ଭୋକରେ ଛଟପଟ ଉତ୍ତର କୋରିଆକୁ କିମ୍‌ ଜୋଙ୍ଗ୍‌ଙ୍କ ନୂଆ ଆଦେଶ, ଏବେ ଖାଇବାକୁ ପଡ଼ିବ କଳା ହଂସ ମାଂସ; ଜାରି ହେଲା ଖାଦ୍ୟ ମେନ୍ୟୁ

ଉତ୍ତର କୋରିଆ ଅନାହାରର ଶେଷ ସୀମାରେ ପହଞ୍ଚିଛି। ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ଦେଶର ଜନତାଙ୍କୁ କମ୍‌ ଖାଇବାକୁ ଆଦେଶ ଜାରି କରିଛନ୍ତି। ଏହା ସତ୍ତ୍ୱେ ଦେଶ ଖାଦ୍ୟ ସଙ୍କଟରୁ ମୁକ୍ତି ପାଇବାର କୌଣସି ବି ଆଶା ନାହିଁ। ବର୍ତ୍ତମାନ କିମ୍‌ ଜୋଙ୍ଗ୍‌ ଏହି ସମସ୍ୟାରୁ ନିସ୍ତାର ପାଇବା ପାଇଁ ଏକ ନୂଆ ଆଦେଶନାମା ଜାରି କରିଛନ୍ତି। ଅର୍ଥାତ୍‌ ସେ ଦେଶର ଜନତାଙ୍କ ପାଇଁ ଖାଦ୍ୟ ମେନ୍ୟୁ ଜାରି କରିଛନ୍ତି, ଯେଉଁଥିରେ କୁହାଯାଇଛି କି, ଖାଦ୍ୟ ଅଭାବକୁ ଦୂର କରିବା ଏବଂ ସ୍ୱାଦିଷ୍ଟ ଭୋଜନ ପାଇବା ପାଇଁ ଦେଶବାସୀ ଏବେଠୁ ‘କଳା ହଂସ’ ମାଂସ ଖାଇବା ଉଚିତ।

ତାନଶାହଙ୍କ ନୂଆ ଆଦେଶ ପରେ ଉତ୍ତର କୋରିଆର ସରକାରୀ ଗଣମାଧ୍ୟମ କହିଛି ଯେ ଦେଶର ସବୁଠାରୁ ବଡ଼ ବତକ ଫାର୍ମରେ ଏବେ ବୃହତ୍‌ ସଂଖ୍ୟାରେ କଳା ହଂସ ପାଳନ ସହ ପ୍ରଜନନ କରାଯାଉଛି, ଯାହାର ଉଦ୍ଦେଶ୍ୟ ହେଉଛି, କଳା ହଂସର ଔଦ୍ୟୋଗିକ ବ୍ୟବହାର। ଏଥି ସହିତ କୁହାଯାଇଛି କି, ଉତ୍ତର କୋରିଆର ଲୋକେ ସ୍ୱାଦିଷ୍ଟ କଳା ହଂସ ମାଂସ ଖାଆନ୍ତୁ। କଳା ହଂସର ଏହି ଫାର୍ମକୁ ଟିଭିରେ ଲାଇଭ୍‌ କରି ଦେଖାଯାଇଥିଲା, ଯେପରି ଲୋକଙ୍କ ମଧ୍ୟରେ ଏହି ମାଂସ ପ୍ରତି ରୁଚି ବଢ଼ାଯାଇ ପାରିବ। ବର୍ତ୍ତମାନ ଶାସକ ଦଳର ଅଧିକରୀମାନେ ହଂସ ମାଂସକୁ ସ୍ୱାଦିଷ୍ଟ ବନାଇବାରେ ଲାଗି ପଡ଼ିଛନ୍ତି। ସେମାନେ ଦାବି କରିଛନ୍ତି କି, ଏହି ମାଂସରେ ଔଷଧୀୟ ଗୁଣ ଭରପୂର ରହିଛି, ଯାହା ଅନେକ ରୋଗ ଦାଉରୁ ସେମାନଙ୍କୁ ରକ୍ଷା କରି ପାରିବ। ଏତେ ସବୁ ପ୍ରଚେଷ୍ଟା ଦ୍ୱାରା ଅଧିକାରୀମାନେ ଖାଦ୍ୟ ସଙ୍କଟରୁ ବାହାରିବା ପାଇଁ ଉଦ୍ୟମ ଜରି ରଖିଛନ୍ତି।

