ଛି ଏତେ ନୃଶଂସ! ପିଲାକୁ ଜନ୍ମ ଦେଇ ହସ୍ପିଟାଲରେ ଶୋଇଥିବା ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍‌

ପଞ୍ଜାବ: ଦୁନିଆ ଯେତେ ଯେତେ ଆଗକୁ ଯାଉଛି ଲୋକଙ୍କ ବୁଦ୍ଧି ସେତିକି କମି କମି ଯାଉଛି। ଏବେ ଲୋକମାନେ ନିଜ ପରିବାର ପ୍ରତି ବି ମୋହ ମାୟା ଦେଖାଉନଥିବା ଦେଖାଯାଇଛି। ପଞ୍ଜାବର କପୁରଥାଲାରୁ ସାମ୍ନାକୁ ଆସିଛି ଏଭଳି ଖବର। ଏଠାକାର ସିଭିଲ ହସ୍ପିଟାଲର ପ୍ରସୂତି ବିଭାଗରେ ଜଣେ ଚିକିତ୍ସାଧୀନ ମହିଳାଙ୍କୁ ତାଙ୍କ ସ୍ୱାମୀ ଅତି ଅମାନୁଷିକ ଭାବେ ହତ୍ୟା କରିଛି। ଏହି ପୂରା ଘଟଣାର ଦୃଶ୍ୟ ସିସି ଟିଭି କ୍ୟାମେରାରେ କଏଦ ହୋଇଛି। ଛାତି ଥରାଇ ଦେବା ଭଳି ଏହି ଘଟଣାର ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି।

କୁହାଯାଉଛି ଯେ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ସନ୍ଦେହ କରୁଥିଲା। ଏଣୁ ହସ୍ପିଟାଲରେ ସେ ତାଙ୍କ ମୁହଁକୁ ଚାପି ଧରି ମାରି ଦେଇଛି। ତେବେ ସବୁଠୁ ଦୁଃଖର କଥା ହେଉଛି ମହିଳା ୪ ଦିନ ପୂର୍ବରୁ ଏକ ପୁଅକୁ ଜନ୍ମ ଦେଇଛନ୍ତି। ଏହି ଘଟଣା ସମ୍ପର୍କରେ ସିଭିଲ ହସ୍ପିଟାଲ ପକ୍ଷରୁ ପୋଲିସକୁ ସୂଚନା ଦିଆଯାଇଥିଲା ଓ ସେମାନେ ଅଭିଯୁକ୍ତକୁ ଅଟକ ରଖିଥିବା ଜଣାଯାଇଛି।

Punjab
Image Credit: Twitter

ସୂଚନା ମୁତାବକ, କପୁରଥାଲାର ସିଭିଲ ହସ୍ପିଟାଲର ପ୍ରସୂତୀ ବିଭାଗରେ ଜୁନ୍‌ ୧ରେ କେସରପୁର ନିବାସୀ ମନଜିତ ସିଂହଙ୍କ ପତ୍ନୀ ବଲଜିନ୍ଦର କୌର (୨୪)ଙ୍କୁ ଆଡମିଟ୍‌ କରାଯାଇଥିଲା। ସେ ସିଜରିଆନ୍‌ ଅପରେସନ୍‌ ପରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ପ୍ରକାଶ ଯେ ଏହି ଦମ୍ପତି କିଛି ବର୍ଷ ତଳେ ପ୍ରେମ ବିବାହ କରିଥିଲେ। ଏମାନଙ୍କର ଏକ ପୁଅ ବି ଅଛି। କିନ୍ତୁ କିଛି ଦିନ ହେବ ସ୍ୱାମୀ- ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିଥିଲା। ସ୍ତ୍ରୀର ଚରିତ୍ର ଉପରେ ସ୍ୱାମୀ ସନ୍ଦେହ କରୁଥିଲେ। ଏଣୁ ହସ୍ପିଟାଲରେ ଏକ ଛୁଆ ଜନ୍ମ ଦେବା ପରେ ସେ ତାଙ୍କୁ ଶ୍ୱାସ ରୁଦ୍ଧ କରି ହତ୍ୟା କରିଛନ୍ତି।

ଘଟଣାସ୍ଥଳରେ ପହଞ୍ଚିଥିବା ସବ୍‌ ଡିଭିଜନାଲ ସୁରିନ୍ଦର ସିଂହ କହିଛନ୍ତି, ସିଭିଲ ହସ୍ପିଟାଲର ପ୍ରସୂତି ବିଭାଗର ପ୍ରାଇଭେର୍ଟ ରୁମ୍‌-୪ରେ ଶନିବାର ପାଖାପାଖି ୬ଟା ବେଳେ ମନ୍‌ଜିତ ସିଂହ ନିଜ ପତ୍ନୀଙ୍କ ଗଳା ଓ ମୁହଁ ବନ୍ଦ କରି ହତ୍ୟା କରିଛନ୍ତି। ଏହା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖିଛି। ସ୍ତ୍ରୀ ଉପରେ ସନ୍ଦେହ କରି ସେ ତାଙ୍କୁ ଅତ୍ୟନ୍ତ ଅମାନୁଷିକ ଭାବେ ହତ୍ୟା କରିଛି। ପୋଲିସ ଏବେ ମୃତ ଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

Also Read: ଏବେ ରୋସ୍ତୋରାଁରେ ଖାଇବା ହେବ ୧୦ ପ୍ରତିଶତ ଶସ୍ତା, ସର୍ଭିସ ଚାର୍ଜ ଆଦାୟ କରିବାକୁ ଅବୈଧ କଲେ ସରକାର