ଗୃହ ମନ୍ତ୍ରଣାଳୟରେ ନିୟୋଜିତ ଥିବା ଦୁଇ ଯବାନ କରୋନା ପଜିଟିଭ, ବନ୍ଦ ହେଲା କଣ୍ଟ୍ରୋଲ ରୁମ ନମ୍ବର ୱାନ

କରୋନାଭାଇରସ୍ ସଂକ୍ରମଣ ବିପଜ୍ଜନକ ଭାବରେ ବଢିବା ଲାଗିଛି । ଡ୍ୟୁଟିରେ ଥିବା କରୋନା ୱାରିୟର୍ସ ମଧ୍ୟ ଏଥିରେ ଅଧିକରୁ ଅଧିକ ସଂକ୍ରମିତ ହେଉଛନ୍ତି । ତେବେ ବର୍ତ୍ତମାନ ଖବର ଆସୁଛି ଯେ ଗୃହ ମନ୍ତ୍ରଣାଳୟର କଣ୍ଟ୍ରୋଲ ରୁମରେ ପୋଷ୍ଟିଙ୍ଗ ଥିବା ଦୁଇ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) କର୍ମଚାରୀଙ୍କ ମଧ୍ୟରେ କରୋନା ଚିହ୍ନଟ ହୋଇଛି ।

CRPFର 55ତମ ଓ 243ତମ ବାଟାଲିୟନର ଯବାନମାନେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ମାମଲା ସାମ୍ନାକୁ ଆସିବା ମାତ୍ରେ କଣ୍ଟ୍ରୋଲ ରୁମ୍ ନମ୍ବର ଏକକୁ ବନ୍ଦ କରିଦିଆ ଯାଇଛି । ବର୍ତ୍ତମାନ କଣ୍ଟ୍ରୋଲ ରୁମକୁ ସାନିଟାଈଜ କରାଯିବ । ଏହା ବ୍ୟତୀତ, ଯେଉଁମାନେ ଯବାନ ମାନଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ କ୍ଵାରେଣ୍ଟାଇନ୍ କରାଯିବ ।

ଏହାପୂର୍ବରୁ ରବିବାର ଦିନ ଦିଲ୍ଲୀରେ ପୋଷ୍ଟ ହୋଇଥିବା ଜଣେ ବରିଷ୍ଠ CRPF ଅଧିକାରୀ କରୋନା ପଜିଟିଭ୍ ଥିବା ଜଣାପଡିବା ପରେ CRPF ମୁଖ୍ୟାଳୟକୁ ଦୁଇ ଦିନ ପାଇଁ ସମ୍ପୂର୍ଣ୍ଣ ସିଲ୍ କରାଯାଇଥିଲା ।

ସୂଚନା ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ CRPF କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଗତ ଶନିବାର ଦିନ CRPFର 68 ଜଣ ଜୱାନ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା । ସମସ୍ତ ଯବାନ ମୟୂର ବିହାରର ଫେଜ-3 ରେ ଅବସ୍ଥିତ 31 ତମ ବାଟାଲିୟନରୁ ଆସିଛନ୍ତି । ଏହି ବାଟାଲିୟନରେ ସମୁଦାୟ ପଜିଟିଭ ମାମଲା 134 କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ଜଣେ ଯବାନ ସୁସ୍ଥ ହୋଇଥିବା ବେଳେ ଜଣେ ମୃତ୍ୟୁବରଣ କରିଛନ୍ତି । ଏଥିସହିତ ବିଏସଏଫର 17 ଜଣ ସୈନିକ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଏହି ଯବାନମାନେ 126 ତମ ଏବଂ 176 ତମ ବାଟାଲିୟନର ଅଟନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.