ଉତ୍ତର କୋରିଆର ବର୍ଡର ସିଲ୍‌

ଖାଦ୍ୟ ସଙ୍କଟ ଦେଇ ଗତି କରୁଥିବା ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ତରଫରୁ ପୂର୍ବରୁ ଆଦେଶ ଦିଆଯାଇଥିଲା କି, ୨୦୨୫ ମସିହାରେ ଉତ୍ତର କୋରିଆ, ଚୀନ ସହିତ ନିଜର ସୀମା ଖୋଲିବା ପର୍ଯ୍ୟନ୍ତ ଦେଶର ଲୋକେ କମ୍‌ ଭୋଜନ କରିବା ଉଚିତ। ଫଳସ୍ୱରୂପ ବର୍ତ୍ତମାନ ଦେଶର ଅବସ୍ଥା ବହୁତ ଶୋଚନୀୟ ହୋଇ ପଡ଼ିବା ସହ ଅର୍ଥନୀତି ମଧ୍ୟ ଖରାପ ଆଡ଼କୁ ଗତି କରୁଛି। ତାନଶାହଙ୍କ ଆଦେଶ ପରେ ଅଧିକାରୀମାନେ କହିଛନ୍ତି, କଳା ହଂସ ମାଂସ ବହୁତ ସ୍ୱାଦିଷ୍ଟ ଏବଂ ଏହା ଲୋକଙ୍କ ପାଇଁ ସ୍ପେଶାଲ ଫୁଡ୍‌ ପ୍ରମାଣିତ ହେବ। ଏଥି ସହିତ ଖାଦ୍ୟ ସଙ୍କଟରୁ ବାହାରିବାରେ ସାହାଯ୍ୟ ମିଳି ପାରିବ।

କରୋନା ମହାମାରୀ ଆରମ୍ଭ ପର ଠାରୁ ହିଁ ଉତ୍ତର କୋରିଆ ନିଜ ସୀମାଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ସିଲ୍‌ କରି ଦେଇଥିଲା ଏବଂ କୌଣସି ବି ଦେଶ ସହିତ ସମ୍ପର୍କ ରଖି ନ ଥିଲା। ଏହି ନିଷ୍ପତ୍ତିର ପ୍ରଭାବ ସେଠାକାର ବାଣିଜ୍ୟ ବ୍ୟବସାୟ ଓ ଆମଦାନୀ ଉପରେ ପଡ଼ିଥିଲା। କାହିଁକିନା, ନିଜ ପାଇଁ ଆବଶ୍ୟକ ଜିନିଷ ଆମଦାନୀ ନିମନ୍ତେ ଏହି ଦେଶ ଚୀନ ଉପରେ ନିର୍ଭର କରିଥାଏ। କିନ୍ତୁ ଉତ୍ତର କୋରିଆ ଚୀନ ସଂଲଗ୍ନ ବର୍ଡରକୁ ମଧ୍ୟ ସିଲ୍‌ କରି ଦେଇଥିଲା। ଏହି ସବୁ କାରଣରୁ ଦେଶ ବ୍ୟବସାୟିକ କ୍ଷତି ସହିଥିଲା ଏବଂ ସେଠାକାର ଆର୍ଥିକ ପରିସ୍ଥିତି ବିଗିଡ଼ିବାରେ ଲାଗିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.