ଦିଲ୍ଲୀବାସୀଙ୍କୁ ମିଳିଲା ୧୫୦ ଇଲେକ୍ଟ୍ରିକ୍‌ ବସ୍‌; ୩ ଦିନ ମାଗଣା କରି ପାରିବେ ଯାତ୍ରା…ସରକାର ଘୋଷଣା କଲେ ‘ସେଲ୍ଫି ପ୍ରତିଯୋଗିତା’

ଦିଲ୍ଲୀ ସରକାର ମଙ୍ଗଳବାର ଦିଲ୍ଲୀବାସୀଙ୍କୁ ବଡ଼ ଉପହାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ୍‌ ସବୁଜ ପତାକା ଦେଖାଇ ଆଇପି ଡିପୋରୁ ୧୫୦ ଇଲେକ୍ଟ୍ରିକ୍‌ ବସ୍‌ ସେବା ଆରମ୍ଭ କରିଛନ୍ତି। ଏହି ଅବସରରେ ଦିଲ୍ଲୀର ପରିବହନ ମନ୍ତ୍ରୀ କୈଳାସ ଗେହଲତ୍‌ ମଧ୍ୟ ଉପସ୍ଥିତ ଥିଲେ। ସବୁଜ ପତାକା ଦେଖାଇବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ଓ ପରିବହନ ମନ୍ତ୍ରୀ କୈଳାଶ ଗେହଲତ୍‌ ଏକ ବସ୍‌ରେ ନିଜେ ମଧ୍ୟ ଯାତ୍ରା କରିଥିଲେ। ଦୁଇ ଜଣ ରାଜଘାଟ ଡିପୋ ପର୍ଯ୍ୟନ୍ତ ବସ୍‌ ଯାତ୍ରା କରିଥିଲେ। କହି ରଖୁଛୁ ଯେ ଦିଲ୍ଲୀବାସୀ ୩ ଦିନ ପର୍ଯ୍ୟନ୍ତ ଏହି ବସ୍‌ରେ ମାଗଣାରେ ଯାତ୍ରା କରି ପାରିବେ।

ତେବେ ଏହା ପୂର୍ବରୁ ଅରବିନ୍ଦ କେଜରିଓ୍ଵାଲ ଜାନୁଆରୀରେ ଦୁଇ ପ୍ରୋଟୋଟାଇପ୍‌ ଇଲେକ୍ଟ୍ରିକ୍‌ ବସ୍‌କୁ ସବୁଜ ପତାକା ଦେଖାଇ ଥିଲେ। ଦିଲ୍ଲୀ ରାସ୍ତାରେ ଚାଲୁଥିବା ଏହି ଇଲେକ୍ଟ୍ରିକ୍‌ ବସ୍‌ଗୁଡ଼ିକରେ ଲୋକେ ୩ ଦିନ ଧରି ବିନା ଟିକେଟରେ ଯାତ୍ରା କରି ପାରିବେ। କାହା ଠାରୁ କୌଣସି ଟିକେଟ୍‌ ନିଆଯିବ ନାହିଁ। ଏହି ସୁବିଧା ମେ’ ୨୪ରୁ ୨୬ ପର୍ଯ୍ୟନ୍ତ ଜାରି ରହିବ। ଏହା ବିଷୟରେ ପରିବହନ ମନ୍ତ୍ରୀ କହିଛନ୍ତି, ଏହା ଆମ ପାଇଁ ବହୁତ ବଡ଼ ଦିନ। ଦିଲ୍ଲୀ ସରକାର ସବୁବେଳେ ନିଜ ଲୋକଙ୍କ ପାଇଁ ଯାତ୍ରାର ସୁବନ୍ଦୋବସ୍ତ କରିବାକୁ ପ୍ରତିବଦ୍ଧ ଅଛନ୍ତି।

delhi4
photo: aaj tak

ସେ ଆହୁରି କହିଥିଲେ ଯେ ସରକାର ଇ-ବସ୍‌ଗୁଡ଼ିକୁ ପ୍ରୋତ୍ସାହିତ କରିବା ଏବଂ ଅଧିକରୁ ଅଧିକ ଲୋକେ ଏଥିରେ ଯାତ୍ରା କରିବା, ଅନୁଭବ ବାଣ୍ଟିବା ତଥା ଏହାର ପ୍ରଚାର ପ୍ରସାର ଲାଗି ଏକ ପ୍ରତିଯୋଗିତାର ମଧ୍ୟ ଘୋଷଣା କରିଛନ୍ତି। ଏଥିପାଇଁ ଇ-ବସ୍‌ରେ ମାଗଣା ଯାତ୍ରା ସମୟରେ ନାଗରିକମାନେ ନିଜ ନିଜର ସେଲ୍ଫି ନେଇ ତାହାକୁ ହ୍ୟାଶ୍‌ଟ୍ୟାଗ୍‌ #IrideEbus ସହିତ ଇନ୍‌ଷ୍ଟାଗ୍ରାମ, ଟ୍ଵିଟର ଏବଂ ଫେସ୍‌ବୁକ ହ୍ୟାଣ୍ଡେଲରେ ପୋଷ୍ଟ୍‍ କରିବାକୁ ସରକାର ଅନୁରୋଧ କରିଛନ୍ତି। ଏଥିରେ ସାମିଲ ହୋଇଥିବା ଟପ୍‌ ୩ ପ୍ରତିଯୋଗୀଙ୍କ ପାଖରେ ଆଇପଡ୍‌ ଜିତିବାର ମଉକା ରହିଛି।

ଇ-ବସ୍‌ରେ ରହିଛି ଏହି ସବୁ ସୁବିଧା

ଏହି ଅତ୍ୟାଧୁନିକ ବସ୍‌ ଗୁଡ଼ିକରେ ସିସିଟିଭି କ୍ୟାମେରା, ଜିପିଏସ୍‌, ୧୦ ପ୍ୟାନିକ୍‌ ବଟନ, ଦିବ୍ୟାଙ୍ଗଙ୍କ ପାଇଁ ର‍୍ୟାମ୍ପ୍‌ ଆଦି ସୁବିଧା ଉପଲବ୍ଧ ରହିଛି। ୧୫୦ ବସ୍‌ର ରହଣୀ ପାଇଁ ମୁଣ୍ଡେଲକଲାଁ, ରାଜଘାଟ ଏବଂ ରୋହିଣୀ ସେକ୍ଟର-୩୭ରେ ୩ ଡିପୋକୁ ସମ୍ପୂର୍ଣ୍ଣ ଭାବେ ଇଲେକ୍ଟ୍ରିକ୍‌ ବସ୍‌ ଡିପୋ ରୂପରେ ପ୍ରସ୍ତୁତ କରାଯାଇଛି। ଆଗାମୀ ମାସଗୁଡ଼ିକରେ ଆହୁରି ୧୫୦ ବସ୍‌କୁ ଏଥିରେ ସାମିଲ କରାଯିବ। ଏହି ଇ-ବସ୍‌ ଦିଲ୍ଲୀର ପ୍ରମୁଖ ରୁଟ୍‌ ମାନଙ୍କରେ ଗଡ଼ିବ।