କେରଳ: କୋଝିକୋଡ୍ରେ ବାମ ନେତା ପିଭି ସତ୍ୟନାଥନ୍ଙ୍କୁ କୁରାଢୀରେ ହାଣି ହତ୍ୟା, ହତ୍ୟାକାରୀ ଫେରାର
ପିଭି ସତ୍ୟନାଥନ୍ଙ୍କ ପିଠି ଓ ବେକରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା, ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।

କେରଳର କୋଝିକୋଡ୍ ଜିଲ୍ଲାରେ ଏକ ମନ୍ଦିର ଉତ୍ସବ ସମୟରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)ର ଜଣେ ସ୍ଥାନୀୟ ନେତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତକ ହେଲେ, ପିଭି ସତ୍ୟନାଥନ୍ । ସେ ଏକ ସଙ୍ଗୀତ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଗୁରୁବାର ରାତିରେ କୋଇଲାଣ୍ଡିର ଚେରିୟାପୁରମ୍ ମନ୍ଦିର ଯାଇଥିଲେ । ଏହି ସମୟରେ ତାଙ୍କୁ କୁରାଢୀରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା ।
ପିଭି ସତ୍ୟନାଥନ୍ଙ୍କ ପିଠି ଓ ବେକରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା, ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ସେପଟେ ନେତାଙ୍କୁ ହତ୍ୟା କରିବା ପରେ ହତ୍ୟାକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଏ ପର୍ଯ୍ୟନ୍ତ ପୋଲିସ ତାଙ୍କୁ ଚିହ୍ନଟ କରିପାରି ନାହିଁ ।
ପୋଲିସ ସନ୍ଦେହ ପ୍ରକାଶ କରି କହିଛି ଯେ ବ୍ୟକ୍ତିଗତ ଶତ୍ରୁତା କାରଣରୁ ସତ୍ୟନାଥନ୍ଙ୍କ ଉପରେ ଆକ୍ରମଣ କରାଯାଇଥିଲା । ପିଭି ସତ୍ୟନାଥନ୍ ସିପିଆଇ(ଏମ୍) କୋଇଲାଣ୍ଡି କେନ୍ଦ୍ରୀୟ ଲୋକାଲ କମିଟିର ସଚିବ ରୂପେ କାର୍ଯ୍ୟ କରିଛନ୍ତି । ଏହି ହତ୍ୟା ଘଟଣାକୁ ନେଇ ସିପିଆଇ(ଏମ୍) ଶୁକ୍ରବାର କୋଇଲାଣ୍ଡିରେ ବନ୍ଦ ଡାକରା କରିଛି ।