ଉଦୟପୁର ଦର୍ଜି ହତ୍ୟାକାଣ୍ଡ: ସାମ୍ନାକୁ ଆସିଲା ବ୍ୟବଚ୍ଛେଦ ରିପୋର୍ଟ; ଶରୀରରେ ପଡ଼ିଛି ୨୬ ଚୋଟ, ବେକରେ ପଡ଼ିଛି ୮

ଉଦୟପୁର ଦର୍ଜି ହତ୍ୟାକାଣ୍ଡ ମାମଲାର ଆତଙ୍କବାଦୀ ଲିଙ୍କ୍‌ ସାମ୍ନାକୁ ଆସିଛି। ରାଜ୍ୟ ଗୃହମନ୍ତ୍ରୀ ରାଜେନ୍ଦ୍ର ଯାଦବଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ମୁତାବକ, ହତ୍ୟା ଅଭିଯୁକ୍ତ ଗଉସ୍‌ ମହମ୍ମଦ ୨୦୧୪-୧୫ ମସିହାରେ ପାକିସ୍ତାନରେ ଟ୍ରେନିଂ ନେଇଥିଲେ। ଯଦିଓ ସେ କେଉଁ ଆତଙ୍କୀ ସଙ୍ଗଠନ ସହ ଜଡ଼ିତ, ସେ ନେଇ କୌଣସି ଖୁଲାସା ହୋଇ ନାହିଁ। କିନ୍ତୁ ଏହା ସ୍ପଷ୍ଟ ହୋଇଛି ଯେ ଗଉସ୍‌ ମହମ୍ମଦ ସ୍ଲିପର୍‌ ସେଲ୍‌ ରୂପେ କାମ କରୁଥିଲେ। ସେ ୮ଟି ମୋବାଇଲ ନମ୍ବରରୁ ପାକିସ୍ତାନ ସହ ଲଗାତାର ସମ୍ପର୍କରେ ରହିଥିଲେ। ଏହି ସୂଚନା ସାମ୍ନାକୁ ଆସିବା ପରେ ପାକିସ୍ତାନୀ ଲିଙ୍କ୍‌ କଥା ଖୁଲାସା ହୋଇଛି।

ଆରବ ଦେଶ ଏବଂ ନେପାଳ ସହ ମଧ୍ୟ ଲିଙ୍କ୍‌

ଗଉସ୍‌ ମହମ୍ମଦ ଆରବ ଦେଶ ଏବଂ ନେପାଳରେ ମଧ୍ୟ ରହିକି ଆସିଛନ୍ତି। ରାଜ୍ୟ ଗୃହମନ୍ତ୍ରୀ ରାଜେନ୍ଦ୍ର ଯାଦବ କହିଛନ୍ତି, ଏହି ମାମଲାକୁ ଏବେ NIAକୁ ହସ୍ତାନ୍ତର କରାଯାଇଛି। ରାଜସ୍ଥାନ ପୋଲିସ NIAକୁ ପୂରା ସହଯୋଗ କରିବ।

NIA ରୁଜୁ କଲା ମାମଲା

ଏହି ମାମଲାରେ NIA ମାମଲା ରୁଜୁ କରିଛି। ମାମଲା ରୁଜୁ ହେବା ପରେ NIA ଟିମ୍‌ ଉଦୟପୁରରେ ପହଞ୍ଚିଛି। ମାମଲାର ତଦନ୍ତ ପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଛି।

ବ୍ୟବଚ୍ଛେଦ ରିପୋର୍ଟ

ଏ ଭିତରେ ମୃତ କହ୍ନେୟା ଲାଲ୍‌ଙ୍କ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିଛି, ଯେଉଁଥିରୁ ମୃତ୍ୟୁର କାରଣ ଜଣାପଡ଼ିଛି। ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି ଯେ କହ୍ନେୟା ଲାଲ୍‌ଙ୍କ ଗୋଟିଏ ହାତକୁ କାଟି ଦିଆଯାଇଥିଲା। ଅତ୍ୟଧିକ ରକ୍ତସ୍ରାବ ଏବଂ ଏକ ସାଥୀରେ ଅନେକ ଗୁଡ଼ିଏ ଶିରା କଟିଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ରିପୋର୍ଟ ମୁତାବକ, ତାଙ୍କ ଶରୀରରେ ୨୬ଟି ଚୋଟ ପଡ଼ିଛି। ତାଙ୍କ ବେକରେ ମଧ୍ୟ ୭ରୁ ୮ ଥର ଚୋଟ ପକାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.