ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ସୁପ୍ରିମ୍କୋର୍ଟଙ୍କୁ କ୍ଷମା ମାଗିଲା ପତଞ୍ଜଳି, ଆଚାର୍ଯ୍ୟ ବାଲକୃଷ୍ଣ କହିଲେ, ‘ମୁଁ ଅନୁତପ୍ତ’
ପତଞ୍ଜଳି ଆୟୁର୍ବେଦର ଏମ୍ଡି ଆଚାର୍ଯ୍ୟ ବାଲକୃଷ୍ଣ ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରି କହିଛନ୍ତି ଯେ କମ୍ପାନୀର 'ଅପମାନଜନକ ବାକ୍ୟ’ ଥିବା ବିଜ୍ଞାପନକୁ ନେଇ ମୁଁ ଅନୁତପ୍ତ ।

ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ପତଞ୍ଜଳି ନିଜର ଅତୀତର ବିବୃତ୍ତି ପାଇଁ ସୁପ୍ରିମକୋର୍ଟଙ୍କୁ ବିନା ସର୍ତ୍ତରେ କ୍ଷମା ମାଗିଛି । ପତଞ୍ଜଳି ଆୟୁର୍ବେଦର ଏମ୍ଡି ଆଚାର୍ଯ୍ୟ ବାଲକୃଷ୍ଣ ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରି କହିଛନ୍ତି ଯେ କମ୍ପାନୀର ‘ଅପମାନଜନକ ବାକ୍ୟ’ ଥିବା ବିଜ୍ଞାପନକୁ ନେଇ ମୁଁ ଅନୁତପ୍ତ ।
ସୂଚନାଯୋଗ୍ୟ, ନୋଟିସ୍ର ଉତ୍ତର ନ ଦେବାରୁ ଗତ ଶୁଣାଣିରେ ସୁପ୍ରିମକୋର୍ଟ ଆଚାର୍ଯ୍ୟ ବାଲକୃଷ୍ଣଙ୍କୁ ଏପ୍ରିଲ ୨ରେ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟ ବାବା ରାମଦେବଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି କରି ଏପ୍ରିଲ ୨ରେ ହାଜର ହେବାକୁ କହିଛନ୍ତି ।
ଆଚାର୍ଯ୍ୟ ବାଲକୃଷ୍ଣ କହିଛନ୍ତି ଯେ ୨୦୨୩ ନଭେମ୍ବର ପରେ ଜାରି ବିଜ୍ଞାପନ କେବଳ ସାଧାରଣ ବୟାନ ଉଦ୍ଦେଶ୍ୟରେ ଥିଲା, କିନ୍ତୁ ସେଥିରେ ଭୁଲ୍ରେ ‘ଅପମାନଜନକ ବାକ୍ୟ’ ସାମିଲ ହୋଇଯାଇଥିଲା । ସେ ଆହୁରି ମଧ୍ୟ କହିଛନ୍ତି, ଏହି ବିଜ୍ଞାପନଗୁଡିକୁ ପତଞ୍ଜଳିର ମିଡିଆ ବିଭାଗ ମଞ୍ଜୁରୀ ଦେଇଥିଲା, ଯାହା ୨୦୨୩ ନଭେମ୍ବରରେ ସୁପ୍ରିମକୋର୍ଟଙ୍କ ଆଦେଶ ବିଷୟରେ ଅବଗତ ନ ଥିଲା ।
ଆଚାର୍ଯ୍ୟ ବାଲକୃଷ୍ଣ ସ୍ପଷ୍ଟ କରିଛନ୍ତି ଯେ ଏପରି ବିଜ୍ଞାପନ ଭବିଷ୍ୟତରେ ଯେପରି ପ୍ରକାଶ ପାଇବ ନାହିଁ, ତାହା କମ୍ପାନୀ ସୁନିଶ୍ଚିତ କରିବ ।