CSIR ମହାନିର୍ଦ୍ଦେଶକ ଦେଲେ ଚେତାବନୀ, କରୋନାର ତୃତୀୟ ଲହରୀ ହୋଇପାରେ ଅଧିକ ଭୟଙ୍କର !
ବୈଜ୍ଞାନିକ ଓ ଔଦ୍ୟୋଗିକ ଅନୁସନ୍ଧାନ ପରିଷଦ(ସିଏସ୍ଆଇଆର୍)ର ମହାନିର୍ଦ୍ଦେଶକ(ଡିଜି) ଶେଖର ସି. ମାଣ୍ଡେ ରବିବାର ଚେତାବନୀ ଦେଇଛନ୍ତି କି, ଦେଶରେ କରୋନା ମହାମାରୀ ସଙ୍କଟ ବର୍ତ୍ତମାନ ସୁଦ୍ଧା ଶେଷ ହୋଇନାହିଁ। କରୋନାର ତୃତୀୟ ଲହରୀ ପ୍ରତି ସେ ସଚେତନ କରିବା ସହ କହିଛନ୍ତି, ଯଦି ଆମେ ଆମ ବେଖାତିର ଯୋଗୁ ଏହାକୁ ଆମନ୍ତ୍ରଣ କରିବା, ତା’ହେଲେ ଏହା ଉଗ୍ର ରୂପ ଧାରଣ କରିପାରେ।
ବର୍ତ୍ତମାନର ସ୍ଥିତିରୁ ବାହାରିବା ପାଇଁ ସଂସ୍ଥା ଲଗାତାର ସହଯୋଗର ହାତ ବଢ଼ାଇ ଆସୁଥିବା ମାଣ୍ଡେ କହିଛନ୍ତି। ସେ ଆହୁରି କହିଥିଲେ ଯେ ଜଳବାୟୁ ପରିବର୍ତ୍ତନ ଏବଂ ପରମ୍ପରାଗତ ଇନ୍ଧନ(ଜୀବାଶ୍ମ) ଉପରେ ଅତିଶୟ ନିର୍ଭର ଯୋଗୁ ସୃଷ୍ଟି ହେଉଥିବା ସଙ୍କଟପୂର୍ଣ୍ଣ ସ୍ଥିତିକୁ ବି ଟାଳିବାର ଆବଶ୍ୟକତା ରହିଛି। ଏମିତି ସ୍ଥିତି ପୂରା ଜୀବଜଗତ ପାଇଁ ବିପଦ ସୃଷ୍ଟି କରିପାରେ।
ମାଣ୍ଡେ ସ୍ପଷ୍ଟ କରିଛନ୍ତି, ଭାରତ ଏବେ ସାମୁଦାୟିକ ପ୍ରତିରୋଧକ କ୍ଷମତା ଅର୍ଥାତ୍ ହର୍ଡ ଇମ୍ୟୁନିଟି ହାସଲ କରିବାଠୁ ଦୂରରେ ଅଛି। ତେଣୁ ଏମିତି ସ୍ଥିତିରେ ଭାଇରସ୍ ସଂକ୍ରମଣରୁ ବର୍ତ୍ତିବା ପାଇଁ ମାସ୍କ ପିନ୍ଧିବା ଜରୁରୀ। ଏଥିସହ ଲୋକେ ସାମାଜିକ ଦୂରତା ଏବଂ ହାତକୁ ସଫାସୁତରା ରଖିବାର ଉପାୟକୁ ମଧ୍ୟ ପାଳନ କରିବା ଉଚିତ। ସେ ଆଶା ବ୍ୟକ୍ତ କରି କହିଥିଲେ, କରୋନା ଭ୍ୟାକ୍ସିନ୍ ଭାଇରସ୍ର ବିଭିନ୍ନ ସ୍ୱରୂପ ବିରୋଧରେ ପ୍ରଭାବଶାଳୀ ହେବ। କହି ରଖୁଛୁ, କେରଳର ଥିରୁଅନନ୍ତପୁରମ୍ରେ ରାଜୀବ ଗାନ୍ଧୀ ସେଣ୍ଟର ଫର୍ ବାୟୋଟେକ୍ନୋଲଜି(ଆର୍ଜିସିବି) ଦ୍ୱାରା ଆୟୋଜିତ ଏକ ଡିଜିଟାଲ କାର୍ଯ୍ୟକ୍ରମରେ ଯୋଗଦେଇ ଡିଜି ମାଣ୍ଡେ ଏହା କହିଛନ୍ତି।