ଡ୍ରଗ୍ସ ରାଜନୀତି: ମୁହଁ ଖୋଲିଲେ ଫଡନବିସ୍‌; କହିଲେ- ନଓ୍ଵାବ ମଲ୍ଲିକଙ୍କର ଅଣ୍ଡରଓ୍ଵାର୍ଲ୍ଡ ସହ ରହିଛି ସମ୍ପର୍କ, ଦୀପାବଳି ପରେ ବଡ଼ ବମ୍‌ ଫୁଟାଇବି

ମୁମ୍ବାଇରେ ଡ୍ରଗ୍ସ ମାମଲାକୁ ନେଇ ଏବେ ବିଜେପି ଓ ଏନ୍‌ସିପି ମୁହାଁମୁହିଁ ହୋଇଛନ୍ତି। ଏନ୍‌ସିପି ନେତା ତଥା ମହାରାଷ୍ଟ୍ରର ମନ୍ତ୍ରୀ ନଓ୍ଵାବ ମଲ୍ଲିକଙ୍କ ବୟାନ ଉପରେ ପୂର୍ବ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍‌ ଏବେ ମୁହଁ ଖୋଲିଛନ୍ତି। ଦେବେନ୍ଦ୍ର ଫଡନବିସ୍‌ କହିଛନ୍ତି, ନବାବ ମଲ୍ଲିକଙ୍କ ବୟାନ ଅତ୍ୟନ୍ତ ହାସ୍ୟାସ୍ପଦ। ଚାରି ବର୍ଷ ତଳେ ରିଭର ଆନ୍ଥମ ଟିମ୍‌ ଯେଉଁ ଫଟୋ ଉଠାଇଥିଲେ, ତାହାକୁ ଆଜି ସୋସିଆଲ ମିଡିଆରେ ସେୟାର କରାଯାଉଛି। ଚାରି ବର୍ଷ ପୁରୁଣା ଫଟୋ ସହ ସମ୍ପର୍କ ଯୋଡ଼ା ଯାଉଛି। ପତ୍ନୀଙ୍କ ଫଟୋକୁ ଜାଣିଶୁଣି ଟ୍ଵିଟ୍‌ କରାଯାଉଛି। ଫଡନବିସ୍‌ କହିଛନ୍ତି, ନଓ୍ଵାବ ମଲ୍ଲିକଙ୍କର ଅଣ୍ଡରଓ୍ଵାର୍ଲ୍ଡ ସହ ସମ୍ପର୍କ ରହିଛି। ଦୀପାବଳି ପରେ ବଡ଼ ବମ୍‌ ଫୁଟାଇବି। ଯାହାର ଜ୍ୱାଇଁ ଡ୍ରଗ୍ସ କେସ୍‌ରେ ଅଭିଯୁକ୍ତ, ସେ ଅନ୍ୟ ଉପରେ ଦୋଷ ଲଦୁଛି ବୋଲି ଫଡନବିସ୍‌ କହିଛନ୍ତି।

ସୂଚନାଯୋଗ୍ୟ ଯେ କିଛି ସମୟ ପୂର୍ବରୁ ନଓ୍ଵାବ ମଲ୍ଲିକ ଏକ ପ୍ରେସ୍‌ କନ୍‌ଫରେନ୍ସ କରି ଫଡନବିସ୍‌ ଓ ତାଙ୍କ ପତ୍ନୀ ଅମୃତା ଫଡନବିସ୍‌ଙ୍କ ଉପରେ ଡ୍ରଗ୍ସ ମାଫିଆଙ୍କ ସହ ସମ୍ପର୍କ ଥିବା ନେଇ ଅଭିଯୋଗ କରିଥିଲେ। ଅମୃତା ଫଡନବିସ୍‌ଙ୍କ ସହ ଜଣେ ଡ୍ରଗ୍ସ ପେଡଲର ଠିଆ ହୋଇଥିବା ଫଟୋକୁ ସେ ସେୟାର କରିଥିଲେ। ମିଡିଆ ରିପୋର୍ଟ ମୁତାବକ, ଉକ୍ତ ଡ୍ରଗ୍ସ ପେଡଲରଙ୍କ ନାଁ ହେଉଛି ଜୟଦୀପ ଚନ୍ଦୁଲାଲ ରାଣା। ରାଣାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଜୁନ୍‌ ୨୦୨୧ରେ ଗିରଫ କରିଥିଲା। ଏବେ ସେ ସାବରମତୀ ଜେଲରେ ଅଛନ୍ତି। ନଓ୍ଵାବ ମଲ୍ଲିକ ଦାବି କରିଛନ୍ତି ଯେ ଦେବେନ୍ଦ୍ର ଫଡନବିସ୍‌ଙ୍କ ଛତ୍ରଛାୟା ତଳେ ଏହି ଡ୍ରଗ୍ସ କାରବାର ଚାଲିଥିଲା।

ମହାରାଷ୍ଟ୍ରର କ୍ୟାବିନେଟ୍‌ ମନ୍ତ୍ରୀ ନଓ୍ଵାବ ମଲ୍ଲିକ ଦାବି କରିଛନ୍ତି, ଜୟଦୀପ ରାଣା ହେଉଛନ୍ତି ସେହି ବ୍ୟକ୍ତି, ଯିଏ ଅମୃତା ଫଡନାବିସ୍‌ଙ୍କ ଏକ ମ୍ୟୁଜିକ ଭିଡିଓକୁ ଫାଇନାନ୍ସ କରିଥିଲେ। ‘ରିଭର ସଙ୍ଗସ୍‌’ ନାମକ ଏହି ଭିଡିଓରେ ଅମୃତା ଅଭିନୟ କରିବା ସହ ସୋନୁ ନିଗମଙ୍କ ସହ ଗୀତ ବି ଗାଇଥିଲେ। ଅମୃତାଙ୍କ ସହ ପୂର୍ବ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍‌ ଓ ପୂର୍ବ ଅର୍ଥମନ୍ତ୍ରୀ ସୁଧୀର ମୁନଙ୍ଗଟୀବାର ମଧ୍ୟ ଏହି ଭିଡିଓରେ ନଜର ଆସିଥିଲେ।

ମଲ୍ଲିକଙ୍କ କହିବା ମୁତାବକ, ଏହି ଗୀତକୁ ଜୟଦୀପ ରାଣା ଫାଇନାନ୍ସ କରିଥିଲେ। ଏଣୁ ତାଙ୍କ ସହ ଫଡନବିସ୍‌ଙ୍କର କି ସମ୍ପର୍କ ରହିଛି ତାହାର ତଦନ୍ତ ହେବା ଦରକାର। ମଲ୍ଲିକ ଏ ଅବସରରେ ରିଭର ଗୀତର ଭିଡିଓ ମଧ୍ୟ ଜାରି କରିଛନ୍ତି।

ପ୍ରକାଶ ଯେ ଫଡନବିସ୍‌ ସରକାର ନଦୀ ଓ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଚଲ ଚଲ ମୁମ୍ବାଇ- ନଦୀ ସଂରକ୍ଷଣ ଅଭିଯାନ ଆରମ୍ଭ କରିଥିଲେ। ସେଥିରେ Mumbai River Anthem ଲଞ୍ଚ୍‌ କରାଯାଇଥିଲା। ତେବେ ଏହି ପୂରା ଅଭିଯାନକୁ ଡ୍ରଗ୍ସ ପେଡଲର ରାଣା ହିଁ ଫାଇନାନ୍ସ କରିଥିଲେ ବୋଲି ମଲ୍ଲିକ ଅଭିଯୋଗ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.