ଭାରତୀୟ ଛାତ୍ରୀ ଜାହ୍ନବୀ କଣ୍ଡୁଲାଙ୍କ ହତ୍ୟାରେ ମିଳିଲା ନାହିଁ ପ୍ରମାଣ, ଆମେରିକୀୟ ପୋଲିସ ଅଧିକାରୀଙ୍କ ଉପରେ ଚାଲିବନି ମକଦ୍ଦମା
ଆମେରିକାରେ ଭାରତୀୟ ଛାତ୍ରୀ ଜାହ୍ନବୀ କଣ୍ଡୁଲାଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ମକଦ୍ଦମା ଚାଲିବ ନାହିଁ । ଆମେରିକୀୟ ଓକିଲଙ୍କ ମୁତାବକ, ଅଧିକାରୀଙ୍କ ବିରୋଧରେ ଠୋସ୍ ପ୍ରମାଣ ମିଳିପାରି ନାହିଁ ।

ଆମେରିକାରେ ଭାରତୀୟ ଛାତ୍ରୀ ଜାହ୍ନବୀ କଣ୍ଡୁଲାଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ମକଦ୍ଦମା ଚାଲିବ ନାହିଁ । ଆମେରିକୀୟ ଓକିଲଙ୍କ ମୁତାବକ, ଅଧିକାରୀଙ୍କ ବିରୋଧରେ ଠୋସ୍ ପ୍ରମାଣ ମିଳିପାରି ନାହିଁ । ସେପଟେ ବଡି ଫୁଟେଜ୍ କ୍ୟାମେରାର ଭାଇରାଲ ଭିିଡିଓକୁ କୋର୍ଟ ପ୍ରମାଣ ବୋଲି ମାନିନାହିଁ । ତେଣୁ ଅଧିକାରୀଙ୍କ ଉପରେ କେସ୍ ଚାଲିବ ନାହିଁ ।
କିଙ୍ଗ୍ କାଉଣ୍ଟି ଓକିଲ କାର୍ଯ୍ୟାଳୟ ତରଫରୁ କୁହାଯାଇଛି ଯେ ସେମାନେ ସିଏଟଲ୍ ପୋଲିସ ଅଧିକାରୀ କେଭିନ ଡେଭଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ । ପ୍ରମାଣ ଅଭାବରୁ ତାଙ୍କୁ ମୁକ୍ତ କରି ଦିଆଯାଇଛି । ବୟାନରେ କୁହାଯାଇଛି କି, କଣ୍ଡୁଲାଙ୍କ ମୃତ୍ୟୁ ହୃଦୟବିଦାରକ ଏବଂ ଏହାର ପ୍ରଭାବ କିଙ୍ଗ୍ କାଉଣ୍ଟି ସମେତ ପୂରା ବିଶ୍ୱ ଉପରେ ପଡ଼ିଛି ।
ଆମେରିକାର ସିଏଟଲରେ ଗତ ବର୍ଷ ଜାନୁୟାରୀ ୨୩ରେ ପୋଲିସ ଗାଡ଼ି ସହ ଧକ୍କା ହେବା ପରେ ଜାହ୍ନବୀ କଣ୍ଡୁଲା ନାମ୍ନୀ ଭାରତୀୟ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା । ଛାତ୍ରୀଙ୍କୁ ଧକ୍କା ଦେଇଥିବା ପୋଲିସ କାର୍ ଘଣ୍ଟା ପ୍ରତି ୧୧୯ କିଲୋମିଟର ବେଗରେ ଚାଲୁଥିଲା, ଫଳରେ ରାସ୍ତା ପାର ହେଉଥିବାବେଳେ କାର୍ ଜାହ୍ନବୀଙ୍କୁ ଜୋରଦାର ଧକ୍କା ଦେଇଥିଲା । ଏହା ଏତେ ଭୟଙ୍କର ଥିଲା ଯେ ଜାହ୍ନବୀ ୧୦୦ ଫୁଟ ଉପରକୁ ଉଠି ତଳେ ପଡ଼ିଯାଇଥିଲେ । ପ୍ରକୃତରେ, ଡ୍ରଗ୍ସ ଓଭରଡୋଜ୍ର ଜରୁରୀ ସୂଚନା ପାଇ ପୋଲିସ ଘଟଣାସ୍ଥଳକୁ ଯାଉଥିଲା ଏବଂ ସେଠାରେ ଜଲ୍ଦି ପହଞ୍ଚିବା ପାଇଁ ଅଧିକାରୀ ଦ୍ରୁତ ଗତିରେ ଗାଡ଼ି ଚଲାଉଥିଲେ ।
ତେବେ ଏହି ମାମଲାରେ ପୋଲିସ ବିଭାଗ ଘଟଣାର ଏକ ବଡିକ୍ୟାମ୍ ଫୁଟେଜ୍ ଜାରି କରିଥିଲା, ଯେଉଁଥିରେ ସିଏଟଲ ପୋଲିସ ଅଧିକାରୀ ଡାନିୟଲ ଅର୍ଡର ଦୁର୍ଘଟଣାକୁ ନେଇ ହସୁଥିବାର ଶୁଣାଯାଇଥିଲା । ଏହାକୁ ନେଇ ଖୁବ୍ ହଙ୍ଗାମା ହୋଇଥିଲା । ଲୋକମାନେ ଭାରତୀୟ ଛାତ୍ରୀଙ୍କ ମୃତ୍ୟୁରେ ହସିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଏହି ଘଟଣାରେ ଅର୍ଡରଙ୍କୁ ନିଲମ୍ବିତ କରାଯାଇଥିଲା, ପରେ ତାଙ୍କର ସ୍ଥାନ ମଧ୍ୟ ପରିବର୍ତ୍ତନ କରାଯାଇଥିଲା ।