍‌ ଲିକ୍ ହୋଇଥିଲା।