ଗୋଚାଲାଣକାରୀଙ୍କୁ ପିଛା କରୁଥିବା ବେଳେ ଆଖିରେ ବାଜିଲା ଗୁଳି, ଚାଲିଗଲା ପୋଲିସ ଅଧିକାରୀଙ୍କ ଜୀବନ

ବିହାରର ସମସ୍ତିପୁର ଜିଲ୍ଲାରେ ଜଣେ ପୋଲିସ ଅଧିକାରୀ ଅପରାଧୀଙ୍କ ଗୁଳିମାଡ଼ରେ ନିହତ ହୋଇଛନ୍ତି। ଏଠାରେ ମୋହନପୁର ଓପିର SHO ନନ୍ଦକିଶୋର ଯାଦବଙ୍କୁ ଅପରାଧୀମାନେ ଗୁଳି କରି ହତ୍ୟା କରିଛନ୍ତି।

ବିହାରର ସମସ୍ତିପୁର ଜିଲ୍ଲାରେ ଜଣେ ପୋଲିସ ଅଧିକାରୀ ଅପରାଧୀଙ୍କ ଗୁଳିମାଡ଼ରେ ନିହତ ହୋଇଛନ୍ତି। ଏଠାରେ ମୋହନପୁର ଓପିର SHO ନନ୍ଦକିଶୋର ଯାଦବଙ୍କୁ ଅପରାଧୀମାନେ ଗୁଳି କରି ହତ୍ୟା କରିଛନ୍ତି। ମିଳିଥିବା ସୂଚନା ମୁତାବକ, ଗୋଚାଲାଣ କରୁଥିବା କିଛି ଅପରାଧୀଙ୍କୁ ଧରିବା ପାଇଁ ଏସ୍‌ଏଚ୍‌ଓ ପିଛା କରୁଥିବା ବେଳେ ଗୁଳିମାଡ଼ର ଶିକାର ହୋଇଥିଲେ।

ଗୁରୁତର ଅବସ୍ଥାରେ ତାଙ୍କୁ ସମସ୍ତିପୁର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ପାଟନା ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ପାଟନାରେ ଚିକିତ୍ସା ସମୟରେ ନନ୍ଦକିଶୋରଙ୍କ ମୃତ୍ୟୁ ଘଟିଥିଲା।

ସୂଚନା ମୁତାବକ, ପଶୁ ଚୋରି ଏବଂ ଚାଲାଣକୁ ନେଇ ମୋହନପୁର ଓପି ପୋଲିସକୁ ଇନ୍‌ପୁଟ ମିଳିଥିଲା। ଇନ୍‌ପୁଟ ଆଧାରରେ ଏସ୍‌ଏଚ୍‌ଓ ନିଜ ଟିମ୍‌ ସହିତ ଚଢ଼ାଉ କରିବାକୁ ଯାଉଥିଲେ। ଶାହବାଜପୁର ବାଇପାସ୍‌ ନିକଟରେ ଏକ ପିକ୍‌ଅପ ଭ୍ୟାନ୍‌ରେ ଅପରାଧୀମାନେ ଖସି ପଳାଉଥିବାର ଦେଖି ନନ୍ଦକିଶୋର ସେମାନଙ୍କ ପିଛା କରିଥିଲେ।

ହେଲେ ଏହି ସମୟରେ ଅପରାଧୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ପୋଲିସ ମଧ୍ୟ ପାଲଟା ଜବାବରେ ଗୁଳି ଚାଳନା କରିଥିଲା। ତେବେ ଏହି ଗୁଳି ବିନିମୟ ସମୟରେ ହିଁ ଅପରାଧୀଙ୍କ ପକ୍ଷରୁ ଏକ ଗୁଳି ନନ୍ଦକିଶୋରଙ୍କ ଆଖିରେ ବାଜିଥିଲା।

ଗୁଳି ବାଜିବା କ୍ଷଣି ନନ୍ଦକିଶୋର ସେଠାରେ ଟଳିପଡ଼ିଥିଲେ। ତାଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ତାଙ୍କର ମୃତ୍ୟୁ ଘଟିଥିଲା। ସେପଟେ ଘଟଣା ପରେ ଗୋଚାଲାଣ ଅପରାଧୀମାନେ ଫେରାର୍‌ ହୋଇଯାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.